ମଦ, ତେଲ ଭରିବ ରାଜ୍ୟ ରାଜକୋଷ

ନୂଆଦିଲ୍ଲୀ : କରୋନା ଭୂତାଣୁ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିବାରୁ ରାଜ୍ୟଗୁଡ଼ିକର ରାଜସ୍ବ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ରାଜ୍ୟଗୁଡ଼ିକ ମୁଖ୍ୟତଃ ମଦ, ତେଲ ଓ ସମ୍ପତ୍ତି ଟିକସରୁ ମୋଟା ଅଙ୍କର ଆୟ କରିଥାନ୍ତି। କୋଭିଡ୍-୧୯ ବିରୋଧ ଲଢ଼େଇରେ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ ହେଉଥିବାରୁ ରାଜ୍ୟଗୁଡ଼ିକର ରାଜକୋଷ ଫାଙ୍କା ହୋଇଗଲାଣି। ଲକ୍‌ଡାଉନ୍ ୩.୦ରେ ମଦ ଦୋକାନ ଖୋଲିବା ଲାଗି କିଛି ରାଜ୍ୟରେ ଅନୁମତି ଦିଆଯିବା ପରେ ସେହି ରାଜ୍ୟଗୁଡ଼ିକ ମଦ ଉପରେ ଟିକସ ପରିମାଣ ବହୁତ ବଢ଼ାଇ ଦେଇଛନ୍ତି। ଏହା ବ୍ୟତୀତ, କେନ୍ଦ୍ର ସରକାର ତେଲ ଉପରେ ଟିକସ ବଢ଼ାଇବା ପରେ ଦିଲ୍ଲୀ, ତାମିଲନାଡୁ, ନାଗାଲ୍ୟାଣ୍ଡ୍, ପଞ୍ଜାବ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟ ମଧ୍ୟ ଭାଟ୍‌ ବଢ଼ାଇବା ବିଷୟରେ ଘୋଷଣା କରିଛନ୍ତି। ମଦ ଓ ତେଲରୁ ମିଳୁଥିବା ଟିକସ ଜରିଆରେ ରାଜ୍ୟଗୁଡ଼ିକ ନିଜ ରାଜକୋଷ ଭରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ମୁମ୍ବାଇରେ ସ୍ବାଭାବିକ ଦିନ ତୁଳନାରେ ଏବେ ୬-୭ ଗୁଣା ଅଧିକ ମଦ ବିକ୍ରି ହେଉଛି। କର୍ଣ୍ଣାଟକରେ ମଧ୍ୟ ବିପୁଳ ପରିମାଣର ମଦ ବିକ୍ରି ହୋଇଛି। ଗତ ମଙ୍ଗଳବାର କର୍ଣ୍ଣାଟକରେ ୧୯୭ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ରାଜ୍ୟର ଅବକାରୀ ବିଭାଗର ଜଣେ ଅଧିକାରୀ କହିଛନ୍ତି। ସ୍ବାଭାବିକ ଦିନଗୁଡ଼ିକରେ ସେଠାରେ ଦିନକୁ ୪୫ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। ଶେଷ ଥର ଲାଗି ୨୦୧୮ ଡିସେମ୍ବର ୨୮ରେ ୧୭୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ନୂଆବର୍ଷ ଆସର ପାଇଁ ଏହି ମଦ ବିକ୍ରି ହୋଇଥିବା ଅନୁମାନ କରାଯାଉଛି। କର୍ଣ୍ଣାଟକ ସରକାର ମଦ ଉପରେ ୫-୧୫%ର ସ୍ବତନ୍ତ୍ର କୋଭିଡ୍‌ ଟିକସ ଲାଗୁ କରିଛନ୍ତି। ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ଟିକସ ମାତ୍ରା ବଢ଼ାଇଛନ୍ତି। ମଦ ଉପରେ ଟିକସ ବଢ଼ାଇ କର୍ଣ୍ଣାଟକ ସରକାର ୨୬୦୦ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଛି। ପଶ୍ଚିମବଙ୍ଗରେ ମଦ ଦୋକାନ ଖୋଲିବା ଅନୁମତି ମିଳିବାର ପ୍ରଥମ ଦିନରେ ୪୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଉତ୍ତର ପ୍ରଦେଶରେ ପ୍ରଥମ ଦିନରେ ୧୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ମଦ ବିକ୍ରିରୁ ସେଠାକାର ସରକାର ୧୦୦ କୋଟିରୁ ଅଧିକ ଟଙ୍କାର ରାଜସ୍ବ ଆୟ କରିଛନ୍ତି। ଦିଲ୍ଲୀ ସରକାର ମଦ ଉପରେ ୭୦ ପ୍ରତିଶତ ସ୍ବତନ୍ତ୍ର କରୋନା ଟିକସ ଲଗାଇଛନ୍ତି। ହରିଆନା ସରକାର ମଧ୍ୟ ମଦ ଉପରେ କ୍ବାଟର ପିଛା ୫-୨୦ ଟଙ୍କା ପର୍ଯ୍ୟନ୍ତ ଟିକସ ବଢ଼ାଇଛନ୍ତି। ଏହା ଜରିଆରେ ରାଜ୍ୟ ସରକାର ୬୦୦୦ କୋଟି ଟଙ୍କା ଆୟ କରିବେ। ଆନ୍ଧ୍ରପ୍ରଦେଶ ସରକାର ମଦ ଉପରେ ଦୁଇ ଥରରେ ୭୫% ଟିକସ ବଢ଼ାଇଛନ୍ତି। ଏହା ଦ୍ବାରା ୧୧-୧୨,୦୦୦ କୋଟି ଟଙ୍କାର ରାଜସ୍ବ ଆୟ ହେବ। ତାମିଲନାଡ଼ୁ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଭାଟ୍ ବଢ଼ାଇ ୨୫୦୦ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ହରିଆନା ସରକାର ମଧ୍ୟ ପେଟ୍ରୋଲ୍ ଓ ଡିଜେଲ୍‌ ଟିକସକୁ ଯଥାକ୍ରମେ ୧ ଟଙ୍କା ଏବଂ ୧ ଟଙ୍କା ୧୦ ପଇସା ବଢ଼ାଇଛନ୍ତି।

ସମ୍ବନ୍ଧିତ ଖବର