ନୂଆଦିଲ୍ଲୀ: ବୟନ ସାମଗ୍ରୀ ଉପରେ ଜିଏସ୍‌ଟିକୁ ୫%ରୁ ବଢ଼ାଇ ୧୨% କରିବା ଲାଗି ଯେଉଁ ନିଷ୍ପତ୍ତି ନିଆଯାଇଛି ତାହାକୁ ସ୍ଥଗିତ ରଖିବା ଲାଗି ବହୁ ରାଜ୍ୟ ଦାବି କରିଛନ୍ତି। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ୍ ବଜେଟ୍ ଆଲୋଚନା ସମୟରେ ରାଜ୍ୟଗୁଡ଼ିକ ଏହି ଦାବି ଉପସ୍ଥାପନ କରିଛନ୍ତି। ଗୁଜରାଟ, ପଶ୍ଚିମବଙ୍ଗ, ଦିଲ୍ଲୀ, ରାଜସ୍ଥାନ ଓ ତାମିଲନାଡୁ ସରକାର ଜିଏସ୍‌ଟି ବୃଦ୍ଧି ସପକ୍ଷରେ ନଥିବା କହିଛନ୍ତି। ଆସନ୍ତାକାଲି ଜିଏସ୍‌ଟି ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ରାଜ୍ୟଗୁଡ଼ିକ ନିଜ ସ୍ଥିତି ସ୍ପଷ୍ଟ କରିବାକୁ ଉଦ୍ୟମ କରିଛନ୍ତି। କେବଳ ବିଭିନ୍ନ ରାଜ୍ୟ ନୁହେଁ ବ୍ୟବସାୟୀମାନେ ମଧ୍ୟ ବୟନ ସାମଗ୍ରୀ ଉପରେ ଜିଏସ୍‌ଟି ନବଢ଼ାଇବା ଲାଗି ସରକାରଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି।

Advertisment

ବୟନ ସାମଗ୍ରୀ ଉପରେ ଜିଏସ୍‌ଟିକୁ ୧୨% ପର୍ଯ୍ୟନ୍ତ ବୃଦ୍ଧି କରିବା ଜନହିତକର ନୁହେଁ। ଏହି ନିଷ୍ପତ୍ତି ପ୍ରତ୍ୟାହାର ହେବା ଦରକାର। ଯଦି ଜଣେ ସାଧାରଣ ଲୋକ ୧୦୦୦ ଟଙ୍କାର ପୋଷାକ କିଣିବ ତାହା ଉପରେ ୧୨୦ ଟଙ୍କାର ଜିଏସ୍‌ଟି ଗଣିବାକୁ ପଡ଼ିବ। ଦିଲ୍ଲୀ ସରକାର ଏହାର ସମର୍ଥନ କରୁନାହାନ୍ତି ବୋଲି ଦିଲ୍ଲୀର ଅର୍ଥମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି। ତାମିଲନାଡୁର ଅର୍ଥମନ୍ତ୍ରୀ ପି ତ୍ୟାଗ ରାଜନ କହିଛନ୍ତି ଯେ ଆସନ୍ତାକାଲିର ବୈଠକରେ ବହୁ ରାଜ୍ୟ ଏହି ପ୍ରସଙ୍ଗ ଉଠାଇବେ। ଯଦିଓ ଗୁଜରାଟ ଏହି ପ୍ରସଙ୍ଗ ଉଠାଇଛି, କିନ୍ତୁ ବହୁ ରାଜ୍ୟର ତାହାକୁ ସମର୍ଥନ ରହିଥିବା ସେ କହିଛନ୍ତି। ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ସୁଭାଷ ଗର୍ଗ କହିଛନ୍ତି ଯେ ଆସନ୍ତାକାଲିର ଜିଏସ୍‌ଟି ପରିଷଦ ବୈଠକରେ ବୟନ ସାମଗ୍ରୀ ଓ ଜୋତା ଉପରେ ଜିଏସ୍‌ଟି ହାର ବଢ଼ାଇବା ଲାଗି ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଉପରେ ହିଁ ଆଲୋଚନା ହେବ। ତାହାକୁ ପ୍ରତ୍ୟାହାର କରିବା ଲାଗି ରାଜ୍ୟଗୁଡ଼ିକ ଦାବି କରିବେ।

ଜୋତା ଓ ବୟନ ସାମଗ୍ରୀ ଉପରେ ଜିଏସ୍‌ଟିକୁ ୧୨% ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଗତ ସେପ୍ଟେମ୍ବର ୧୭ରେ ହୋଇଥିବା ଜିଏସ୍‌ଟି ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ୨୦୨୨ ଜାନୁଆରିରୁ ଲାଗୁ ହେବ। ତେବେ କପାକୁ ଏହି ନିଷ୍ପତ୍ତି ବାହାରେ ରଖାଯାଇଥିଲା। ଜିଏସ୍‌ଟି ବୃଦ୍ଧିକୁ ପ୍ରତ୍ୟାହାର କରିବା ଲାଗି ପୂର୍ବରୁ ପଶ୍ଚିମବଙ୍ଗର ପୂର୍ବତନ ଅର୍ଥମନ୍ତ୍ରୀ ଅମିତ ମିତ୍ର କେନ୍ଦ୍ର ସରକାରଙ୍କୁ ଅନୁ‌ରୋଧ କରିଥିଲେ। ଜିଏସ୍‌ଟି ହାର ୫%ରୁ ବୃଦ୍ଧି ପାଇ ୧୨% ହେଲେ ୧ ଲକ୍ଷରୁ ଅଧିକ ବୟନ ୟୁନିଟ୍ ବନ୍ଦ ହେବ ଓ ୧୫ ଲକ୍ଷ ଲୋକ ରୋଜଗାର ହରାଇବେ ବୋଲି ସେ କହିଥିଲେ। ତେଲେଙ୍ଗାନାର ଶିଳ୍ପ ମନ୍ତ୍ରୀ କେଟି ରାମା ରାଓ ମଧ୍ୟ ଜିଏସ୍‌ଟି ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର କରିବାକୁ କହିଛନ୍ତି।