ଭୁବନେଶ୍ବର : କରୋନା ମହାମାରୀ ପ୍ରଭାବକୁ ପ୍ରତିହତ କରି ରାଜ୍ୟ ଅର୍ଥନୀତି ଆଗକୁ ବଢ଼ୁଥିବାର ସଙ୍କେତ ମିଳିଛି। ଚଳିତ ବର୍ଷ ନଭେମ୍ବରରେ ରାଜ୍ୟରେ ରାଜସ୍ବ ଆଦାୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଚଳିତ ବର୍ଷ ନଭେମ୍ବରରେ ୨୯,୪୧୧.୨୯ କୋଟି ଟଙ୍କାର ଟିକସ ଆଦାୟ ହୋଇଛି ଯାହା ଗତବର୍ଷରେ ହୋଇଥିବା ୨୮,୪୦୨ କୋଟି ଟଙ୍କା ଆୟ ତୁଳନାରେ ୪% ଅଧିକ। ଏହି ସମୟରେ ୧୦,୪୬୨ କୋଟି ଟଙ୍କାର ଅଣ-ଟିକସ ରାଜସ୍ବ ଆୟ ହୋଇଛି ଯାହା ଗତବର୍ଷ ନଭେମ୍ବରର ୮୪୮୫ କୋଟି ଟଙ୍କା ତୁଳନାରେ ୨୩.୨୯% ଅଧିକ। ଲକ୍ଡାଉନ୍ ଓ ସଟ୍ଡାଉନ୍ ପରିପ୍ରେକ୍ଷୀରେ ନଭେମ୍ବର ସୁଦ୍ଧା ବିଭିନ୍ନ ଭିତ୍ତିଭୂମି, ସାମାଜିକ, କୃଷି ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ରରେ ବଜେଟ୍ ବ୍ୟବହାର ପରିମାଣ ପ୍ରାୟ ୬୦ ହଜାର କୋଟି ଟଙ୍କା ସ୍ତରରେ ପହଞ୍ଚିଛି।
ଆଜି ଲୋକସେବା ଭବନରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବମାନଙ୍କ ବୈଠକରୁ ରାଜ୍ୟ ଅର୍ଥନୀତିରେ ହେଉଥିବା ସୁଧାର ବିଷୟରେ ଜଣାପଡ଼ିଛି। ବଜେଟ୍ରେ କରାଯାଇଥିବା ବ୍ୟୟବରାଦ ବାବଦ ଅର୍ଥ କିଭଳି ଶୀଘ୍ର ବିନିଯୋଗ ହୋଇପାରିବ ସେଥିପ୍ରତି ଗୁରୁତ୍ବ ଦେବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ବିଶେଷ କରି ଭିତ୍ତିଭୂମି ଓ ଜୀବନଜୀବିକା ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ସେ କହିଛନ୍ତି। ଓମ୍ବାଡ୍ସି ଓ ଡିଏମ୍ଏଫ୍ ପ୍ରକଳ୍ପ କାର୍ଯ୍ୟକୁ ନିୟମିତ ସମୀକ୍ଷା କରିବା ଲାଗି ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଅନୁଗୁଳ, ଜୟପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୁରଭଞ୍ଜ, ରାୟଗଡ଼ା ଓ ସୁନ୍ଦରଗଡ଼ ଭଳି ଖଣିଜ ସମ୍ପଦ ଭରା ଜିଲ୍ଲାରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଜାରି ରହିଛି ବୋଲି ବୈଠକରୁ ଜଣାପଡ଼ିଛି। ଜଳ ସମ୍ପଦ, ଗ୍ରାମୀଣ ବିକାଶ, ପୂର୍ତ, ଗୃହ ଓ ସହରାଞ୍ଚଳ ବିକାଶ କ୍ଷେତ୍ରର ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଦେବାକୁ ବୈଠକରେ ସଚିବମାନଙ୍କୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/money-2.jpg)