ରାଜ୍ୟର ଟିକସ ଭାଗ କମିବ

ଜିଏସ୍‌ଟି ପରେ ଟିକସ ଭାଗବଣ୍ଟା

ପୂର୍ବତନ ଆର୍‌ବିଆଇ ଗଭର୍ଣ୍ଣରଙ୍କ ମତ
ନୂଆଦିଲ୍ଲୀ: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ପ୍ରଚଳନ ହେବା ପରେ ରାଜ୍ୟଗୁଡ଼ିକର ଟିକସ ଭାଗ ପରିମାଣ କମିଥିବା ବୋଲି ଆଶଙ୍କା ପ୍ରକଟ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ଓ୍ଵାଇ ଭି ରେଡ୍ଡି କହିଛନ୍ତି। ସେ କହିଛନ୍ତି ଯେ ଜିଏସ୍‌ଟି ପୂର୍ବରୁ ରାଜ୍ୟଗୁଡ଼ିକ ଟିକସ ଭାଗ ଭାବେ ଯେତିକି ଟଙ୍କା ପାଉଥିଲେ ଜିଏସ୍‌ଟି ପରେ ତା’ଠାରୁ କମ୍‌ ପାଉଥିବେ। ଏ ବିଷୟରେ ଅର୍ଥ କମିସନ ଏବଂ ଜିଏସ୍‌ଟି ପରିଷଦ ଗୁରୁତ୍ୱ ସହିତ ବିଚାର କରିବା ଦରକାର ବୋଲି ସେ କହିଛନ୍ତି।

ପରୋକ୍ଷ ଟିକସ ବିଷୟରେ ଆଲୋଚନା କରି ସେ କହିଛନ୍ତି ଜିଏସ୍‌ଟି ପୂର୍ବରୁ ଏହି ସବୁ ଟିକସ ବାବଦରେ କେତେ ଟଙ୍କା ଆଦାୟ ହେଉଥିଲା ଏବଂ ଜିଏସ୍‌ଟି ଲାଗୁ ହେବା ପରେ କେତେ ଆଦାୟ ହେଉଛି ତାହା ପ୍ରଥମେ ହିସାବ କରାଯିବା ଦରକାର। ପୂର୍ବରୁ ରାଜ୍ୟଗୁଡ଼ିକ ମୋଟ ଟିକସର ୬୦% ଏବଂ କେନ୍ଦ୍ର ୪୦% ଟିକସ ପାଉଥିଲା। ଏବେ ତାହା ୫୦%-୫୦% କରାଯାଇଛି। ମାତ୍ର ଟିକସ ଲାଗୁ କରିବା କ୍ଷେତ୍ରରେ ରାଜ୍ୟଗୁଡ଼ିକର କ୍ଷମତା ସଙ୍କୁଚିତ ହୋଇଛି। ଯେତେ ସବୁ ସେସ୍‌ ଲାଗୁ କରାଯାଇଛି ସେ ବାବଦରେ ଯାହା ଅର୍ଥ ଆଦାୟ ହେବ ତାହା ସମ୍ପୂର୍ଣ୍ଣ ରୂପେ କେନ୍ଦ୍ର ନେଇଯିବ। ରାଜ୍ୟଗୁଡ଼ିକ ସେଥିରୁ ଟଙ୍କାଟିଏ ବି ପାଇବେ ନାହିଁ। ଅନ୍ୟ ପକ୍ଷରେ ଆୟକର ଭଳି ଟିକସ ଲାଗୁ କରିବାର କ୍ଷମତା ମଧ୍ୟ ରାଜ୍ୟଗୁଡ଼ିକ ପାଖରେ ନାହିଁ। ଏହି ଭଳି ଭାବେ ରାଜ୍ୟଗୁଡ଼ିକ ଭାଗରେ ୪୨% ଟିକସ ପଡୁଛି ବୋଲି ସେ କହିଛନ୍ତି।

ଚର୍ତୁଦଶ ଅର୍ଥ ଆୟୋଗର ମୁଖ୍ୟ ଥିଲେ ଶ୍ରୀ ରେଡ୍ଡି। ସେ ମୋଟ ଟିକସରେ ଭାଗ୍ୟଗୁଡ଼ିକର ଭାଗକୁ ୩୨%ରୁ ବଢ଼ାଇ ୪୨% କରିଥିଲେ। ପଞ୍ଚଦଶ ଅର୍ଥ ଆୟୋଗ ଗଠନ କରିବା ବିଷୟରେ ସରକାର ଘୋଷଣା କରିଛନ୍ତି। ଜିଏସ୍‌ଟି ପରବର୍ତି ପରିସ୍ଥିତି ବିଚାରକୁ ନେଇ ଏହି ଆୟୋଗ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଟିକସ ଭାଗବଣ୍ଟାର ଫର୍ମୁଲା ସ୍ଥିର କରିବ।

ଶ୍ରୀ ରେଡ୍ଡି କହିଛନ୍ତି ଯେ ଅର୍ଥ ଆୟୋଗ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ବହୁ ବର୍ଷ ପୁରୁଣା ଜନସଂଖ୍ୟା ତଥ୍ୟକୁ ନେଇ ଫର୍ମୁଲା ପ୍ରସ୍ତୁତ କରିବା। ୧୯୭୧ର ଜନସଂଖ୍ୟା ତଥ୍ୟକୁ ନେଇ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଚର୍ଦୁଦଶ ଅର୍ଥ ଆୟୋଗଙ୍କୁ କୁହାଯାଇଥିଲା। ଜଣେ ଏବେ ପୁରୁଣା ତଥ୍ୟ ନେଇ କିଭଳି ଆଜିର ଆବଶ୍ୟକତା ବିଷୟରେ ରିପୋର୍ଟ ପ୍ରସ୍ତୁତ କରିପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ପଶ୍ଚଦଶ ଅର୍ଥ ଆୟୋଗଙ୍କୁ ଏଭଳି ପରିସ୍ଥିତି ସାମ୍ନା କରିବାକୁ ନପଡୁୁ ବୋଲି ସେ କହିଛନ୍ତି।

ରେଟିଂ ଏଜେନ୍‌ସି ମୁଡିସ୍‌ ଏବଂ ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ସ ଭାରତକୁ ପ୍ରଦାନ କରିଥିବା ରେଟିଂ ବିଷୟରେ ତାଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ, ପୂର୍ବରୁ ସରକାର ଭାବୁଥିଲେ ପ୍ରଦର୍ଶନକୁ କମ୍‌ ଭାବେ ଆକଳନ କରି ରେଟିଂ ଦିଆଯାଉଛି। ଏବେ କୁହାଯାଉଛି ସେମାନେ ପ୍ରଦର୍ଶନକୁ ବଢ଼ାଇ ଚଢ଼ାଇ ରେଟିଂ ଦେଉଛନ୍ତି। ଉଭୟ କଥାରୁ ଏହା ଜଣାପଡୁଛି ଯେ ସେମାନେ ଠିକ ରେଟଂ ଦେଉନାହାନ୍ତି।

ସମ୍ବନ୍ଧିତ ଖବର