ଷ୍ଟେଣ୍ଟ୍‌ ଦାମ୍‌ ୨୮ ହଜାରକୁ ଖସିଲା

ନୂଆଦିଲ୍ଲୀ,: ଜାତୀୟ ଫାର୍ମାସ୍ୟୁଟିକାଲ୍‌ ମୂଲ୍ୟ ନିର୍ଧାରଣ କର୍ତୃପକ୍ଷ (ଏନ୍‌ପିପିଏ) ହୃଦରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର ଷ୍ଟେଣ୍ଟ୍‌ ମୂଲ୍ୟକୁ ହ୍ରାସ କରିଛନ୍ତି। ଡ୍ରଗ୍‌ ଏଲୁଟିଂ ଷ୍ଟେଣ୍ଟ୍‌ (ଡିଇଏସ୍‌) ମୂଲ୍ୟର ସର୍ବୋଚ୍ଚ ସୀମା ୨୮ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିରେ ପାଖାପାଖି ୨୩୦୦ ଟଙ୍କାର ହ୍ରାସ ହୋଇଛି। ଏହି ସମୟରେ ବେୟାର୍‌ ମେଟାଲ୍‌ ଷ୍ଟେଣ୍ଟ୍‌ର ମୂଲ୍ୟରେ ସାମାନ୍ୟ ବୃଦ୍ଧି କରାଯାଇଛି ଯାହାର ମୂଲ୍ୟ ୭୪୦୦ ଟଙ୍କାରୁ ବଢ଼ି ୭୬୬୦ ଟଙ୍କା ହୋଇଛି। ଏହି ମୂଲ୍ୟରେ ଜିଏସ୍‌ଟି ସାମିଲ କରାଯାଇନାହିଁ। ତେବେ ୫% ଜିଏସ୍‌ଟି ଲାଗୁ କରିବା ପରେ ଡିଇଏସ୍‌ର ମୂଲ୍ୟ ୨୯,୨୮୫ ଟଙ୍କା ଏବଂ ବେୟାର ମେଟାଲ୍‌ ଷ୍ଟେଣ୍ଟ୍‌ ମୂଲ୍ୟ ୮୦୪୩ ଟଙ୍କା ହେଉଛି। ଷ୍ଟେଣ୍ଟ୍‌ର ନୂତନ ଦର ୨୦୧୯ ମାର୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଏନ୍‌ପିପିଏ ଜାଣିବାକୁ ପାଇଛନ୍ତି ଯେ, ଆଞ୍ଜିଓପ୍ଲାଷ୍ଟିରେ ବ୍ୟବହାର କରାଯାଉଥିବା କାଥେଟିୟର, ବେଲୁନ୍‌ ଏବଂ ଗାଇଡ୍‌ ଓୟାରର ମୂଲ୍ୟ ମଧ୍ୟ ସେଗୁଡ଼ିକର ଆମଦାନି ମୂଲ୍ୟ ତୁଳନାରେ ୪୦୦% ପର୍ଯ୍ୟନ୍ତ ଅଧିକ ରହୁଛି। ତେଣୁ ସେଗୁଡ଼ିକୁ ମେଡିକାଲ୍‌ ବିଲ୍‌ରେ ନିର୍ଦିଷ୍ଟ ଭାବେ ଦର୍ଶାଇବାକୁ ଏନ୍‌ପିପିଏ ନିର୍ଦେଶ ଜାରି କରିଛନ୍ତି।
ଗତବର୍ଷ ଫେବ୍ରୁଆରି ୧୪ରେ ଏନ୍‌ପିପିଏ ବେୟାର ଷ୍ଟେଣ୍ଟ୍‌ର ମୂଲ୍ୟ ୭୪୦୦ ଟଙ୍କା ଏବଂ ଡିଇଏସ୍‌ର ମୂଲ୍ୟ ୩୦,୧୮୦ ଟଙ୍କା ଧାର୍ଯ୍ୟ କରିଥିଲେ। ଅଭିଯୋଗ ହେଉଛି ଯେ ସରକାର ଷ୍ଟେଣ୍ଟ୍‌ ମୂଲ୍ୟର ସୀମା ଧାର୍ଯ୍ୟ କରିଦେବା ପରେ ହସ୍‌ପିଟାଲ୍‌ଗୁଡ଼ିକ କାଥେଟିୟର, ବେଲୁନ୍‌ ଏବଂ ଗାଇଡ୍‌ ଓୟାର ମୂଲ୍ୟ ବଢ଼ାଇ ଦେଇଥିଲେ। ସେମାନେ ଷ୍ଟେଣ୍ଟ୍‌ ମୂଲ୍ୟର ସୀମା ନିର୍ଧାରଣକୁ ମଧ୍ୟ ବିରୋଧ କରିଥିଲେ।
ଭାରତରେ କଞ୍ଜ୍ୟୁମେବଲ୍‌ ନାମରେ ରୋଗୀମାନଙ୍କଠାରୁ ବିପୁଳ ପରିମାଣର ଅର୍ଥ ଆଦାୟ କରାଯାଉଛି। କଞ୍ଜ୍ୟୁମେବଲ୍‌ ଭାବେ ଦର୍ଶାଯାଉଥିବା ସାମଗ୍ରୀଗୁଡ଼ିକର ମୂଲ୍ୟକୁ ନେଇ କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ। ସେଥିପାଇଁ ଭାରତରେ କୌଣସି ସ୍ୱତନ୍ତ୍ର ନିୟମ ମଧ୍ୟ ନାହିଁ।
ଷ୍ଟେଣ୍ଟ୍‌ ମୂଲ୍ୟର ସୀମା ନିର୍ଧାରଣ ନିଷ୍ପତ୍ତିକୁ ଅଲ୍‌ ଇଣ୍ଡିଆ ଡ୍ରଗ୍‌ ଆକ୍ସନ ନେଟଓ୍ଵର୍କ ପକ୍ଷରୁ ସ୍ୱାଗତ କରାଯାଇଛି। ଷ୍ଟେଣ୍ଟ୍‌ ମୂଲ୍ୟ ଧାର୍ଯ୍ୟ ହେବା ପରେ ମଧ୍ୟ ବିଭିନ୍ନ ସ୍ଥାନରେ ହସ୍‌ପିଟାଲ୍‌ ଖୋଲିଥିବା ବଡ଼ ହସ୍‌ପିଟାଲ୍‌ଗୁଡ଼ିକ ନିଜ ନିଜର ଆଧିପତ୍ୟ ଅନୁସାରେ ରୋଗୀଙ୍କଠାରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି। ସେମାନଙ୍କ ବିରୋଧରେ ତଦନ୍ତ କରିବା ପାଇଁ ପ୍ରତିଯୋଗିତା ଆୟୋଗଙ୍କୁ ଚିଠି ଲେଖିବାକୁ ମଧ୍ୟ ଏନ୍‌ପିପିଏ ନିକଟରେ ଏହି ସଂସ୍ଥା ଦାବି କରିଛି।

ସମ୍ବନ୍ଧିତ ଖବର