ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଆର୍ଥିକ ପ୍ଲାଟ୍ଫର୍ମ ‘ଇଣ୍ଟିଗ୍ରେଟେଡ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ୍ ସିଷ୍ଟମ୍ (ଆଇଏଫ୍ଏମ୍ଏସ୍)ର ତୃତୀୟ ପିଢ଼ିକୁ ଅଗ୍ରଣୀ ଆଇଟି କମ୍ପାନି ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ (ଟିସିଏସ୍) ବିକାଶ କରିବ। ଏଥିପାଇଁ କମ୍ପାନି ରାଜ୍ୟ ସରକାରଙ୍କ ସହ ସହଯୋଗିତା କରିଛି। ଏହି ପ୍ଲାଟଫର୍ମର ତୃତୀୟ ପିଢ଼ିର ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ସେଥିରେ ଆନାଲିଟିକ୍ସ ଓ ମେସିନ୍ ଲର୍ଣ୍ଣିଂ (ଏମ୍ଏଲ୍) ଭଳି ପ୍ରଯୁକ୍ତି ବ୍ୟବହାର କରାଯିବ ଯାହା ନିଷ୍ପତ୍ତି ନେବା ଓ ପରିଚାଳନା ପ୍ରକ୍ରିୟାରେ ପାରଦର୍ଶିତା ଆଣିବ। ଏଥିରେ ଏକ ବହୁଭାଷୀ ଚାଟ୍ବଟ୍ ରହିବ ଯାହା ବ୍ୟବହାରକାରୀଙ୍କ ଅନୁଭୂତି ବଢ଼ାଇବ। ଏହାର ଅନ୍ୟତମ ବଡ଼ ଗୁଣ ହେଉଛି ଆଇଏଫ୍ଏମ୍ଏସ୍ ୩.୦କୁ ମୋବାଇଲ୍ରେ ମଧ୍ୟ ହାସଲ କରାଯାଇପାରିବ। ତେଣୁ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ମୋବାଇଲ୍ରେ ଆର୍ଥିକ ପରିଚାଳନା ସମ୍ଭବ ହୋଇପାରିବ।
ଟିସିଏସ୍ ବିକାଶ କରିବ ଆଇଏଫ୍ଏମ୍ଏସ୍ ୩.୦
ଆନାଲିଟିକ୍ସ, ମେସିନ୍ ଲର୍ଣ୍ଣିଂ ବ୍ୟବହାର ହେବ
ଏଆଇ ୱାର୍କବେଞ୍ଚ୍ ବ୍ୟବସ୍ଥା ରହିବ
ଆଇଏଫ୍ଏମ୍ଏସ୍ ୩.୦ରେ ଟିସିଏସ୍ ପକ୍ଷରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଶକ୍ତି ଥିବା ଏଆଇ ୱାର୍କବେଞ୍ଚ୍ କାର୍ଯ୍ୟକାରୀ କରାଯିବ। ସରକାରଙ୍କ ଏଆଇ ଓ ଏମ୍ଏଲ୍ ପ୍ରକଳ୍ପଗୁଡ଼ିକୁ ସହାୟତା ଦେବା ଲାଗି ଏହି ଓପନ୍ ସୋର୍ସ ସମାଧାନକୁ ପ୍ରସ୍ତୁତ କରାଯାଉଛି। ସେଥିରେ ମଡେଲ୍ ବିକାଶ, ନିରୀକ୍ଷଣ ଓ ବଜାୟ ରଖିବା ଭଳି ସୁବିଧା ରହିବ। ଆଇଏଫ୍ଏମ୍ଏସ୍ର ନୂତନ ପିଢ଼ି ଅର୍ଥ ବିଭାଗକୁ ବଜେଟ୍ ପ୍ରସ୍ତୁତି, ବ୍ୟୟ-ରାଜସ୍ବ-ହିସାବ ଖାତା ପରିଚାଳନାରେ ସହାୟତା ପ୍ରଦାନ କରିବା ସହିତ ଆର୍ଥିକ ପ୍ରକ୍ରିୟାକୁ ସଂଗଠିତ କରିବ ଏବଂ ବାସ୍ତବ ସମୟରେ ଆର୍ଥିକ ସ୍ଥିତିର ନିରୀକ୍ଷଣ ଏବଂ ରିପୋର୍ଟ କରିବା ସକ୍ଷମ କରିବ। ପ୍ରଯୁକ୍ତି ଜରିଆରେ ଶାସନ ବ୍ୟବସ୍ଥାକୁ ଉନ୍ନତ କରିବା ଲାଗି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି।
ଆଇଏଫ୍ଏମ୍ଏସ୍ର ତୃତୀୟ ପିଢ଼ିରେ ୟୁଜର୍ ଇଣ୍ଟରଫେସ୍କୁ ଉନ୍ନତ କରାଯିବ। ବିଭିନ୍ନ ବିଭାଗ ତଥ୍ୟକୁ ଯେଭଳି ବାସ୍ତବ ସମୟରେ ଦେଖିପାରିବେ, ସେଥିପାଇଁ ବ୍ୟବସ୍ଥା କରାଯିବ। ଏହା ଏଭଳି ରିପୋର୍ଟ ପ୍ରସ୍ତୁତ କରିବ ଯେଉଁଥିରେ ବିଶ୍ଳେଷଣ, ବ୍ୟାଖ୍ୟା ଆଦି ରହିବ। ତଥ୍ୟର ସୁରକ୍ଷା ଲାଗି ମଧ୍ୟ ଦୃଢ଼ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ୨୦୦୫ଠାରୁ ଟିସିଏସ୍ ଓଡ଼ିଶା ସରକାରଙ୍କ ସହ ମିଶି କାମ କରୁଛି। ଟ୍ରେଜେରି ପରିଚାଳନା ବ୍ୟବସ୍ଥାରୁ ସେହି ସହଯୋଗିତା ଆରମ୍ଭ ହୋଇଥିଲା ଯାହା ଏବେ ଆଇଏଫ୍ଏମ୍ଏସ୍ ୩.୦ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି। ଆଇଏଫ୍ଏମ୍ଏସ୍ ୩.୦ ଓଡ଼ିଶା ସରକାରଙ୍କୁ ନାଗରିକମାନଙ୍କ ପାଖରେ ଅଧିକ ପ୍ରଭାବଶାଳୀ ସେବା ପହଞ୍ଚାଇବାରେ ସକ୍ଷମ କରିବ ବୋଲି ଟିସିଏସ୍ର ସଭାପତି (ଗ୍ରୋଥ୍ ମାର୍କେଟ୍ସ ଆଣ୍ଡ୍ ପବ୍ଲିକ୍ ସର୍ଭିସେସ୍) ଗିରିଶ ରାମଚନ୍ଦ୍ରନ କହିଛନ୍ତି।