କରୋନା ମହାମାରୀ ସମଗ୍ର ଅର୍ଥନୀତିକୁ ପ୍ରଭାବିତ କରିଥିବା ବେଳେ ଇସ୍ପାତ ଶିଳ୍ପ ଏଥିରୁ ବାଦ ପଡ଼ିନାହିଁ। ଦେଶର ଅର୍ଥନୀତି ପ୍ରତି ଗୁରୁତ୍ବପୂର୍ଣ୍ଣ ଅବଦାନ ରଖୁଥିବା ଏହି କ୍ଷେତ୍ର, ଏହାର ବର୍ତ୍ତମାନ ସ୍ଥିତି ଓ ଭବିଷ୍ୟତ ସମ୍ପର୍କରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ (ଜେଏସ୍ପିଏଲ୍)ର ଉପଦେଷ୍ଟା (ଲିଗାଲ୍, କର୍ପୋରେଟ୍ ଆଫେୟାର୍ସ, ସିଏସ୍ଆର୍ ଆଣ୍ଡ୍ ସଷ୍ଟେନେବିଲିଟି) ମନିଷ ଖରବନ୍ଦା ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି
ସାକ୍ଷାତକାର: ପ୍ରଭାତ ପଟ୍ଟନାୟକ
କୋଭିଡ୍-୧୯ ପାଇଁ ଇସ୍ପାତ ଶିଳ୍ପ ସଙ୍କଟ ସମୟ ଦେଇ ଗତି କରୁଛି। ଜେଏସ୍ପିଏଲ୍ କିଭଳି ଏହାର ମୁକାବିଲା କରିଛି?
କୋଭିଡ୍-୧୯ ହେଉଛି ଏକ ବିଶ୍ବ ମହାମାରୀ ଏବଂ ଅର୍ଥନୀତିର ସମସ୍ତ କ୍ଷେତ୍ର ଏହା ଦ୍ବାରା ପ୍ରଭାବିତ ହୋଇଛି। କରୋନା ମୁକାବିଲା ଲାଗି ସରକାର ଗ୍ରହଣ କରିଥିବା ଲକ୍ଡାଉନ୍, ଗମନାଗମନ ଏବଂ ଚଳପ୍ରଚଳରେ କଟକଣା ଏବଂ ଅନ୍ୟାନ୍ୟ ପଦକ୍ଷେପ ଯୋଗୁଁ ଇସ୍ପାତ ଚାହିଦା ହ୍ରାସ ପାଇଛି। ମହାମାରୀ ସମୟରେ ଅର୍ଥନୀତିକୁ ସୁଦୃଢ଼ ରଖିବା ଲାଗି ଜେଏସ୍ପିଏଲ୍ ଚତୁରତାର ସହ କିଛି ଉତ୍ପାଦର ମିଶ୍ରଣ ପ୍ରସ୍ତୁତ କରିଛି ଏବଂ ଦେଶ ଭିତେର ବିକ୍ରି ସହ ରପ୍ତାନିକୁ ମଧ୍ୟ ଯୋଡ଼ିଛି। ଇସ୍ପାତକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ମାନ୍ୟତା ଦିଆଯାଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଉଛି।
୨୦୩୦ ସୁଦ୍ଧା ଦେଶରେ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ରହିଛି। ସେଥିରୁ ଓଡ଼ିଶା ୧୦୦ ନିୟୁତ ଟନ୍ ଉତ୍ପାଦନ କରିବ। ଏହି ଲକ୍ଷ୍ୟ ହାସଲ କରିବା ସ୍ଥିତିରେ ଓଡ଼ିଶା ଅଛି କି?
ଯଦିଓ ପ୍ରାରମ୍ଭିକ ସମୟରେ ୩୦୦ ନିୟୁତ ଟନ୍ ଉତ୍ପାଦନ ଲକ୍ଷ୍ୟ କଷ୍ଟକର ମନେ ହେଉଥିଲା, ମାତ୍ର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ତାହା ହାସଲ ହୋଇପାରିବ ବୋଲି ମନେ ହେଉଛି। ଏଥିପାଇଁ ଇସ୍ପାତ ଶିଳ୍ପ ସରକାରଙ୍କ ସହଯୋଗ ଦରକାର କରୁଛି। ନୀତି କ୍ଷେତ୍ରରେ ସଂସ୍କାର ଆଣିବା, ରେଳପଥ, ରାଜପଥ, ପୋଲ, ସ୍ମାର୍ଟସିଟି ପ୍ରକଳ୍ପ ଏବଂ ପ୍ରତିରକ୍ଷା ଉପକରଣ ନିର୍ମାଣ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଉପରେ ସରକାର ଜୋର ଦେଲେ ଏହି ଲକ୍ଷ୍ୟ ହାସଲ ହୋଇପାରିବ। ଯେହେତୁ ଓଡ଼ିଶାରେ ଏକ ତୃତୀୟାଂଶ ଲୁହାପଥର ରହିଛି, ତେଣୁ ଏହି ଲକ୍ଷ୍ୟ ହାସଲରେ ଓଡ଼ିଶା ପ୍ରମୁଖ ଭୂମିକା ନିର୍ବାହ କରିପାରିବ। ଯଦି ଓଡ଼ିଶାରେ ଥିବା ଲୁହାପଥରର କିଛି ଅଂଶ ରାଜ୍ୟ ଭିତରେ ବ୍ୟବହାର ପାଇଁ ନୀତି ଅଣାଯାଇପାରିବ ତେବେ ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆସିପାରିବ ଏବଂ ୨୦୩୦ ସୁଦ୍ଧା ଧାର୍ଯ୍ୟ କରାଯାଇଥିବା ଉତ୍ପାଦନ ଲକ୍ଷ୍ୟ ହାସଲ ହୋଇପାରିବ।
ଏବେ ଇସ୍ପାତ ଦର କାହିଁକି ବଢ଼ୁଛି?
ଦେଶର ଲୁହାପଥର ଆବଶ୍ୟକତାର ୫୮%ରୁ ଅଧିକ ଭାଗ ପୂରଣ କରୁଥିବା ଓଡ଼ିଶାର ୨୬ଟି କାର୍ଯ୍ୟକ୍ଷମ ଖଣିର ଲିଜ୍ ଅବଧି ଚଳିତ ବର୍ଷ ମାର୍ଚ୍ଚରେ ଶେଷ ହୋଇଥିଲା। ସେଥି ମଧ୍ୟରୁ ୨୧ଟି ଖଣିକୁ ନିଲାମ କରାଯାଇଥିବା ବେଳେ ମାତ୍ର ୭ଟି ଖଣିରୁ ଡେସ୍ପାଚ୍ ଆରମ୍ଭ ହୋଇଛି। ସର୍ବଭାରତୀୟ ସ୍ତରରେ ୨୦୨୦ ଏପ୍ରିଲ୍-ସେପ୍ଟେମ୍ବର ଭିତରେ ଲୁହାପଥର ଉତ୍ପାଦନ ୧୧୦ ନିୟୁତ ଟନ୍ରୁ ୩୨% ହ୍ରାସ ପାଇ ୭୫ ନିୟୁତ ଟନ୍ରେ ପହଞ୍ଚିଛି। ସେହି ସମୟରେ ଓଡ଼ିଶାରେ ଲୁହାପଥର ଉତ୍ପାଦନ ୬୪ ନିୟୁତ ଟନ୍ରୁ ୪୩ ପ୍ରତିଶତ ହ୍ରାସ ପାଇ ୩୬ ନିୟୁତ ଟନ୍ରେ ପହଞ୍ଚିଛି। ୬୩% ଏଫ୍ଇ ମାନର ଲୁହାପଥର ଲମ୍ପସ୍ର ଦାମ୍ ମାର୍ଚରୁ ନଭେମ୍ବର ଭିତରେ ଟନ୍ ପିଛା ୩୫୫୩ ଟଙ୍କାରୁ ବୃଦ୍ଧି ପାଇ ୮୪୦୦ ଟଙ୍କା ହୋଇଛି। ଅର୍ଥାତ ଦାମ୍ରେ ୧୭୮% ବୃଦ୍ଧି ଘଟିଛି। ସେହିପରି ୬୩% ଏଫ୍ଇ ମାନର ଲୁହାପଥର ଫାଇନ୍ସର ଟନ୍ ପିଛା ଦାମ୍ ୨୧୧୧ ଟଙ୍କାରୁ ବୃଦ୍ଧି ପାଇ ୬୨୫୦ ଟଙ୍କା ହୋଇଛି। ଫାଇନ୍ସ ଦାମ୍ରେ ୨୦୮ ପ୍ରତିଶତ ବୃଦ୍ଧି ଘଟିଛି। ତେଣୁ ଉତ୍ପାଦନ ଖର୍ଚ ବଢ଼ିଛି। ଇସ୍ପାତ ଦାମ୍ କମ୍ ସ୍ତରରେ ରଖିିବା ଲାଗି ଲୁହାପଥର ଯୋଗାଣ ଓ ଚାହିଦାରେ ଥିବା ଅନ୍ତର ଦୂର କରିବାକୁ ହେବ।
ଭାରତୀୟ ଇସ୍ପାତ ଶିଳ୍ପର ଭବିଷ୍ୟତକୁ କିପରି ଦେଖୁଛନ୍ତି?
ଭାରତରେ ଭିତ୍ତିଭୂମି ବିକାଶ ପ୍ରତି ଗୁରୁତ୍ବ ଦିଆଯାଉଥିବାରୁ ଇସ୍ପାତର ଚାହିଦା ଜାରି ରହିବ। ସରକାରୀ ପ୍ରକଳ୍ପରେ ଦେଶ ଭିତରେ ଉତ୍ପାଦନ ହେଉଥିବା ଇସ୍ପାତ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଦେଶର ଜିଡିପି ଓ ନିଯୁକ୍ତି ପ୍ରତି ଇସ୍ପାତ କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ମାତ୍ର ମୁଣ୍ଡପିଛା ବ୍ୟବହାର ଦୃଷ୍ଟିରୁ ଆମେ ଏବେବି ବିଶ୍ବ ସ୍ତରଠାରୁ ତଳେ ରହିଛୁ। ଭିତ୍ତିଭୂମି ପ୍ରକଳ୍ପ, ସମସ୍ତଙ୍କ ପାଇଁ ଘର, ରେଳ ଏବଂ ମେଟ୍ରୋ ପ୍ରକଳ୍ପ ଉପରେ ଅଧିକ ଧ୍ୟାନ ଦିଆଯାଉଥିବାରୁ ଇସ୍ପାତ ଚାହିଦା ବଢ଼ିବ ବୋଲି ଆଶା କରାଯାଉଛି।
ସମ୍ବାଦର ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍ ବିଷୟରେ ଆପଣଙ୍କ ମତ କ’ଣ?
ଓଡ଼ିଶାରେ ଶିଳ୍ପ ଜଗତର ଅଗ୍ରଦୂତମାନଙ୍କୁ ମାନ୍ୟତା ଏବଂ ସମ୍ମାନ ପ୍ରଦାନ କରିବା ଲାଗି ଏହା ହେଉଛି ସମ୍ବାଦ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ। ଏହା କେବଳ ରାଜ୍ୟର ବ୍ୟାବସାୟିକ ସଂସ୍ଥାଗୁଡ଼ିକୁ ଉତ୍ସାହିତ କରିବ ନାହିଁ ବରଂ ଏକ ବ୍ରାଣ୍ଡ୍ ଭାବେ ଓଡ଼ିଶାକୁ ଆହୁରି ଦୃଢ଼ କରିବ। ଏହି ଅଭିଯାନ ଜରିଆରେ ଓଡ଼ିଶାର ବ୍ରାଣ୍ଡ୍ଗୁଡ଼ିକୁ ନୂତନ ଶୀର୍ଷ ସ୍ଥାନ ଦଖଲ କରିବା ଲାଗି ଉତ୍ସାହିତ କରି ରାଜ୍ୟର ବିକାଶ ପ୍ରତି ସମ୍ବାଦ ନିଜର ଯୋଗଦାନ ପ୍ରଦାନ କରୁଛି।