ନୂଆଦିଲ୍ଲୀ: ଷ୍ଟର୍ଲିଂ ବାୟୋଟେକ୍ ଗ୍ରୁପ ମାମଲାରେ ଭାରତୀୟ ବ୍ୟାଙ୍କ ଗୁଡ଼ିକରୁ ୮୧୦୦ କୋଟି ଟଙ୍କାର ଠକେଇ କରିଥିବା ଅନ୍ୟତମ ଅଭିଯୁକ୍ତ ହିତେଶ ପଟେଲଙ୍କୁ ଆଲବାନିଆର ରାଜଧାନୀ ତିରାନାରେ ଅଟକ ରଖାଯାଇଛି। ଇଡିର ଅନୁରୋଧକ୍ରମେ ଇଣ୍ଟରପୋଲ ତାଙ୍କୁ ଅଟକ ରଖିଛି। ଇଣ୍ଟରପୋଲ ପକ୍ଷରୁ ଗତ ୧୧ ତାରିଖରେ ନୋଟିସ ଜାରି ହୋଇଥିଲା। ଏବେ ପଟେଲଙ୍କ ପ୍ରତ୍ୟର୍ପଣ ପାଇଁ ଇଡି ଉଦ୍ୟମ ଆରମ୍ଭ କରିବ। ତେବେ ପଟେଲଙ୍କ ସମ୍ପର୍କୀୟ ତଥା ମୁଖ୍ୟ ଅଭିଯୁକ୍ତ ନୀତିନ ଓ ଚେତନ ସନ୍ଦସେରା ନାଇଜେରିଆରେ ବାସ କରୁଛନ୍ତି। ସେଠାରେ ସେମାନେ ଅଶୋଧିତ ତେଲ ବ୍ୟବସାୟରେ ପୁଞ୍ଜି ନିବେଶ କରିଥିବା କୁହାଯାଉଛି। ୧୭୪ଟି ଜାଲ କମ୍ପାନି ଅଭିଯୁକ୍ତମାନେ ଏହି ଠକେଇ କରିଛନ୍ତି ବୋଲି ଇଡି ଦାବି କରୁଛି। ଏନେଇ ଇଡି ଗତ ସପ୍ତାହରେ ମଧ୍ୟ ଏକ ଅଭିଯୋଗଫର୍ଦ ଦାଖଲ କରିଛି। ଇଡି ପକ୍ଷରୁ ଏହି ମାମଲାରେ ସମୁଦାୟ ୧୯୫ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ତେବେ ଉପା-୨ ସରକାର ସମୟରେ ବରିଷ୍ଠ ଅଧିକାରୀ ଓ ବ୍ୟାଙ୍କର ଅଧିକାରୀମାନଙ୍କର ଷ୍ଟର୍ଲିଂ ବାୟୋଟେକର ଏହି ଠକେଇରେ କି ଧରଣର ହାତ ଥିଲା ତାହାରା ଯାଞ୍ଚ ତଦନ୍ତକାରୀ ସଂସ୍ଥା ଗୁଡ଼ିକ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୨୧ ଦେଶରେ ଯାଞ୍ଚ ଚଳାଇବ ଇଡି
ନୂଆଦିଲ୍ଲୀ: ଷ୍ଟର୍ଲିଂ ବାୟୋଟେକ୍ର ୮୧୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ (ଇଡି)କୁ ଆଜି ଏକ ସଫଳତା ମିଳିଛି। ଦିଲ୍ଲୀର ଏକ ଅଦାଲତ ଇଡିକୁ ଅପରାଧୀଙ୍କୁ ଧରିବା ଓ ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ବ୍ରିଟେନ, ସଂଯୁକ୍ତ ଆରବ ଏମିରେଟ୍ସ ସମେତ ୨୧ଟି ଦେଶକୁ ଲେଟର୍ସ ରୋଗାଟରି (ଏଲ୍ଆର) ପଠାଇବା ଲାଗି ମଞ୍ଜୁରି ପ୍ରଦାନ କରିଛି। ଅତିରିକ୍ତ ଦୌରା ଜଜ୍ ସତୀଶ କୁମାର ଅରୋରା ଆମେରିକା, ଚୀନ, ପାନାମା ଏବଂ ଅଷ୍ଟ୍ରିଆ ସମେତ ବିଭିନ୍ନ ଦେଶକୁ ଏଲ୍ଆର ପଠାଇବା ଲାଗି ଇଡି କରିଥିବା ଆବେଦନ ଉପରେ ଶୁଣାଣି କରି ଏହାକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଇଡି ପକ୍ଷରୁ ଆଲବାନିଆକୁ ମଧ୍ୟ ଏଲ୍ଆର ପଠାଯିବ। ନିକଟରେ ଆଲବାନିଆକୁ ପ୍ରତ୍ୟର୍ପଣ ଅନୁରୋଧ ପଠାଇବାକୁ ମଧ୍ୟ ଅଦାଲତ ଅନୁମତି ଦେଇଛନ୍ତି। ନୀତିନ ସନ୍ଦସେରା ଏବଂ ଚେତନକୁମାର ସନ୍ଦସେରା ଆଲବାନିଆର ନାଗରିକତ୍ବ ଗ୍ରହଣ କରିସାରିଥିବା ବି କୁହାଯାଉଛି। କମ୍ପାନିର ଅନ୍ୟ ଜଣେ ନିର୍ଦେଶକ ହିତେଶ ନରେନ୍ଦର ଭାଇ ପଟେଲ ଗତ ୨୦ ତାରିଖରେ ଆଲବାନିଆର ରାଜଧାନୀ ତିରାନାଠାରେ ଅଟକ ରହିଛନ୍ତି। ଇଡିର ଅନୁରୋଧ କ୍ରମେ ଇଣ୍ଟରପୋଲ ପକ୍ଷରୁ ଜାରି କରାଯାଇଥିବା ନୋଟିସ ଅନୁଯାୟୀ ତାଙ୍କୁ ଅଟକ ରଖାଯାଇଛି। ଇଡି ଓକିଲ ଏ ଆରା ଆଦିତ୍ୟ ସିଙ୍ଗାପୁର, ସ୍ବିଜରଲାଣ୍ଡ, ହଂକଂ, ଇଣ୍ଡୋନେସିଆ, ବାରବାଡସ, ବରମୁଡା, ବ୍ରିଟିସ ଭର୍ଜିନ ଆଇଲାଣ୍ଡ, ସାଇପ୍ରସ, କମୋରସ, ଜର୍ସି, ଲିକ୍ଟେନଷ୍ଟାଇନ, ମରିସସ, ନାଇଜେରିଆ ଏବଂ ସିସିଲ୍ସକୁ ଏଲଆର ପଠାଇବାକୁ କୋର୍ଟଙ୍କ ଅନୁମତି ଲୋଡ଼ିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଆନ୍ଧ୍ର ବ୍ୟାଙ୍କ ନେତୃତ୍ବରେ ଗଠିତ ଏକ ବ୍ୟାଙ୍କ କନସୋର୍ଟିୟମରୁ ଉକ୍ତ କମ୍ପାନି ୫୦୦୦ କୋଟିରୁ ଅଧିକ ଋଣ ନେଇଥିଲା। ତେବେ ଏହି ଋଣ ପରେ ଅନାଦାୟ ଋଣ ବା ଏନପିଏରେ ପରିଣତ ହୋଇଯାଇଥିଲା। କମ୍ପାନି ବ୍ୟାଙ୍କ ଗୁଡ଼ିକୁ ୮୧୦୦ କୋଟି ଟଙ୍କା ଠକିଥିବା କୁହାଯାଉଛି। ସିବିଆଇ ପକ୍ଷରୁ ଜାରି ହୋଇଥିବା ମାମଲା ଓ ତଦନ୍ତ ଆଧାରରେ ଇଡି ମଧ୍ୟ ଅଭିଯୋଗଫର୍ଦ୍ଦ ଦାଖଲ କରିଛି। ଆୟକର ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଲାଞ୍ଚ ଦେବା ଅଭିଯୋଗ ମଧ୍ୟ ଏହି ଅଭିଯୁକ୍ତମାନଙ୍କ ନାମରେ ରହିଛି। ଇଡି ଏହି ମାମଲାରେ ହୋଇଥିବା ମନି ଲଣ୍ଡରିଂର ତଦନ୍ତ କରୁଛି। ଇଡି ପକ୍ଷରୁ ଏହି ମାମଲାରେ ବର୍ତମାନ ସୁଦ୍ଧା ୫ଟି ଅଭିଯୋଗଫର୍ଦ ଦାଖଲ ହୋଇଛି। ଏଥିସହିତ ୪୭୧୦ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଜବତ ହୋଇଛି।