ଭାରତକୁ ଧମକାଇଲା ଆମେରିକା, ଇରାନରୁ ତେଲ କିଣା ବନ୍ଦ କର

ଓ୍ଵାସିଂଟନ: ଇରାନରୁ ତେଲ ଆମଦାନି ସମ୍ପୂର୍ଣ୍ଣ ବନ୍ଦ କର ଅନ୍ୟଥା ବାଣିଜ୍ୟ କଟକଣା ସାମ୍ନା କର। ଭାରତ ସମେତ ବିଭିନ୍ନ ଦେଶକୁ ଆମେରିକା ଏଭଳି ଧମକ ଦେଇଛି। ନଭେମ୍ବର ୪ ସୁଦ୍ଧା ଇରାନରୁ ତେଲ ଆମଦାନି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆମେରିକା ବିଭିନ୍ନ ଦେଶକୁ କହିଛି। ଆମେରିକା ଏହା ମଧ୍ୟ ସ୍ପଷ୍ଟ କରିଛି ଯେ କୌଣସି ଗୋଟିଏ ବି ଦେଶକୁ ଏଥିରୁ ରିହାତି ମିଳିବନି। ଆମେରିକାର ଏଭଳି ଧମକ ଭାରତର ଚିନ୍ତା ବଢ଼ାଇବ। କାରଣ, ଇରାନରୁ ଭାରତ ଏହାର ତୃତୀୟ ସର୍ବାଧିକ ତେଲ ଆମଦାନି କରୁଛି। ଇରାକ ଓ ସାଉଦି ଆରବ ପରେ ଇରାନରୁ ହିଁ ଅଧିକ ତେଲ ଆମଦାନି କରାଯାଉଛି। ଗତମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇରାନ ସହିତ ହୋଇଥିବା ଚୁକ୍ତିରୁ ଓହରିଯାଇଥିଲେ ଓ ଇରାନ ଉପରେ ପୁଣି ଥରେ ବାଣିଜ୍ୟ କଟକଣା ଲଗାଇଥିଲେ। ଇରାନ ସହିତ ୯୦ କିମ୍ବା ୧୮୦ ଦିନ ଭିତରେ ସବୁ ପ୍ରକାର ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବାକୁ ସେ ବିଦେଶୀ କଂପାନିଗୁଡ଼ିକୁ ମହଲତ ପ୍ରଦାନ କରିଥିଲେ। ଏବେ ଆମେରିକା ସରକାର ବିଭିନ୍ନ ଦେଶ ଉପରେ ଚାପ ପ୍ରୟୋଗ କରିବାକୁ ପ୍ରୟାସ କରୁଛି। ସେହି ସମୟରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଥିଲେ ଯେ, ଭାରତ କେବଳ ଜାତିସଂଘର କଟକଣାକୁ ଗ୍ରହଣ କରିଥାଏ। ଅନ୍ୟ କୌଣସି ଦେଶର ଏକପାଖିଆ କଟକଣାକୁ ଗ୍ରହଣ କରେନାହିଁ। ଭାରତ ଓ ଚୀନ୍‌ ଭଳି ଯେଉଁ ସବୁ ଦେଶ ଇରାନରୁ ତେଲ କିଣୁଛନ୍ତି ସେମାନଙ୍କୁ ଆମେରିକା ଟାର୍ଗେଟ୍‌ କରିଛି। ଆସନ୍ତା ସପ୍ତାହରେ ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସେଥିରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭାଗ ନେବାକୁ ଥିବା ବେଳେ ଆମେରିକା ପକ୍ଷରୁ ପରରାଷ୍ଟ୍ର ସଚିବ ମାଇକ୍‌ ପୋମ୍ପେଇ ଓ ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ୍‌ ଆଲୋଚନା କରିବେ। ଏହି ବୈଠକରେ ଇରାନରୁ ତେଲ କିଣାକିଣି ବିଷୟରେ ମଧ୍ୟ ଆଲୋଚନା ହେବ। ଇରାନ ଉପରେ ଆମେରିକା ସରକାର ୨୦୧୦-୧୩ ପର୍ଯ୍ୟନ୍ତ ଲଗାଇଥିବା ବାଣିଜ୍ୟ କଟକଣା ବେଳେ ଭାରତ ପକ୍ଷରୁ ଇରାନରୁ ତେଲ କିଣାକିଣି ଜାରି ରହିଥିଲା। ୨୦୧୧-୨୦୧୫ ପର୍ଯ୍ୟନ୍ତ ଇରାନରୁ ତେଲ କିଣାକୁ ଭାରତ କମ୍‌ କରିଥିଲା।

କଂଗ୍ରେସ ପଚାରିଲା କଣ କରିବ ଜଣାଅ
ନୂଆଦିଲ୍ଲୀ: ଆମେରିକାର ଟ୍ରମ୍ପ୍‌ ପ୍ରଶାସନର ନିର୍ଦେଶକୁ ଭାରତ ଗ୍ରହଣ କରିବ କି? ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ଦିଅନ୍ତୁ। ଏ ସମ୍ପର୍କରେ ସରକାର ନିଜର ସ୍ଥିତି ସ୍ପଷ୍ଟ କରନ୍ତୁ ବୋଲି ଆଜି କଂଗ୍ରେସର ପ୍ରବକ୍ତା ରଣଦୀପ ସୁର୍ଜେଓ୍ଵାଲା କହିଛନ୍ତି। ଆମେରିକା କହିବାନୁସାରେ ଇରାନରୁ ଭାରତ ତେଲ ଆମଦାନି ବନ୍ଦ କରିବ ନା ନାହିଁ ଓ ଯଦି ବନ୍ଦ କରିବ ତାହାର କ’ଣ ପ୍ରଭାବ ପେଟ୍ରୋଲ୍‌ ମୂଲ୍ୟ ଉପରେ ପଡ଼ିବ ତାହା ଜଣାଇବାକୁ ସୁର୍ଜେଓ୍ଵାଲା ସରକାରଙ୍କୁ କହିଛନ୍ତି।

ଦୁଇ ଦେଶ ମଧ୍ୟରେ ଚାଲିଛି ଟିକସ ଯୁଦ୍ଧ
ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଟିକସ ଯୁଦ୍ଧ ବହୁ ପୂର୍ବରୁ ଆରମ୍ଭ ହୋଇସାରିଛି। ପ୍ରଥମେ ଭାରତ ରପ୍ତାନି କରୁଥିବା ସାମଗ୍ରୀଗୁଡ଼ିକ ଉପରେ ଆମେରିକା ଟିକସ ପରିମାଣ ବଢ଼ାଇଥିଲା। ଏହାର ଜବାବରେ ଆମେରିକାର ୨୯ଟି ସାମଗ୍ରୀ ଉପରେ ଭାରତ ଏହାର ଟିକସ ପରିମାଣ ବଢ଼ାଇଛି। କେବଳ ଭାରତ ନୁହେଁ ଚୀନ୍‌ ସହିତ ମଧ୍ୟ ଆମେରିକାର ଟିକସ ଲଢ଼େଇ ଚାଲିଛି।

ସମ୍ବନ୍ଧିତ ଖବର