ମୁମ୍ବାଇ: ଭାରତୀୟ ଷ୍ଟକ୍ ବଜାର ଏବେ ଘୋର ଅସ୍ଥିରତା ଦେଇ ଗତି କରୁଛି। ଲଗାତାର ଭାବେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍କ୍ସେସ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ତଳକୁ ଖସୁଛି। ଏହାର ଏକ ପ୍ରମୁଖ କାରଣ ହେଉଛି ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ବିପୁଳ ପରିମାଣର ପାଣ୍ଠି ପ୍ରତ୍ୟାହାର କରି ଚୀନ୍ କିମ୍ବା ଅନ୍ୟ ବଜାରକୁ ନେଉଛନ୍ତି। କୌଣସି ପ୍ରକାରରେ ଏହି ସମସ୍ୟାର ମୁକାବିଲା କରିବାକୁ ସାହସ ଜୁଟାଇଥିବା ନିବେଶକମାନଙ୍କ ମନୋବଳ ଭାଙ୍ଗି ଦେଇଛି ଦରଦାମ୍ରେ ଘଟିଥିବା ବୃଦ୍ଧି। ଗତକାଲି ଜାରି ହୋଇଥିବା ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ବୁଧବାର ବଜାରକୁ ଅସ୍ଥିର କରିବାରେ ଅନ୍ୟତମ ପ୍ରମୁଖ ଭୂମିକା ଗ୍ରହଣ କରିଛି। ମୁଦ୍ରାସ୍ଫୀତି ନିର୍ଧାରିତ ୬% ସୀମା ଟପିଯାଇଥିବାରୁ ଡିସେମ୍ବରରେ ଆଉ ସୁଧ ହାର କମିବ ନାହିଁ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଯିବା ପରେ ନିବେଶକମାନେ ନିରାଶ ହୋଇପଡ଼ିଛନ୍ତି।
୯୮୪ ପଏଣ୍ଟ ଖସିଲା ସେନ୍ସେକ୍ସ
୨ ଦିନରେ ଡୁବିଲା ୧୩ ଲକ୍ଷ କୋଟି
ବୁଧବାର ସେନ୍ସେକ୍ସ ୯୮୪ ପଏଣ୍ଟ ତଳକୁ ଖସି ୭୭୬୯୦ ପଏଣ୍ଟରେ ବନ୍ଦ ହୋଇଛି। ସେହି ସମୟରେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୨୪ ପଏଣ୍ଟ ହ୍ରାସ ପାଇ ୨୩,୫୫୯ ପଏଣ୍ଟରେ ବନ୍ଦ ହୋଇଛି। ସେନ୍ସେକ୍ସରେ ହୋଇଥିବା ହ୍ରାସ ଲାଗି ନିବେଶକମାନଙ୍କ ୬.୮ ଲକ୍ଷ କୋଟି ଟଙ୍କା ଡୁବିଯାଇଛି। ଗତ ଦୁଇ ଦିନରେ ସେନ୍ସେକ୍ସ ୧୮୦୦ ପଏଣ୍ଟ ହରାଇଛି। ଏହି ଦୁଇ ଦିନରେ ନିବେଶକମାନେ ପ୍ରାୟ ୧୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। କିଛି ମାସ ପୂର୍ବେ ସେନ୍ସେକ୍ସ ୮୫ ହଜାର ପଏଣ୍ଟ ସ୍ତର ଛୁଇଁଥିଲା। କିଛି ସପ୍ତାହ ଭିତରେ ତାହା ୮୦୦୦ ପଏଣ୍ଟ ହରାଇସାରିଲାଣି। ବୈଦେଶିକ ସଂସ୍ଥାଗତ ନିବେଶକ (ଏଫ୍ଆଇଆଇ)ମାନେ ଅକ୍ଟୋବର ମାସରୁ ଦେଶରୁ ପାଣ୍ଠି ପ୍ରତ୍ୟାହାର କରିବା ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ସେମାନେ ରେକର୍ଡ ୧.୨ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିସାରିଲେଣି। ଅଧିକ ରିଟର୍ଣ୍ଣ ପାଇବା ଆଶାରେ ସେମାନେ ସେହି ପାଣ୍ଠିକୁ ଡଲାର ଆଧିପତ୍ୟ ଥିବା ବଜାରରେ ନିବେଶ କରୁଛନ୍ତି। ଆମେରିକାର ବଣ୍ଡ୍ ମଧ୍ୟ ଅଧିକ ରିଟର୍ଣ୍ଣ ଦେଉଥିବାରୁ ସେମାନେ ସେଥିରେ ନିବେଶ ଜାରି ରଖିଛନ୍ତି।
ବୁଧବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଟାଟା ଷ୍ଟିଲ୍, ଆଦାନି ପୋର୍ଟସ୍, ଜେଏସ୍ଡବ୍ଲୁ ଷ୍ଟିଲ୍, ଇଣ୍ଡସ୍ଇଣ୍ଡ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏଚ୍ଡିଏଫ୍ସି ବ୍ୟାଙ୍କ ଓ କୋଟକ୍ ମହିନ୍ଦ୍ରା ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି। ସେହି ସମୟରେ ଟାଟା ମୋଟର୍ସ, ହିନ୍ଦୁସ୍ତାନ ୟୁନିଲିଭର, ଏସିଆନ୍ ପେଣ୍ଟ୍ସ ଓ ଇନ୍ଫୋସିସ୍ ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି। କର୍ପୋରେଟ୍ ଜଗତରେ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଆଶାନୁରୂପ ନ ରହିବାରୁ ନିବେଶକମାନେ ଏଚ୍ଡିଏଫ୍ସି ବ୍ୟାଙ୍କ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଭଳି ବଡ଼ କମ୍ପାନିର ସେୟାର ବିକ୍ରି କରିଥିଲେ। ଫଳରେ ଅନ୍ୟ ନିବେଶକମାନେ ଭୟଭୀତ ହୋଇ ଅନେକ ସେୟାର ବିକ୍ରି କରିଛନ୍ତି। ଆମେରିକା ଓ ଏସିଆର ବିଭିନ୍ନ ଷ୍ଟକ୍ ବଜାରରେ ମାନ୍ଦା କାରବାର ବିକ୍ରିକୁ ଆହୁରି ବଢ଼ାଇ ଦେଇଥିଲା, ଯେଉଁଥିପାଇଁ ସେନ୍ସେକ୍ସ ଓ ନିଫ୍ଟି ଏତେ ତଳକୁ ଖସିଆସିଛି।