ନୂଆଦିଲ୍ଲୀ: ଦେଶରେ ଲକ୍ ଡାଉନ୍ ଅବଧି ଚାଲିଥିବାରୁ ନୂଆ ମୋବାଇଲ୍ ସଂଯୋଗ ପ୍ରଦାନ କରିବା ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଲୋକମାନେ ସାଧାରଣତଃ ଷ୍ଟୋର୍ରୁ ସିମ୍ କିଣିଥାନ୍ତି। ଷ୍ଟୋର୍ଗୁଡ଼ିକ ଏବେ ବନ୍ଦ ରହିଥିବାରୁ ନୂତନ ସିମ୍ ଜାରି କରାଯାଇପାରୁନାହିଁ। ତେଣୁ ନୂଆ ମୋବାଇଲ୍ ସଂଯୋଗ ମଧ୍ୟ ଦିଆଯାଇପାରୁନାହିଁ। ନୂଆ ସଂଯୋଗ ପ୍ରଦାନ କରିବା ପୂର୍ବରୁ କାଗଜପତ୍ର ଯାଞ୍ଚ କରିବା ବାଧ୍ୟତାମୂଳକ କରାଯାଇଛି। କୌଣସି ଗ୍ରାହକ ଷ୍ଟୋର୍ରେ କାଗଜପତ୍ର ଦାଖଲ କରିପାରୁନାହାନ୍ତି।
ଦେଶର ପ୍ରମୁଖ ମୋବାଇଲ୍ କଂପାନି, ଯଥା: ଜିଓ, ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ ଓ ବିଏସ୍ଏନ୍ଏଲ୍ର ଷ୍ଟୋର୍ଗୁଡ଼ିକ ବନ୍ଦ ରହିଛି। ପ୍ରତି ମାସରେ ଅନ୍ୟୂନ ୨୫ ନୂଆ ମୋବାଇଲ୍ ସଂଯୋଗ ପ୍ରଦାନ କରାଯାଇଥାଏ। ଏହି ୨୧ ଦିନିଆ ଲକ୍ଡାଉନ୍ ଅବଧିରେ ତାହା ସମ୍ପୂର୍ଣ୍ଣ ବନ୍ଦ ରହିଛି। ବିନା କାଗଜପତ୍ରରେ ଯେଭଳି ନୂତନ ସଂଯୋଗ ପ୍ରଦାନ କରାଯାଇପାରିବ ସେଥିପାଇଁ କାଗଜବିହୀନ ଯାଞ୍ଚକୁ ଅନୁମତି ପ୍ରଦାନ କରିବା ଲାଗି ମୋବାଇଲ୍ କଂପାନିଗୁଡ଼ିକର ସଂଘ ସିଓଏଆଇ ପକ୍ଷରୁ ସରକାରଙ୍କୁ କୁହାଯାଇଛି।
/sambad/media/post_attachments/wp-content/uploads/2018/08/how-to-use-snapchat-stories-for-events.jpg)
ଏ ସଂକ୍ରାନ୍ତରେ ସିଓଏଆଇର ମହାନିର୍ଦେଶକ ରାଜନ ମାଥ୍ୟୁସ୍ କେନ୍ଦ୍ର ଟେଲିକମ୍ ଶ୍ରୀ ଅଂଶୁ ପ୍ରକାଶଙ୍କ ସହ ଆଲୋଚନା କରିଛନ୍ତି। କାଗଜପତ୍ର ବିନା କିଭଳି କେୱାଇସି ପ୍ରକ୍ରିୟାକୁ ପୂରଣ କରାଯାଇପାରିବ ସେଥିପାଇଁ ଏକ ଅନଲାଇନ୍ ବ୍ୟବସ୍ଥା ବିକଶିତ କରିବା ଲାଗି ମୋବାଇଲ୍ କଂପାନିଗୁଡ଼ିକୁ କୁହାଯାଇଛି। ସରକାର ଅନୁମତି ପ୍ରଦାନ କଲେ କଂପାନିଗୁଡ଼ିକ ଅନଲାଇନ୍ କାଗଜପତ୍ର ଯାଞ୍ଚ ବ୍ୟବସ୍ଥା ଆରମ୍ଭ କରି ନୂଆ ମୋବାଇଲ୍ ସଂଯୋଗ ପ୍ରଦାନ କରିପାରିବେ। ଶ୍ରୀ ମାଥ୍ୟୁସ୍ କହିଛନ୍ତି ଯେ, ସରକାରଙ୍କୁ ଶୀଘ୍ର କିଛି ପଦକ୍ଷେପ ନେବାକୁ ହେବ। କୋଭିଡ୍-୧୯କୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାର ପ୍ରଭାବରେ ନୂତନ ମୋବାଇଲ୍ ସଂଯୋଗ ଚାହୁଥିବା ଲୋକମାନଙ୍କୁ ତାହା ପ୍ରଦାନ କରାଯାଇପାରୁନାହିଁ। ଆଜିର ଯୁଗରେ ମୋବାଇଲ୍ର ଗୁରୁତ୍ବ ବହୁତ ବଢ଼ିଯାଇଛି। ବିଶେଷ କରି ବ୍ୟାଙ୍କ ଖାତା ସହ ମୋବାଇଲ୍ ନମ୍ବର ଯୋଡ଼ିଦିଆଯିବା ପରେ ସରକାରୀ କଲ୍ୟାଣମୂଳକ କାର୍ଯ୍ୟକ୍ରମଗୁଡ଼ିକର ଲାଭ ହିତାଧିକାରୀଙ୍କ ପାଖରେ ସିଧାସଳଖ ପହଞ୍ଚାଇବାରେ ମୋବାଇଲ୍ ସଂଯୋଗ ବିଶେଷ ଲାଭଦାୟକ ହୋଇଛି। ଏଭଳି ପରିସ୍ଥିତିରେ ଯେଉଁ ହିତାଧିକାରୀଙ୍କ ମୋବାଇଲ୍ କୌଣସି କାରଣରୁ ଅଚଳ ହୋଇଯାଇଥିବ କିମ୍ବା କାର୍ଯ୍ୟ କରୁନଥିବ ସେ ନୂତନ ସଂଯୋଗ ପାଇପାରିବେ ନାହିଁ। ଫଳରେ ସରକାରୀ ଲାଭ ପାଇବାକୁ ବଞ୍ଚିତ ହେବେ।
ସିଓଏଆଇ ତରଫରୁ ପ୍ରସ୍ତାବ ଦିଆଯାଇଛି ଯେ, ନୂଆ ସଂଯୋଗ ପାଇବାକୁ ଚାହୁଥିବା ଗ୍ରାହକ ନିଜର ପରିଚୟପତ୍ର ଓ ଠିକଣାର ପ୍ରମାଣପତ୍ରକୁ ଡିଜିଟାଲ୍ ମାଧ୍ୟମରେ ପଠାଇବେ। ତାଙ୍କ ପାଖରେ ଯଦି କୌଣସି ବିକଳ୍ପ ନମ୍ବର ଥିବ ତାହା ଜରିଆରେ ନୂତନ ସଂଯୋଗ ପ୍ରଦାନ କରିବା ପ୍ରକ୍ରିୟାକୁ ଶେଷ କରାଯାଇପାରିବ। କାଗଜପତ୍ର ଯାଞ୍ଚ ହୋଇଯିବା ପରେ ଗ୍ରାହକଙ୍କ ନିକଟକୁ ଏକ ଅଚଳ ସିମ୍ ପଠାଯିବ। ମୋବାଇଲ୍ ଅପରେଟରଙ୍କ ୱେବସାଇଟ୍ରେ ନମ୍ବର କି’ ଯୋଡ଼ି ହେବା ପରେ ବିକଳ୍ପ ନମ୍ବରକୁ ଏକ ଓଟିପି ଯିବ। ଏହା ପରେ ଟେଲିଫୋନ୍ ଜରିଆରେ ଯାଞ୍ଚ କରାଯିବ ଏବଂ ପାଞ୍ଚ ସଂଖ୍ୟା ବିଶିଷ୍ଟ ପିନ୍ ପ୍ରଦାନ କରାଯିବ। ଫଳରେ ସିମ୍ଟି ସକ୍ରିୟ ହୋଇପାରିବ। ଲକ୍ ଡାଉନ୍ ଘୋଷଣା କରାଯିବା ପରେ ହଜାର ହଜାର ବିଦେଶୀ ଲୋକ ଭାରତରେ ଫସି ରହିଛନ୍ତି। ସେମାନଙ୍କ ବିମାନ ଉଡ଼ାଣ ବାତିଲ ହୋଇଯାଇଛି। ସେଭଳି ଲୋକଙ୍କ ମୋବାଇଲ୍ ସଂଯୋଗ ମଧ୍ୟ କଟିଯାଇଛି। ଏହି ସଙ୍କଟଜନକ ସ୍ଥିତିରେ ଯୋଗାଯୋଗ ନିହାତି ଜରୁରୀ ଥିବାରୁ ନୂତନ ମୋବାଇଲ୍ ସଂଯୋଗ କିଭଳି ସୁବିଧାରେ ପ୍ରଦାନ କରାଯାଇପାରିବ ସେ ଉପରେ ସରକାର ବିଚାର କରିବା ଦରକାର ବୋଲି ସିଓଏଆଇ ତରଫରୁ କୁହାଯାଇଛି।