ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ରାଜ୍ୟଗୁଡ଼ିକର ଷ୍ଟାର୍ଟଅପ୍ ରୢାଙ୍କିଙ୍ଗ୍ ଜାରି କରିଛନ୍ତି। ଓଡ଼ିଶା ଏଥିରେ ଲିଡର୍ସ ରାଜ୍ୟ ବର୍ଗରେ ସ୍ଥାନ ପାଇଛି। ବିହାର, ମହାରାଷ୍ଟ୍ର ଓ ରାଜସ୍ଥାନ ସହିତ ଏହି ବର୍ଗରେ ଓଡ଼ିଶା ରହିଛି। ଗୁଜରାଟ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ହୋଇଥିବା ବେଳେ ପ୍ରମୁଖ ପ୍ରଦର୍ଶନକାରୀ ରାଜ୍ୟ ତାଲିକାରେ କର୍ଣ୍ଣାଟକ ଓ କେରଳ ନାମ ରହିଛି। ଆସ୍ପାୟାରିଂ ଲିଡର ବର୍ଗରେ ହରିଆନା, ଝାଡ଼ଖଣ୍ଡ, ପଞ୍ଜାବ, ତେଲେଙ୍ଗାନା ଓ ଉତ୍ତରାଖଣ୍ଡର ନାମ ରହିଛି। ଉଦୀୟମାନ ଷ୍ଟର୍ଟଅପ୍ ବ୍ୟବସ୍ଥା ବର୍ଗରେ ଅନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ଼, ଦିଲ୍ଲୀ, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ, ତାମିଲନାଡୁ ଓ ଉତ୍ତରପ୍ରଦେଶ ନାମ ରହିଛି।
ସାତଟି ପ୍ରମୁଖ ମାନଦଣ୍ଡରେ ଆଗରେ ଥିବା ରାଜ୍ୟଗୁଡ଼ିକର ନାମ ମଧ୍ୟ ଜାରି କରାଯାଇଛି। ସଂସ୍ଥାଗତ ନେତୃତ୍ବରେ କର୍ଣ୍ଣାଟକ, କେରଳ ଓ ଓଡ଼ିଶାର ନାମ ରହିଛି। ସେହିପରି ନିୟାମକ ପରିବର୍ତ୍ତନ ଚାମ୍ପିଆନ୍ ମାନଦଣ୍ଡରେ କର୍ଣ୍ଣାଟକ, କେରଳ, ଓଡ଼ିଶା ଓ ଉତ୍ତରାଖଣ୍ଡର ନାମ ରହିଛି। ଅନ୍ୟ ପାଞ୍ଚଟି ମାନଦଣ୍ଡ ଯଥା ପ୍ରକ୍ୟୁରମେଣ୍ଟ୍ ଲିଡର୍ସ, ଇନ୍କୁବେସନ ହବସ୍, ସିଡିଂ ଇନୋଭେସନ୍ ଲିଡର୍ସ, ସ୍କେଲିଂ ଇନୋଭେସନ ଲିଡର୍ସ ଓ ସଚେତନତା ମାନଦଣ୍ଡରେ ପ୍ରମୁଖ ପ୍ରଦର୍ଶନ କରିଥିବା ରାଜ୍ୟଗୁଡ଼ିକ ଭିତରେ ଓଡ଼ିଶାର ନାମ ନାହିଁ। କେନ୍ଦ୍ର ଶିଳ୍ପ ପ୍ରସାର ଓ ଆଭ୍ୟନ୍ତରୀଣ ବ୍ୟାପାର ବିଭାଗ (ଡିପିଆଇଆଇଟି) ପକ୍ଷରୁ ରାଜ୍ୟଗୁଡ଼ିକର ଷ୍ଟାର୍ଟଅପ୍ ରୢାଙ୍କିଙ୍ଗ୍କୁ ଆଜି କେନ୍ଦ୍ର ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ୍ ଉନ୍ମୋଚନ କରିଛନ୍ତି। ସଂସ୍ଥାଗତ ସହାୟତା ସହଜ ନିୟମ ପାଳନ ବ୍ୟବସ୍ଥା, ସରକାରୀ ପ୍ରକ୍ୟୁରମେଣ୍ଟ୍ ନିୟମରେ କୋହଳ, ଇନ୍ବୁକେସନ (ଉଷ୍ମାୟନ) ସହାୟତା, ସିଡ୍ ଫଣ୍ଡିଂ ସହାୟତା, ଭେଞ୍ଚର ଫଣ୍ଡିଂ ସହାୟତା ଏବଂ ସଚେତନତା ଭଳି ୩୦ ପ୍ରକାର ବିଷୟ ଜଡ଼ିତ ଥିବା ୭ଟି ପ୍ରମୁଖ ସଂସ୍କାର କ୍ଷେତ୍ରକୁ ବିଚାରକୁ ନେଇ ରାଜ୍ୟଗୁଡ଼ିକର ଷ୍ଟାର୍ଟଅପ୍ ବ୍ୟବସ୍ଥା ରୢାଙ୍କିଙ୍ଗ୍ ଧାର୍ଯ୍ୟ କରାଯାଇଛି। ରୢାଙ୍କିଙ୍ଗ୍ର ଏହା ହେଉଛି ଦ୍ବତୀୟ ସଂସ୍କରଣ। ଏଥର ରିପୋର୍ଟରେ ରୢଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ଅଲଗା ଅଲଗା ରୢାଙ୍କ୍ ଜାରି କରାଯାଇଛି। ରୢାଙ୍କିଙ୍ଗ୍ ପ୍ରସ୍ତୁତିରେ ୨୨ଟି ରାଜ୍ୟ ଓ ତିନିଟି କେନ୍ଦ୍ର ଶାସିତ ଅଞ୍ଚଳକୁ ବିଚାରକୁ ନିଆଯାଇଥିଲା। ୧୧ ପ୍ରକାର ଭାଷାକୁ ବ୍ୟବହାର କରି ବିଭିନ୍ନ ହିତାଧିକାରୀଙ୍କୁ ୬୦,୦୦୦ରୁ ଅଧିକ ଫୋନ୍ କଲ୍ କରାଯାଇଥିଲା। ବିଶେଷଜ୍ଞ କମିଟି ସେହି ଫୋନ୍ କଲ୍ର ମତାମତ ଏବଂ ଅନ୍ୟାନ୍ୟ ବିଷୟ ବିଚାରକୁ ନେଇ ରୢାଙ୍କ୍ ପ୍ରସ୍ତୁତ କରିଥିଲେ। ରାଜ୍ୟଗୁଡ଼ିକର ରୢାଙ୍କ୍କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ, ପ୍ରମୁଖ ପ୍ରଦର୍ଶନକାରୀ, ଲିଡର୍ସ, ଆସ୍ପାୟାରିଂ ଡିଲର୍ସ ଏବଂ ଇମର୍ଜିଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଭଳି ପାଞ୍ଚଟି ବର୍ଗରେ ପ୍ରକାଶ କରାଯାଇଛି। ଏହି ଅବସରରେ ଡିପିଆଇଆଇଟିର ସଚିବ ଡକ୍ଟର ଗୁରୁପ୍ରସାଦ ମହାପାତ୍ର କହିଛନ୍ତି ଯେ ଷ୍ଟାର୍ଟଅପ୍ ବ୍ୟବସ୍ଥା ପାଇଁ ଦେଶରେ ଚାରି ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି।