ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବଦେଶୀ ଆହ୍ବାନରେ ଅନୁପ୍ରାଣିତ ହୋଇ କେନ୍ଦ୍ର ମନ୍ତ୍ରୀମାନେ ବିଦେଶୀ ଇମେଲ୍‌ ଓ ସଫ୍ଟୱେର୍‌ ପରିହାର କରି ସ୍ବଦେଶୀ ଜୋହୋ ମେଲ୍‌କୁ ଆପଣାଇଛନ୍ତି। ଆଗାମୀ ଦିନରେ ରାଜ୍ୟ ସରକାରମାନେ ମଧ୍ୟ ସ୍ବଦେଶୀ ଇମେଲ୍‌ ବ୍ୟବହାର କରିବେ ବୋଲି ଜଣାପଡ଼ିଛି। ଗୁଜରାଟ ସରକାର ଜୋହୋ ମେଲ୍‌ ବ୍ୟବହାର ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ସେଭଳି ପଦକ୍ଷେପ ନେବା ଆଶା କରାଯାଉଛି। ପୂର୍ବରୁ ନ୍ୟାସନାଲ୍ ଇନ୍‌ଫର୍ମେଟିକ୍ସ ସେଣ୍ଟର (ଏନ୍‌ଆଇସି) ଇମେଲ୍ ବ୍ୟବହାର କରୁଥିବା ୧୨ ଲକ୍ଷ କର୍ମଚାରୀ ଜୋହୋ ମେଲ୍‌କୁ ଗ୍ରହଣ କରିଛନ୍ତି। 

Advertisment

ଏ ସମ୍ପର୍କରେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଜୋହୋ ମେଲ୍ କାର୍ଯ୍ୟକାରୀ କରିବାକୁ ତିନି ବର୍ଷ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ପ୍ରଥମେ ମନ୍ତ୍ରଣାଳୟଗୁଡ଼ିକରେ ତାହାକୁ କାର୍ଯ୍ୟକାରୀ କରାଯାଇଥିଲା। ଅଢ଼େଇ ବର୍ଷ ପୂର୍ବେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ତାହାକୁ ଗ୍ରହଣ କରିଥିଲା। ତା’ପରେ ରେଳବାଇ ଏବଂ ସୂଚନା ଓ ପ୍ରସାରଣ ବିଭାଗରେ ଜୋହୋ ମେଲ୍ କାର୍ଯ୍ୟକାରୀ କରାଯାଇଥିଲା। ପରବର୍ତ୍ତୀ ସମୟରେ କର୍ମଚାରୀମାନେ ସେଥିରେ ସାମିଲ ହୋଇଥିଲେ। ଗୁଗଲ୍‌ ଡକ୍ସ, ମାଇକ୍ରୋସଫ୍ଟ ୱାର୍ଡ, ଏକ୍‌ସେଲ୍‌ ଓ ପାୱାର ପଏଣ୍ଟ୍‌ ଭଳି ବିଦେଶୀ କମ୍ପାନିର ଟୁଲ୍‌ସ ବଦଳରେ କର୍ମଚାରୀମାନେ ଜୋହା ପ୍ରସ୍ତୁତ କରିଥିବା ସ୍ବଦେଶୀ ସଫ୍ଟୱେର୍‌କୁ ବ୍ୟବହାର କରୁଛନ୍ତି। ତେବେ ଜୋହୋ ମେଲ୍‌କୁ ସରକାର ଅକସ୍ମାତ ଗ୍ରହଣ କରିନାହାନ୍ତି। ଗୁଗଲ୍‌ ଓ ମାଇକ୍ରୋସଫ୍ଟର ସୁରକ୍ଷା ମାନଦଣ୍ଡଠାରୁ ଆଗକୁ ବଢ଼ିବାକୁ ଜୋହୋକୁ ପ୍ରଥମେ କୁହାଯାଇଥିଲା। ଛଅ ମାସ ଭିତରେ କମ୍ପାନି ସେହି ମାନଦଣ୍ଡ ପୂରଣ କରିବା ପରେ ତାହାକୁ ଚୟନ କରାଯାଇଥିଲା ବୋଲି ବୈଷ୍ଣବ କହିଛନ୍ତି। 

ଉଦ୍ୟୋଗପତି ଶ୍ରୀଧର ଭେମ୍ବୁ ‘ଜୋହୋ’ ସ୍ଥାପନ କରିଛନ୍ତି। କମ୍ପାନି ଅନେକ ସ‌ଫ୍ଟୱେର ବିକାଶ କରିଛି ଯାହା ବିଦେଶୀ କମ୍ପାନି ଦେଉଥିବା ସେବାର ବିକଳ୍ପ ହୋଇପାରିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ବଦେଶୀ ଆହ୍ବାନ ପରଠାରୁ ଏହାର ସେବାଗୁଡ଼ିକର ଗ୍ରହଣୀୟତା ଓ ଲୋକପ୍ରିୟତା ବଢ଼ିଛି। ଏହା ହ୍ବାଟସ୍‌ଆପ୍‌ର ବିକଳ୍ପ ‘ଅରଟଇ’ ମଧ୍ୟ ବିକାଶ କରିଛି ଯାହା କିଛି ଦିନ ପୂର୍ବେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା।