ନିବେଶକଙ୍କ ୨୦୦୦‌ କୋଟି ‌ଦୁରୁପଯୋଗ କରିଛି କାର୍ଭି, କଟକଣା ଲଗାଇଲା ସେବି

ନୂଆ ନିବେଶକ ସାମିଲ ମନା

ମୁମ୍ବାଇ: କାର୍ଭି ଷ୍ଟକ ବ୍ରୋକିଂ ସଂସ୍ଥା ବିରୋଧରେ ପୁଞ୍ଜି ବଜାର ନିୟାମକ ସେବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗ୍ରାହକମାନଙ୍କର ପ୍ରାୟ ୨ ହଜାର କୋଟି ଟଙ୍କା ମୂଲ୍ୟର ସେୟାର ଓ ପାଣ୍ଠିର ଦୁରୁପଯୋଗ କରିଥିବାରୁ କାର୍ଭି ବିରୋଧରେ ସେବି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି। କାର୍ଭି କୌଣସି ନୂଆ ନିବେଶକଙ୍କୁ ସାମିଲ କରିପାରିବ ନାହିଁ ବୋଲି କୁହାଯାଇଛି। ବଜାରର ସ୍ବଚ୍ଛତାକୁ ବଜାୟ ରଖିବା ସହିତ ନିବେଶକମାନଙ୍କୁ ଆଉ ଅଧିକ କ୍ଷତି ନହେବାକୁ ଦେବା ପାଇଁ ଏଭଳି ନିଷ୍ପତ୍ତି ସେବି ନେଇଛି। ଉଲ୍ଲେଖଯୋଗ୍ୟ, ଗ୍ରାହକଙ୍କ ଦୃଷ୍ଟି‌ରୁ କାର୍ଭି ଦେଶର ଏକ ବୃହତ୍ ବ୍ରୋକର ସଂସ୍ଥା। ଗତ ଅକ୍ଟୋବର ୩୧ ସୁଦ୍ଧା କାର୍ଭିର ଗ୍ରାହକ ସଂଖ୍ୟା ପାଖାପାଖି ଅଢ଼େଇ ଲକ୍ଷ ବୋଲି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି।

କାର୍ଭି ଷ୍ଟକ ବ୍ରୋକିଂ ପକ୍ଷରୁ ଦିଆଯାଇଥିବା କୌଣସି ନିର୍ଦ୍ଦେଶକୁ ଗ୍ରହଣ ନକରିବା ପାଇଁ ସେବି ପକ୍ଷରୁ ଏନଏସଡିଏଲ୍‌ ଏବଂ ସିଡିଏସଏଲ୍‌କୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଭି ଗ୍ରାହକମାନଙ୍କ ଡିମାଟ୍‌ ଆକାଉଣ୍ଟକୁ କେତେମାତ୍ରାରେ ଦୁରୁପଯୋଗ କରିଛି ତାହାର ଫରେନସିକ ଅଡିଟ୍ ଆରମ୍ଭ ହୋଇଯାଇଛି। ଗ୍ରାହକମାନଙ୍କ ଡିମାଟ୍ ଆକାଉଣ୍ଟର ଦୁରୁପଯୋଗ କରାଯାଉଥିବା ବିଷୟରେ ଅଭିଯୋଗ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିକଟରେ ପହଞ୍ଚିଥିଲା। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ କରାଯାଇଥିବା ଯାଞ୍ଚରୁ ଜଣାଯାଇଛି, ଚଳିତବର୍ଷ କାର୍ଭି ଷ୍ଟକ ବ୍ରୋକିଂ ୧୫୬ ଜଣ ଗ୍ରାହକଙ୍କ ସେୟାରକୁ ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରିଛି। ଅତି ସରଳ ଭାବରେ କାର୍ଭି ଏହାର ମନ୍ଦ ଉଦ୍ଦେଶ୍ୟକୁ ସାଧିତ କରିଛି। ସାଧାରଣତଃ ନିଷ୍କ୍ରିୟ ରହୁଥିବା ଗ୍ରାହକଙ୍କ ଡିମାଟ ଆକାଉଣ୍ଟରୁ ସେୟାର ନିଜର ଡିମାଟ ଆକାଉଣ୍ଟକୁ ସ୍ଥାନାନ୍ତର କରିଛି। ଏହାପରେ କାର୍ଭି ସେହିସବୁ ସେୟାକୁ ବ୍ୟାଙ୍କରେ ବନ୍ଧକ ରଖି ପାଣ୍ଠି ସଂଗ୍ରହ କରିଛି। ସେହି ପାଣ୍ଠିକୁ କାର୍ଭି ଏହାର ରିଅଲ ଇଷ୍ଟେଟ ଶାଖାକୁ ସ୍ଥାନାନ୍ତର କରିଛି। କାର୍ଭି ଷ୍ଟକ ବ୍ରୋକିଂ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେବି ଡିପୋଜିଟୋରିଜ୍ ଏବଂ ଷ୍ଟକ ଏକ୍ସଚେଞ୍ଜଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ସେହିଭଳି ସେବି ନିକଟରେ ଜବାବ କିମ୍ବା ପ୍ରତିବାଦ ଜଣାଇବା ପାଇଁ କାର୍ଭିକୁ ୨୧ ଦିନ ସମୟ ଦିଆଯାଇଛି। ବିଶ୍ଳେଷକଙ୍କ କହିବାନୁଯାୟୀ, ସେବି ପକ୍ଷରୁ କେବଳ ୨୦୧୯ ସମେତ ଅନ୍ୟ ବର୍ଷ ଗୁଡ଼ିକର ଠକେଇ ରାଶିକୁ ବିଚାରକୁ ନେଲେ ଠକେଇ ରାଶି ୨୦୦୦ କୋଟିରୁ ଅଧିକ ହେବ।

ସମ୍ବନ୍ଧିତ ଖବର