କରୋନା ମହାମାରୀ ଯୋଗୁଁ ରାଜ୍ୟମାନେ ୩ ଲକ୍ଷ କୋଟିର ରାଜସ୍ୱ ହାନୀ ସହିବେ

ନୂଆଦିଲ୍ଲୀ : ସାରାଦେଶକୁ କବଳିତ କରି ରଖିଥିବା କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇଛି । ଲକଡାଉନ ଯୋଗୁଁ ବିଭିନ୍ନ ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନ ମାସ ମାସ ଧରି ବନ୍ଦ ରହିବା ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ବିପୁଳ ରାଜସ୍ୱ ହାନୀ ହୋଇଛି ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ଜାରି ଏକ ରିପୋର୍ଟରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାରମାନେ ପ୍ରାୟ ୩.୧ ଲକ୍ଷ କୋଟି ଟଙ୍କାର ରାଜସ୍ୱ ହରାଇବେ । କେବଳ ପ୍ରଥମ ତିନିମାସରେ ରାଜ୍ୟମାନେ ମୋଟ ୫୩ ହଜାର କୋଟିର ରାଜସ୍ୱ ହରାଇଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କ ଅତିରିକ୍ତ ରାଜସ୍ୱ ହାନୀ ଫଳରେ ରାଜ୍ୟମାନଙ୍କ ଭାଗ ମଧ୍ୟ ହ୍ରାସ ପାଇବ । ଏହା ଫଳରେ ରାଜ୍ୟମାନେ ଆଉ ୧.୫ ଲକ୍ଷ କୋଟିର କ୍ଷତି ସହିବେ । ଆହୁରି ମଧ୍ୟ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରମାନେ ବିପୁଳ ପରିମାଣରେ ବ୍ୟୟ କରୁଛନ୍ତି । ଏକ ଅଟକଳ ଅନୁସାରେ ଏ ବାବଦରେ ରାଜ୍ୟମାନେ ମୋଟ ୧.୭ ଲକ୍ଷ କୋଟି ବ୍ୟୟ କରିବେ । ଫଳରେ ଚଳିତ ଆର୍ଥିକ ବର୍ଷରେ ଦେଶର ପ୍ରମୁଖ ରାଜ୍ୟମାନେ ମୋଟ ପ୍ରାୟ ୬.୨ ଲକ୍ଷ କୋଟିର ଆର୍ଥିକ କ୍ଷତି ସହିବେ । ଏହା ଫଳରେ ରାଜ୍ୟମାନେ ଉତ୍କଟ ଆର୍ଥିକ ସଂକଟର ସମ୍ମୁଖୀନ ହେବେ । ଏହି ଆର୍ଥିକ କ୍ଷତିର ଭରଣା ପାଇଁ ରାଜ୍ୟମାନେ ଅଧିକ ଋଣ କରିବେ ବୋଲି ରିପୋର୍ଟରେ କୁହାଯାଇଛି ।

ସମ୍ବନ୍ଧିତ ଖବର