ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ: ୯ ଜିଲ୍ଲାରେ ଋଣ ଜମା ଅନୁପାତ ଉଦ୍‌ବେଗଜନକ

କୃଷି, ଏମ୍ଏସ୍‌ଏମ୍ଇ, ଏସ୍‌ଏଚ୍‌ଜିକୁ ଅଧିକ ଋଣ ଦେବାକୁ କହିଲେ ସରକାର

ଭୁବନେଶ୍ବର: ଋଣ ଜମା ଅନୁପାତରେ ରାଜ୍ୟର ନଅଟି ଜିଲ୍ଲା ୪୦ ପ୍ରତିଶତରୁ ନିମ୍ନ ସ୍ତରରେ ରହିଥିବା ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିରେ ଉନ୍ନତି ଆଣିବା ଲାଗି ପ୍ରୟାସ କରିବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ଅନୁଗୁଳ, ଦେବଗଡ଼, ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା କେନ୍ଦୁଝର, ମାଲକାନଗିରି ଓ ପୁରୀରେ ଋଣ ଜମା ଅନୁପାତ ୪୦%ରୁ କମ୍ ରହିଛି। ଆଜି ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗ ଦେଇ କୃଷି, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ) ଓ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଅଧିକ ଋଣ ଦେବାକୁ ଶ୍ର ପୂଜାରୀ ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଚଳିତ ମାସ ୨୨‌ରେ ଏନେଇ ସମସ୍ତ ଜିଲ୍ଲାପାଳ ଓ ବ୍ୟାଙ୍କଗୁଡ଼ିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଆହ୍ବାନ ଦେଇଥିଲେ ତାହାକୁ ଶ୍ରୀ ପୂଜାରୀ ମନେ ପକାଇ ଦେଇଛନ୍ତି। ରାଜ୍ୟର ବାର୍ଷିକ ଋଣ ଯୋଜନାରେ ଏସ୍‌ଏଚ୍‌ଜି ୬୫%, ଏମ୍ଏସ୍‌ଏମ୍ଇ ୬୦% ଓ କୃ‌ଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ୪୬ ପ୍ରତିଶତ ସଫଳତା ପାଇଛନ୍ତି। ଋଣ ଯୋଜନା ଲକ୍ଷ୍ୟ ହାସଲ ଲାଗି ସମସ୍ତ ଉଦ୍ୟମ ହେଲେ ରାଜ୍ୟର ସାମଗ୍ରିକ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୯୦,୩୯୫.୬୯ କୋଟି ଟଙ୍କାର ବାର୍ଷିକ ଋଣ ପ୍ରଦାନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥି ମଧ୍ୟରୁ ନଭେମ୍ବର ୩୦ ସୁଦ୍ଧା ୪୧,୨୨୭.୯୬ କୋଟି ଟଙ୍କା ପ୍ରଦାନ କରାଯାଇଛି ଯାହା ମୂଳ ଲକ୍ଷ୍ୟର ୪୫.୬୧ ପ୍ରତିଶତ ସହ ସମାନ। ମତ୍ସ୍ୟଚାଷ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଅନେକ ସମ୍ଭାବନା ରହିଥିଲେ ମଧ୍ୟ ‌ସେହି କ୍ଷେତ୍ରଗୁଡ଼ିକର ଉନ୍ନତି ହୋଇପାରୁନାହିଁ। ଷ୍ଟାଣ୍ଡ୍‌ଅପ୍‌ ଇଣ୍ଡିଆ ମାର୍ଗଦର୍ଶିକା ଅନୁସାରେ ପ୍ରତିଟି ସିଡ୍ୟୁଲଡ୍‌ ବ୍ୟାଙ୍କ ଅନୁସୂଚିତ ଜନଜାତି/ ଅନୁସୂଚିତ ଜାତିର ଜଣେ ଜଣେ ମହିଳାଙ୍କୁ ଋଣ ଯୋଗାଇ ଦେବାକୁ ଅର୍ଥ ବିଭାଗର ପ୍ରମୁଖ ସଚିବ ଏ କେ ମୀନା କହିଛନ୍ତି। କୃଷି କ୍ଷେତ୍ରରେ ହିତାଧିକାରୀ ଓ ଭାଗଚାଷୀମାନଙ୍କୁ ଚିହ୍ନଟ କରି ଋଣ ଯୋଗାଇ ଦେବା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଓ ବଳାରାମ ଯୋଜନାରେ ଚାଷୀମାନଙ୍କୁ ଋଣ ସହାୟତା ଯୋଗାଇ ଦେବା , ମୁଦ୍ରା ଯୋଜନାରେ ଅଧିକ ହିତାଧିକାରୀଙ୍କୁ ସାମିଲ କରିବା ଏବଂ ଏମ୍ଏସ୍‌ଏମ୍ଇ କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାରେ ଥିବା ଜିଲ୍ଲାଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବାକୁ ବୈଠକରେ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। କୃଷି, ଏସ୍‌ଏଚ୍‌ଜି ଓ ଏମ୍ଏସ୍‌ଏମ୍‌ଇ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାର ପୁରସ୍କୃତ କରିବେ ବୋଲି ବୈଠକରେ କୁହାଯାଇଛି।

ସମ୍ବନ୍ଧିତ ଖବର