ପେଟ୍ରୋଲ ପମ୍ପ ଡିଲର ନିଯୁକ୍ତି ଅଟକିଲା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଲାଗୁ ହୋଇଯାଇଥିବାରୁ ଦେଶରେ ଏବେ ପ୍ରାୟ ୫୦ ହଜାର ପେଟ୍ରୋଲ ପମ୍ପ ଡିଲର ନିଯୁକ୍ତି ପ୍ରକ୍ରିୟା ଅଟକିଯାଇଛି। କୌଣସି ପ୍ରକାର ରାଜନୈତିକ ବିବାଦକୁ ଏଡ଼ାଇବା ପାଇଁ ଏଭଳି କରାଯାଇଛି। ଭାରତୀୟ ତୈଳ ନିଗମ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଦେଶରେ ପ୍ରାୟ ୭୮ ହଜାର ପେଟ୍ରୋଲ ପମ୍ପ ଡିଲର ନିଯୁକ୍ତି ପାଇଁ ଗତବର୍ଷଠାରୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗତବର୍ଷ ନଭେମ୍ବରରେ ଏ ନେଇ ବିଜ୍ଞାପନ ପ୍ରକାଶ କରାଯିବା ସହିତ ଏଥିପାଇଁ ଆବେଦନ ଆହ୍ବାନ କରାଯାଇଥିଲା। ୯୫ ପ୍ରତିଶତ ସ୍ଥାନ ନିମନ୍ତେ ଉଦ୍ୟୋଗୀମାନେ ପେଟ୍ରୋଲ ପମ୍ପ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ୩୯ ପ୍ରତିଶତ ସ୍ଥାନରେ ଜଣେ ଲେଖାଏଁ ବ୍ୟକ୍ତି ଆବେଦନ କରିଥିବାବେଳେ ୫୬ ପ୍ରତିଶତ ସ୍ଥାନ ପାଇଁ ଏକାଧିକ ବ୍ୟକ୍ତି ଆବେଦନ କରିଛନ୍ତି। ୩ଟି ଯାକ ସରକାରୀ ତେଲ କମ୍ପାନି ପ୍ରାୟ ଏକ ତୃତୀୟାଂଶ ସ୍ଥାନ ପାଇଁ ବିତରକ ଚୟନ କରିସାରିଛନ୍ତି। ବିଜେତାମାନଙ୍କ କାଗଜପତ୍ର ଏବେ ଯାଞ୍ଚ ମଧ୍ୟ କରାଯାଉଛି। ଏତଦବ୍ୟତୀତ ବିଜେତାମାନଙ୍କ ମଧ୍ୟରୁ ପ୍ରାୟ ୨୦୦୦ରୁ ଅଧିକ ଆବେଦନକାରୀ ସେମାନଙ୍କ ଏଲଓଆଇ ( ଲେଟର ଅଫ୍ ଇଣ୍ଟେଣ୍ଟ୍) ବା ଡିଲର ନିଯୁକ୍ତି ସଂକ୍ରାନ୍ତ ଚିଠି ପାଇ ସାରିଛନ୍ତି। ତେବେ ଯେଉଁଠି ବିଜେତାମାନଙ୍କୁ ଘୋଷଣା କରାଯାଇ ନାହିଁ ସେଠାରେ ଏହି ପ୍ରକ୍ରିୟାକୁ ଏବେ ନିର୍ବାଚନ ପାଇଁ ଅଟକାଇ ଦିଆଯାଇଛି। ପୂର୍ବରୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏକ ନିର୍ଦ୍ଦେଶନାମାରେ ନିର୍ବାଚନ ସମୟରେ ଡିଲର ନିଯୁକ୍ତିକୁ ବନ୍ଦ ରଖିବାକୁ କୁହାଯାଇଛି ବୋଲି ତେଲ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଅନ୍ୟ ଜଣେ ଅଧିକାରୀ କୁହନ୍ତି, ନିର୍ବାଚନ କମିସନଙ୍କଠାରୁ ଏ ସଂକ୍ରାନ୍ତରେ ଅଧିକ ସ୍ପଷ୍ଟତା ମାଗିବା ନେଇ ଚିନ୍ତା କରାଯାଉଛି। ଗତ ରବିବାର ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହିତ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ଆଦର୍ଶ ଆଚରଣ ବିଧି ଲାଗୁ ହୋଇଗଲେ ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ସରକାରୀ ଦଳକୁ ସୁହାଇବା ଭଳି କୌଣସି ବଡ଼ଧରଣର ନୀତିଗତ ନିଷ୍ପତ୍ତି ନିଆଯାଇ ପାରି ନଥାଏ। ତୈଳ କମ୍ପାନି ଗୁଡ଼ିକ ଏ ସଂକ୍ରାନ୍ତରେ ତୈଳ ମନ୍ତ୍ରାଳୟର ପରାମର୍ଶ ଲୋଡ଼ିଛନ୍ତି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତୈଳ ମନ୍ତ୍ରାଳୟର ଅଧିକାରୀମାନେ କମ୍ପାନି ଗୁଡ଼ିକୁ ଏଥିପାଇଁ ନିର୍ବାଚନ କମିସନଙ୍କ ମତାମତ ନେବା ପାଇଁ ପରାମର୍ଶ ଦେଇଛନ୍ତି। ନିର୍ବାଚନ କମିସନଙ୍କ ଅନୁମତି ମିଳିଗଲେ ତୈଳ କମ୍ପାନିଙ୍କ ପାଇଁ ଡିଲର ନିଯୁକ୍ତି ପ୍ରକିୟା ପୁଣି ଚାଲୁ କରାଯାଇପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର