ନୂଆଦିଲ୍ଲୀ: ଗହମ ଓ ଅଟାର ବଢୁଥିବା ଦରକୁ ନେଇ କେନ୍ଦ୍ର ସରକାର ଆକ୍ସନମୋଡକୁ ଆସିଛନ୍ତି । ମୋଦୀ ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗହମର ଷ୍ଟକ୍ ସୀମା ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଧାର୍ଯ୍ୟ କରିଛନ୍ତି। ଦେଶରେ ଖାଦ୍ୟ ନିରାପତ୍ତାକୁ ନିୟନ୍ତ୍ରଣ କରିବା ଏବଂ ମହଜୁଦ/ଗୁଜବକୁ ରୋକିବା ପାଇଁ ସରକାର ବ୍ୟବସାୟୀ, ହୋଲସେଲର, ଖୁଚୁରା ବ୍ୟବସାୟୀ, ବଡ଼ ଚେନ୍ ରିଟେଲର ଏବଂ ପ୍ରୋସେସରଙ୍କ ଉପରେ ଏହି ଷ୍ଟକ୍ ସୀମା ଲାଗୁ କରିଛନ୍ତି।

Advertisment

ଗହମର ଷ୍ଟକ୍ ସୀମା ନିର୍ଦ୍ଧାରଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଖାଉଟି ବ୍ୟାପାର ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ କହିଛି ଯେ ଦେଶରେ ଖାଦ୍ୟ ନିରାପତ୍ତା ତଥା ଗହମ ମହଜୁଦ କୁ ରୋକିବା ଏବଂ ଭୁଲ ଉଦ୍ଦେଶ୍ୟରେ କରାଯାଉଥିବା କଳ୍ପନାଜଳ୍ପନାକୁ ରୋକିବା ପାଇଁ ସରକାର ଗହମ ଉପରେ ଷ୍ଟକ୍ ସୀମା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଷ୍ଟକ୍ ସୀମା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବ୍ୟବସାୟୀ- ହୋଲସେଲର, ରିଟେଲର, ବଡ଼ ଚେନ୍ ରିଟେଲର ଏବଂ ପ୍ରୋସେସରମାନଙ୍କ ପାଇଁ ଲାଗୁ ହେବ। ଆଜି, ୨୪ ଜୁନ୍ ୨୦୨୪ରୁ ଲାଇସେନ୍ସ ଆବଶ୍ୟକତା, ଷ୍ଟକ୍ ସୀମା ଏବଂ ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ପରିବହନ ଉପରେ ପ୍ରତିବନ୍ଧକ ହଟାଇବା ସମ୍ବନ୍ଧୀୟ ସଂଶୋଧନ ଜାରି କରାଯାଇଛି ଯାହା ୨୪ ଜୁନ୍ ୨୦୨୪ରୁ କାର୍ଯ୍ୟକାରୀ ହେବ ଏବଂ ଏହି ଆଦେଶ ୩୧ ମାର୍ଚ୍ଚ ୨୦୨୫ରୁ ବୈଧ ହେବ  ।