ଭୁବନେଶ୍ୱର: ରାଜ୍ୟ ସରକାର ଦେଇଥିବା ସୁଯୋଗର ସଦୁପଯୋଗ କରି ରପ୍ତାନି ବଢ଼ାଇବା ଉପରେ ଧ୍ୟାନ ଦେବାକୁ ବିଭିନ୍ନ ଦେଶର ରାଷ୍ଟ୍ରଦୂତମାନେ ଓଡ଼ିଶାର ରପ୍ତାନିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ରପ୍ତାନି ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ‘ରପ୍ତାନି ନୀତି ଓ ବିଶ୍ୱ ବଜାର ସଂଯୋଗୀକରଣ’ ଶୀର୍ଷକ ପ୍ରଶିକ୍ଷଣ ଅଧିବେଶନରେ ଯୋଗଦେଇ ସେମାନେ କହିଥିଲେ ଯେ ରପ୍ତାନି କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି। ବିଭିନ୍ନ ଦେଶରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ରପ୍ତାନୀ ବୃଦ୍ଧି ଦିଗରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ।
ଏହି ଅବସରରେ ବୁକାରେଷ୍ଟରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମନୋଜ କୁମାର ମହାପାତ୍ର, ସ୍ଲୋଭେନିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅମିତ ନାରଙ୍ଗ, ମାଲଟାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଗ୍ଲୋରିଆ ଗାଙ୍ଗତେ ରପ୍ତାନି ବୃଦ୍ଧିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ରପ୍ତାନିକାରୀମାନେ ବିଭିନ୍ନ ଦେଶର ପ୍ରତିପକ୍ଷଙ୍କ ସହ ଭାବ ବିନିମୟ ବୃଦ୍ଧି କରିବା ପାଇଁ ରାଷ୍ଟ୍ରଦୂତମାନେ ଆହ୍ୱାନ କରିଥିଲେ। ୟୁରୋପ ବଜାରରେ ପ୍ରବେଶ ପାଇଁ ମାଲଟା ଏବଂ ସ୍ଲୋଭେନିଆ ପ୍ରବେଶ ଦ୍ୱାର ହୋଇଥିବାରୁ ଏହାର ଫାଇଦା ଉଠାଇବା ପାଇଁ ସେମାନେ କହିଥିଲେ।
ଆଲୋଚନାକୁ ବିଶ୍ୱ ବାଣିଜ୍ୟ କେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶିକା ନିମେଶିକା ନଟରାଜନ ସଂଚାଳନ କରିଥିଲେ। ରପ୍ତାନି ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର, ଆପେଡା ଆଞ୍ଚଳିକ ମୁଖ୍ୟ ସୀତାକାନ୍ତ ମଣ୍ଡଳ, ଏମ୍ପେଡାର ଉପ-ନିର୍ଦ୍ଦେଶକ ଡକ୍ଟର ଅଚିମାନ ଲାହିରି, ଉତ୍କଳ ଚାମ୍ବର ଅଫ୍ କମର୍ସ୍ ଆଣ୍ଡ ଇଣ୍ଡଷ୍ଟ୍ରିର ଜ୍ଞାନ ମହାନ୍ତି, ଫିକିର ରାଜେନ ପାଢୀ, ଏଫ୍ଆଇଇଓ ଓଡ଼ିଶା ମୁଖ୍ୟ କମଳକାନ୍ତ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ସହକାରୀ ନିର୍ଦ୍ଦେଶକ ଶିଶିର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ମହେଶ ଚୌଧୁରୀ, ଯୁଗ୍ମ ଶାସନ ସଚିବ କମଳଜିତ ଦାସ, ରପ୍ତାନି ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ପ୍ରଭାକର ଦାସ ଉପସ୍ଥିତ ଥିଲେ।