ଶ୍ରମିକଙ୍କୁ ରୋଜଗାର ଦେଇ ଅର୍ଥନୀତି ଗତିଶୀଳ କରାଯିବ, ରାଜ୍ୟ ଯୋଜନା ବୋର୍ଡ ବୈଠକ

ଭୁବନେଶ୍ବର: ରାଜ୍ୟ ଏବେ କରୋନା ମହାମାରୀକୁ ମୁକାବିଲା କରୁଛି। କରୋନା ବେଳେ ସରକାରଙ୍କ ପାଇଁ ସମସ୍ୟା ଓ ଆହ୍ବାନର ରୂପରେଖ ସମ୍ପୂର୍ଣ୍ଣ ବଦଳିଯାଇଛି। ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ଫେରୁଛନ୍ତି। ତେଣୁ ପ୍ରବାସୀ ଶ୍ରମିକଙ୍କ ପାଇଁ କିଭଳି ଅଧିକ କାର୍ଯ୍ୟଦିବସ ସୃଷ୍ଟି କରାଯାଇ ସେମାନଙ୍କୁ ରୋଜଗାର ‌ଯୋଗାଇ ଦିଆଯିବ ଏବଂ ରାଜ୍ୟର ଅର୍ଥନୀତିକୁ ଗତିଶୀଳ କରାଯାଇ ପାରିବ ସେଥିପାଇଁ ବିଭିନ୍ନ ସରକାରୀ ବିଭାଗମାନଙ୍କର ସମନ୍ବିତ ଉଦ୍ୟମର ଆବଶ୍ୟକତା ରହିଛି।

ଆଜି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ତଥା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ମତ ପ୍ରକାଶ ପାଇଛି। ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଓ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ବିଭାଗ ଗୁଡ଼ିକ ସେମାନଙ୍କ ବଜେଟ୍‌ ଅର୍ଥକୁ ରୋଡମ୍ୟାପ୍ ଅନୁଯାୟୀ ବ୍ୟୟ କରିବେ ଏବଂ ତାର ଉପଯୁକ୍ତ ଉପଯୋଗ କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ବାରୋପ କରିଛନ୍ତି। ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ବିଭିନ୍ନ ବିଭାଗ, ଅଂଶଧାରୀ, ତୃଣମୂଳ ସ୍ତରର ସମସ୍ୟା ଓ ରାଜ୍ୟବାସୀ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ପ୍ରତି ଯତ୍ନଶୀଳ ହୋଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ସେ କହିଛନ୍ତି। ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସଂପୃକ୍ତ ବିଭାଗମାନେ ଆଜିର ବୈଠକ ବିବରଣୀ ପାଇବାର ୭ ଦିନ ମଧ୍ୟରେ ସେମାନଙ୍କ କାର୍ଯ୍ୟକ୍ରମ ରିପୋର୍ଟ ଯୋଜନା ଓ ସଂଯୋଜନ ବିଭାଗରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଲୋକମାନଙ୍କର କ୍ରୟଶକ୍ତି ବୃଦ୍ଧି ନିମନ୍ତେ ରୋଜଗାର ସୃଷ୍ଟି ଓ ଅଧିକ ଶ୍ରମଦିବସ ସୃଷ୍ଟି ଓ କମ୍ ସମୟ ମଧ୍ୟରେ ଶେଷ ହୋଇ ପାରୁଥିବା ତଥା ରୋଜଗାର ସୃଷ୍ଟିକାରୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବାରୋପ କରିଥିଲେ। ଆଜିର ବୈଠକରେ ବିଭିନ୍ନ ବିଭାଗର ସଚିବ ଓ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀଜିତ୍ ମିଶ୍ର ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର