ରାଜ୍ୟ ରାଜସ୍ବ ୪୦% କମିପାରେ, ଋଣ ଉପରେ ରହିଥିବା ସର୍ତ୍ତ ହଟାଇବାକୁ ଦାବି

ଓଡ଼ିଶାର ଅଭିବୃଦ୍ଧି -୯.୧ ପ୍ରତିଶତ ହେବ

ଭୁବନେଶ୍ବର: କରୋନା ସଙ୍କଟ ପ୍ରଭାବରେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ରାଜସ୍ବ ୨୫ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିବାର ଆଶଙ୍କା ରହିଛି। ‘ଓଡ଼ିଶା ଆଲୋଚନାଚକ୍ର’ ତରଫରୁ ଆୟୋଜିତ ଏକ ୱେବିନାରରେ ଭାଗ ନେଇଥିବା ଅର୍ଥନୀତିଜ୍ଞ ଓ ପୂର୍ବତନ ପ୍ରଶାସକମାନେ ଏଭଳି ଆକଳନ କରିଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ଋଣ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଏହା ଜରିଆରେ ପ୍ରବାସୀ ଶ୍ରମିକଙ୍କ ଆବଶ୍ୟକତା ପୂରଣ କରାଯାଇପାରିବ ଏବଂ ସ୍ବାସ୍ଥ୍ୟ ସେବାରେ ଖର୍ଚ୍ଚ ବଢ଼ାଇବା ସହ କଲ୍ୟାଣମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ଜାରି ରଖାଯାଇପାରିବ ବୋଲି ସେମାନେ କହିଛନ୍ତି। ଏହି ୱେବିନାରରେ ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ ଯୁଗଳ କିଶୋର ମହାପାତ୍ର, ଏନ୍‌ଆଇପିଏଫ୍‌ପିର ପୂର୍ବତନ ପ୍ରଫେସର ଡକ୍ଟର ତାପସ ସେନ୍, ଅକ୍ସଫାମ୍ ଇଣ୍ଡିଆର ପବ୍ଲିକ୍‌ ଫାଇନାନ୍ସ ଆନାଲିଷ୍ଟ୍‌ ଡକ୍ଟର ପ୍ରଭାସ ମିଶ୍ର, ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ ଅଂଶଗ୍ରହଣ କରି ଅର୍ଥନୀତି ଉପରେ କୋଭିଡ୍‌-୧୯ ପ୍ରଭାବର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି।

ଅଧିକ ୨୨ ହଜାର କୋଟି ଋଣ କରିବା ସୁଯୋଗ

ଅକ୍ସଫାମ୍ ଇଣ୍ଡିଆର ଡକ୍ଟର ମିଶ୍ର କହିଛନ୍ତି, ଏପ୍ରିଲ୍‌-ଜୁନ୍‌ ଅବଧିରେ ଅର୍ଥନୈତିକ କାର୍ଯ୍ୟକଳାପ ଏକପ୍ରକାର ବନ୍ଦ ରହିଥିବାରୁ ଚଳିତ ବର୍ଷ ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ୬୦% ରାଜସ୍ବ ହିଁ ଆଦାୟ ହୋଇପାରିବ। ଯଦି ବର୍ଷତମାମ ସ୍ଥିତିରେ ସୁଧାର ନହେବ ତେବେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୪୯,୬୦୦ କୋଟି ଟଙ୍କା କମ୍ ରାଜସ୍ବ ଆୟ ହେବ। ଯଦି ଆସନ୍ତା ‌ଅକ୍ଟୋବର-ଡିସେମ୍ବର ସୁଦ୍ଧା ସ୍ଥିତି ସୁଧୁରିବ ତେବେ ରାଜସ୍ବ ଆଦାୟ ୨୫% ପ୍ରଭାବିତ ହେବ। ଅର୍ଥାତ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୧୭,୦୦୦ ହଜାର କୋଟି ଟଙ୍କା କମ୍ ରାଜସ୍ବ ଆଦାୟ ହେବ। ଯଦି ୨୦୨୧ ଜାନୁଆରି-ମାର୍ଚ୍ଚରେ ସ୍ଥିତି ସୁଧୁରିବ ତେବେ ଅତିକମ୍‌ରେ ୪୦% ଟିକସ ଆଦାୟ ପ୍ରଭାବିତ ହେବ। ଅର୍ଥାତ ଟିକସ ଆଦାୟ ୪୦ ହଜାର କୋଟି ଟଙ୍କା କମ୍ ହେବ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧,୨୪,୦୦୦ କୋଟି ଟଙ୍କାର ରାଜସ୍ବ ଆଦାୟ କରିବାକୁ ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଡକ୍ଟର ସେନ୍ କହିଛନ୍ତି, କେନ୍ଦ୍ରରୁ ଠିକ୍ ସମୟରେ ଅର୍ଥ ନଆସିଲେ ସ୍ଥିତି ଆହୁରି ଗମ୍ଭୀର ହେବ। ଏମ୍‌ଜିନରେଗା ଓ କେତେକ ସ୍ବାସ୍ଥ୍ୟ ଯୋଜନା ପାଇଁ ସ୍ବାଭାବିକ ଭାବେ ପାଣ୍ଠି ଆସିବ। କିନ୍ତୁ ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକୁ ଉପଯୁକ୍ତ ପରିମାଣର ପାଣ୍ଠି ମିଳିନପାରେ। କେନ୍ଦ୍ରରୁ ମିଳିବାକୁ ଥିବା ଅନୁଦାନ ରାଶି ପହଞ୍ଚିବାରେ ବିଳମ୍ବ ପରିଲକ୍ଷିତ ହୋଇଛି। ଯଦି ଓଡ଼ିଶା ଭଳି ରାଜ୍ୟର ନିଜସ୍ବ ଟିକସ ଉତ୍ସ ନଥିବ ତେବେ ସେମାନଙ୍କୁ ଦ୍ବେତ ଧକ୍କା ଲାଗିବ ବୋଲି ସେ କହିଛନ୍ତି। ପୂର୍ବତନ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, ସଠିକ୍ ମାର୍ଗରେ ସରକାରଙ୍କୁ ଋଣ ଅର୍ଥ ବିନିଯୋଗ କରିବାକୁ ହେବ ଯଦ୍ବାରା ରାଜ୍ୟର ଅଭିବୃଦ୍ଧି ପୁଣି ଥରେ ଦ୍ରୁତ ଗତିର ପଥକୁ ଫେରିପାରିବ। ଏହା ହେଲେ ରାଜ୍ୟ ଠିକ୍ ସମୟରେ ଋଣ ପରିଶୋଧ କରିପାରିବ। ରାଜ୍ୟ ସରକାରଙ୍କ ପାଖରେ ଥିବା ଡେବଟ୍‌ ରିଡେମ୍ପସନ୍ ଫଣ୍ଡ୍‌ରେ ପ୍ରାୟ ୧୨,୦୦୦ କୋଟି ଟଙ୍କା ପଡ଼ି ରହିଛି। ରିଜର୍ଭ ବ୍ୟାଙ୍କ ଋଣ ସୀମାକୁ ଜିଏସ୍‌ଡିପିର ୫% ପର୍ଯ୍ୟନ୍ତ ବଢ଼ାଇଥିବାରୁ ରାଜ୍ୟ ସରକାରଙ୍କ ପାଖରେ ଆଉ ୨୨ ହଜାର କୋଟି ଟଙ୍କାର ଋଣ କରିବାର ବିକଳ୍ପ ରହିଛି ବୋଲି ସେ କହିଛନ୍ତି। ରିଜର୍ଭ ବ୍ୟାଙ୍କରୁ ଋଣ ନେବାର ସୀମା ବୃଦ୍ଧି ଉପରେ କେନ୍ଦ୍ର ଯେଉଁ ସର୍ତ୍ତ ରଖିଛି ତାହା ହଟାଇବା ଲାଗି ସାଂସଦ ଶ୍ରୀ ମହତାବ ଦାବି କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ରେଳବାଇ ପାଖରେ ପଡ଼ିରହିଥିବା ଜମିର ବ୍ୟବହାର କରିବା ଉପରେ କେନ୍ଦ୍ର ବିଚାର କରିବା ଉଚିତ ବୋଲି ସେ କହିଛନ୍ତି। ରାଜ୍ୟଗୁଡ଼ିକର ନିଜସ୍ବ ରାଜସ୍ବ ବୃଦ୍ଧି କ୍ଷମତାକୁ କେନ୍ଦ୍ର ସଙ୍କୁଚିତ କରୁଥିବାରୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି। କେନ୍ଦ୍ର ଉପରେ କମ୍ ନିର୍ଭର କରି ନିଜ ରାଜସ୍ବ କିଭଳି ବଢ଼ାଇ ହେବ ତାହା ଉପରେ ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି।

ଓଡ଼ିଶାର ପୁନରୁତ୍‌ଥାନ ପାଇଁ ନକ୍ସା ତିଆରି କରିବା ଲାଗି ଆୟୋଜନ କରାଯାଉଥିବା ୱେବିନାର୍‌ର ସପ୍ତମ ସିରିଜ୍‌ରେ ବକ୍ତାମାନେ ଯେଉଁ ପ୍ରସ୍ତାବଗୁଡ଼ିକ ଦେଇଛନ୍ତି ତାହାକୁ ସରକାର ଓ ଅନ୍ୟ ଅଂଶୀଦାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ଓଡ଼ିଶା ଆଲୋଚନାଚକ୍ରର ପ୍ରତିଷ୍ଠାତା ଡକ୍ଟର ରାଜେଶ ମହାପାତ୍ର କହିଛନ୍ତି।

ଓଡ଼ିଶାର ଅଭିବୃଦ୍ଧି -୯.୧ ପ୍ରତିଶତ ହେବ
ନୂଆଦିଲ୍ଲୀ: ଲକ୍‌ଡାଉନ୍ ପ୍ରଭାବରେ ରାଜ୍ୟଗୁଡ଼ିକର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ବଡ଼ ଧରଣର ହ୍ରାସ ଘଟିବ। ଯେଉଁ ପାଞ୍ଚଟି ରାଜ୍ୟର ଜିଡିପି ଗୁରୁତର ଭାବେ ପ୍ରଭାବିତ ହେବ ସେହି ତାଲିକାରେ ଓଡ଼ିଶାର ନାମ ରହିଛି। ଓଡ଼ିଶାର ଜିଏସ୍‌ଡିପିରେ -୯.୧ ପ୍ରତିଶତ ହେବ। ଇଣ୍ଡିଆ ରେଟିଙ୍ଗସ୍‌ ଆଣ୍ଡ୍‌ ରିସର୍ଚ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଚଳିତ ଆର୍ଥିକ ବର୍ଷରେ କର୍ଣ୍ଣାଟକ, ଝାଡ଼ଖଣ୍ଡ, ତାମିଲନାଡୁ, କେରଳ ଓ ଓଡ଼ିଶାର ଜିଡିପି ଗୁରୁତର ଭାବେ ପ୍ରଭାବିତ ହେବ। ଏହି ରାଜ୍ୟଗୁଡ଼ିକ ତୁଳନାରେ ମଧ୍ୟପ୍ରଦେଶ, ପଞ୍ଜାବ, ବିହାର, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶର ଅର୍ଥନୀତି କମ୍ ପ୍ରଭାବିତ ହେବ। ଚାରିଟି ରାଜ୍ୟର ଜିଡିପିରେ ଦୁଇ ଅଙ୍କ ବିଶିଷ୍ଟ ହ୍ରାସ ଘଟିବ। ପ୍ରାୟ ସବୁ ରାଜ୍ୟଗୁଡ଼ିକର ଜିଡିପି ୧.୪%ରୁ ଆରମ୍ଭ କରି ୧୪.୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ। ଗୋଆ ସର୍ବାଧିକ ପ୍ରଭାବିତ ହେବ। ଗୁଜରାଟର ଅର୍ଥନୈତିକ ଅଭିବୃଦ୍ଧି ୧୨.୪ ପ୍ରତିଶତ, ସିକିମ୍‌ର ୧୦.୯ ପ୍ରତିଶତ ଓ ଆସାମର ୧୦.୭ ପ୍ରତିଶତ ହ୍ରାସ ପାଇବ। ଲକ୍‌ଡାଉନ୍ ସମୟରେ କୃଷି କ୍ଷେତ୍ର କମ୍ ପ୍ରଭାବିତ ହୋଇଛି। ତେଣୁ ଯେଉଁ ରାଜ୍ୟଗୁଡ଼ିକର ଅର୍ଥନୀତିରେ କୃଷିର ଭାଗ ଅଧିକ ରହିଛି ସେମାନେ କମ୍ ପ୍ରଭାବିତ ହେବେ। ଦେଶର ଅଭିବୃଦ୍ଧି ହାର -୫.୨ ପ୍ରତିଶତ ହେବ ବୋଲି ଇଣ୍ଡିଆ ରେଟିଙ୍ଗସ୍ ଏହାର ରିପୋର୍ଟରେ ଜଣାଇଛି।

ସମ୍ବନ୍ଧିତ ଖବର