ଷ୍ଟକ କ୍ଲିୟରାନ୍ସ ସେଲ୍‌, ଗାଡ଼ି ଉପରେ ବିପୁଳ ରିହାତି

ମୁମ୍ବାଇ: ଦେଶର ଗାଡ଼ି ବଜାର ସବୁଠୁ ଖରାପ ସମୟ ଦେଇ ଗତି କରୁଥିବା ବେଳେ ବିକ୍ରିରେ ବୃଦ୍ଧି ଆଣିବା ଲାଗି କଂପାନିଗୁଡ଼ିକ ମୋଟା ଅଙ୍କର ରିହାତି ପ୍ରଦାନ କରିବା ଆରମ୍ଭ କରିଛନ୍ତି। କାର୍‌ ଠାରୁ ଆରମ୍ଭ କରି ବାଇକ୍, ସ୍କୁଟର ଓ ଟ୍ରକ୍ ପର୍ଯ୍ୟନ୍ତ ସବୁ ପ୍ରକାର ଗାଡ଼ି ଉପରେ ଏବେ ଅଧିକ ରିହାତି ମିଳୁଛି। ସାଧାରଣତଃ ଡିସେମ୍ବର ମାସରେ କଂପାନିଗୁଡ଼ିକ ଗାଡ଼ି ଉପରେ ଅଧିକ ରିହାତି ଦେଇଥାନ୍ତି। ଏହା ପଛର ବଡ଼ କାରଣ ହେଉଛି ପୁରୁଣା ଷ୍ଟକ୍‌କୁ ବିକ୍ରି କରିବା ଏବଂ ନୂଆ ବଜେଟ୍‌ ଅନୁସାରେ ନୂତନ ଗାଡ଼ି ଉତ୍ପାଦନ କରିବା। ଚଳିତ ସେପ୍ଟେମ୍ବରରେ କାର୍ କଂପାନିଗୁଡ଼ିକ ଡିସେମ୍ବର ଭଳି ରିହାତି ଦେବା ଆରମ୍ଭ କରିଛନ୍ତି। ଆସନ୍ତା ବର୍ଷ ଏପ୍ରିଲ୍‌ରୁ ଦେଶରେ ବିଏସ୍‌-୬ ପ୍ରଦୂଷଣ ନିୟମ ଲାଗୁ ହେବ। ଏହା ପୂର୍ବରୁ ଏବେ ପ୍ରଚଳିତ ଥିବା ନିୟମ (ବିଏସ୍‌-୪) ଅନୁସାରେ ଯେତେ ସବୁ ଗାଡ଼ି ଉତ୍ପାଦନ କରାଯାଇଛି ତାହାକୁ କଂପାନିଗୁଡ଼ିକ ବିକିବାକୁ ଚାହୁଛନ୍ତି। ସେମାନଙ୍କ ଯୋଜନାକୁ ମାନ୍ଦାବସ୍ଥା ସମ୍ପୂର୍ଣ୍ଣ ଫେଲ୍ କରିଦେଇଛି। ଯେକୌଣସି ଉପାୟରେ ପୁରୁଣା ଷ୍ଟକ୍ ଶେଷ କରିବା ଲାଗି କଂପାନିଗୁଡ଼ିକ ବଡ଼ ଧରଣର ରିହାତି ଦେଉଛନ୍ତି। ଗାଡ଼ିଗୁଡ଼ିକ ଉପରେ ଅତିବେଶିରେ ୫-୭% ରିହାତି ପ୍ରଦାନ କରାଯାଏ। ଏବେ କାର୍‌ ଉପରେ ୨୯% ଭଳି ରିହାତି ଦିଆଯାଉଥିବା ବେଳେ ଟ୍ରକ୍ ଉପରେ ୨୦-୨୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଗାଡ଼ି କିଣିବା ପାଇଁ ଉତ୍ସବ ଋତୁ ସବୁଠୁ ଶ୍ରେଷ୍ଠ ସମୟ ବୋଲି କଂପାନିଗୁଡ଼ିକ ପ୍ରଚାର କରିବା ଆରମ୍ଭ କରିଛନ୍ତି। କାର୍ ଡିଲର୍‌ସିପ୍‌ଗୁଡ଼ିକରେ ଏନେଇ ପ୍ରଚାର ଜୋରଦାର କରାଯାଇଛି। ମାରୁତି ସୁଜୁକି ପକ୍ଷରୁ ବିଭିନ୍ନ ମଡେଲ୍‌ ଉପରେ ୩୦ ହଜାର ଟଙ୍କାରୁ ଆରମ୍ଭ କରି ଏକ ଲକ୍ଷ କୋଡିଏ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ହୁଣ୍ଡାଇ ଏହାର ଗ୍ରାଣ୍ଡ୍‌ ଆଇ୧୦ ଉପରେ ୧୫% ଓ ସାଣ୍ଟ୍ରୋ ଉପରେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି। ହୋଣ୍ଡା ଏହାର ସିଆର୍‌ଭି ଓ ବିଆର୍‌ଭି ଉପରେ ୧ ଲକ୍ଷରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି। ଟୟୋଟା ପକ୍ଷରୁ ୟାରିସ୍ ଉପରେ ଅଢ଼େଇ ଲକ୍ଷ ଟଙ୍କାର ରିହାତି ଦିଆଯାଉଛି। ରେନୋ ଓ ନିସାନ ପକ୍ଷରୁ କ୍ୟାପ୍‌ଚର୍‌ ଓ କିକ୍‌ ମଡେଲ୍‌ର ଦାମ୍ ଦେଢ଼ ଲକ୍ଷ ଟଙ୍କା କମ୍ କରାଯାଇଛି। ଟ୍ରକ୍ ଉପରେ କଂପାନିଗୁଡ଼ିକ ସାଢ଼େ ତିନି ଲକ୍ଷରୁ ତିନି ଲକ୍ଷ ୭୫ ହଜାର ଟଙ୍କା ଭଳି ରିହାତି ପ୍ରଦାନ କରୁଛନ୍ତି।

ସମ୍ବନ୍ଧିତ ଖବର