ରାଜ୍ୟ ଯୋଜନା ବୋର୍ଡ ବୈଠକ, ଅର୍ଥନୀତି ପାଇଁ ମାନସମନ୍ଥନ ଆରମ୍ଭ

ବିଭିନ୍ନ ବିଭାଗର ସଚିବଙ୍କ ସହ ବୈଠକ ହେବ, ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ରିପୋର୍ଟ ତିଆରି କରିବ

ଭୁବନେଶ୍ବର: କରୋନା ମହାମାରୀ ପରିପ୍ରେକ୍ଷୀରେ ଏବଂ ଏହାର ପରବର୍ତୀ ସମୟରେ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ଲାଗି ଚାରିଟି କ୍ଷେତ୍ର ଉପରେ ବିସ୍ତୃତ ତର୍ଜମା କରାଯିବ। ସେହି ଅନୁସାରେ କ୍ରିୟାନ୍ବୟନ କରିବା ଲାଗି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ଆଜି ରାଜ୍ୟ ‌‌ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଚୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏନେଇ ଆଲୋଚନା କରାଯାଇଛି। ଗୁରୁତ୍ବ ରଖୁଥିବା କ୍ଷେତ୍ରଗୁଡ଼ିକର ସଚିବ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ତରଫରୁ ରିପୋର୍ଟ ପ୍ରସ୍ତୁତ କରାଯିବ। ଏଥିପାଇଁ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁମତି ମଗାଯାଇଥିଲା। ସେ ଏହି ପ୍ରସ୍ତାବକୁ ମଞ୍ଜୁର କରିବା ସହିତ ଆନୁଷଙ୍ଗିକ ବିଭାଗର ସଚିବମାନଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି। ପ୍ରବାସୀ ଶ୍ରମିକଙ୍କୁ କିଭଳି କର୍ମନିଯୁକ୍ତି ଯୋଗାଇ ଦିଆଯାଇପାରିବ ଏବଂ ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରି କିଭଳି ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ସେ ଉପରେ ଧ୍ୟାନ ଦେବାକୁ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି।

ଆଗାମୀ ଦିନରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଦ୍ୟାନ କୃଷି, ସମବାୟ, ପଞ୍ଚାୟତିରାଜନ ଓ ପାନୀୟ ଜଳ, ଶିଳ୍ପ, ଏମ୍ଏସ୍‌ଏମ୍ଇ, ପର୍ଯ୍ୟଟନ, ଜଳ ସମ୍ପଦ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା‌, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ହସ୍ତତନ୍ତ ଓ ବୟନ ଶିଳ୍ପ, ହସ୍ତଶିଳ୍ପ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଅର୍ଥ, ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବିକାଶ ବିଭାଗର ସଚିବମାନଙ୍କୁ ନେଇ ଉଚ୍ଚ ସ୍ତରୀୟ ବୈଠକ ଆୟୋଜନ କରାଯିବ। ସେହି ବୈଠକଗୁଡ଼ିକର ନିର୍ଯ୍ୟାସକୁ ନେଇ ‘ରାଜ୍ୟ ଅର୍ଥନୀତିକୁ ଗତିଶୀଳ ଓ ସୁପରିଚାଳନା’ ନେଇ ସଠିକ୍ ମାର୍ଗଦର୍ଶନ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଆଜିର ବୈଠକରେ ଯୋଜନା ଓ ସଂଯୋଜନ ବିଭାଗର ସ୍ବତନ୍ତ୍ର ସଚିବ ଗୋପବନ୍ଧୁ ଶତପଥୀ ଓ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ନିର୍ଦେଶକ ପ୍ରଫେସର ଶ୍ରୀଜିତ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର