ମୁମ୍ବାଇ: ବଲିଉଡ୍ର ସେହେନ୍ସା ଭାବେ ପରିଚିତ ଅଭିତାଭ ବଚ୍ଚନଙ୍କ ଗାଡ଼ି, ଘର ଓ ଘଣ୍ଟା ଆଦି ସଂପର୍କରେ ପୂର୍ବରୁ ଅନେକ ଆଲୋଚନା ହୋଇଛି। ମାତ୍ର ଆଜିକାଲିର ଫୋନ୍ ଜମାନାରେ କେବେ ବି ଆମେ ପ୍ରକାଶ କରିନାହାନ୍ତି ଯେ ବିଗ୍ ବି କେଉଁ କମ୍ପାନିର କି ଫୋନ୍ ବ୍ୟବହାର କରନ୍ତି। ଏହାକୁ ଜାଣିବା ପାଇଁ ଦର୍ଶକଙ୍କ ଭିତରେ ବିଶେଷ ଉତ୍ସୁକତା ନିଶ୍ଚୟ ରହିଥିବ। ବିଗ୍ ବି କେଉଁ ଫୋନ୍ ବ୍ୟବହାର କରନ୍ତି ସୂଚନା ଦେବା ପୂର୍ବରୁ ଆପଣଙ୍କୁ ପ୍ରଥମେ ସୂଚୀତ କରାଇ ଦେଉଛୁ ଯେ ସେ ଫୋନ୍ କମ୍ପାନି ‘ଓ୍ଵାନ୍ ପ୍ଲସ୍’ର ବ୍ରାଣ୍ଡ୍ ଆମ୍ବାସଡର୍। ଆଶ୍ଚର୍ଯ୍ୟର କଥା ହେଉଛି ସେ ଗୋଟିଏ କମ୍ପାନିର ବ୍ରାଣ୍ଡ୍ ଆମ୍ବାସଡର ହୋଇଥିବା ବେଳେ ଆଉ ଏକ କମ୍ପାନିର ଫୋନ୍ ବ୍ୟବହାର କରିଥାନ୍ତି। ତେବେ, ବିଗ୍ ବି ବ୍ୟବହାର କରୁଥିବା ଫୋନ୍ଟି ହେଉଛି ‘ସାମ୍ସଙ୍ଗ୍ ଗ୍ୟାଲାକ୍ସି ଏସ୍୯’।
ନିକଟରେ ବିଗ୍ ବି ଅମିତାଭ ଏକ ଟୁଇଟ୍ କରିବା ପରେ ସେ ବ୍ୟବହାର କରୁଥିବା ଫୋନ୍ ସଂପର୍କରେ ଫ୍ୟାନ୍ ଜାଣିବାର ସୁଯୋଗ ପାଇଛନ୍ତି। ବିଗ୍ ବି ତାଙ୍କ ଟୁଇଟ୍ରେ ଲେଖିଛନ୍ତି, ‘ଗ୍ୟାଲାକ୍ସି ଏସ୍୯ କାମ କରୁନି। ସାମ୍ନା ସ୍କ୍ରିନ୍ରେ ସାମ୍ସଙ୍ଗର ଲୋଗ ଅଛି ଓ ଏହା ବାରମ୍ବାର ଧପ୍ଧପ୍ ହେଉଛି। ଏହା ଛଡ଼ା ଆଉ କିଛି ହେଉ ନାହିଁ। ୟାକୁ ବନ୍ଦ କରିବାର ଚେଷ୍ଟା କଲି ହେଲେ ତାହା ବି ହେଉ ନାହିଁ। ମୋତେ କ’ଣ କରିବା ଉଚିତ? କେହି ସାହାଯ୍ୟ କର।’
ବିଗ୍ ବିଙ୍କର ଏପରି ଟୁଇଟ୍ରେ ବହୁ ରି-ଟୁଇଟ୍ ଆସିଥିଲା। ସେ ‘ଓ୍ଵାନ୍ ପ୍ଲସ୍’ର ବ୍ରାଣ୍ଡ୍ ଆମ୍ବାସଡର୍ ହୋଇଥିବା ହେତୁ କମ୍ପାନି ତରଫରୁ ତାଙ୍କୁ ଦାମୀ ମୋବାଇଲ୍ ଦିଆଯିବା ଉଚିତ ବୋଲି କେହି ଲେଖିଥିବା ବେଳେ ଆଉ କେହି ସାମ୍ସଙ୍ଗ ବଦଳାଇବାକୁ ଲେଖିଥିଲେ। ବିଗ୍ ବିଙ୍କ ଏହି ଟୁଇଟ୍ରେ ଫୋନ୍ କମ୍ପାନି ‘ସାଓମି’ର ଉପାଧ୍ୟକ୍ଷ ମନୁ କୁମାର ଜୈନ୍ ବି ରି-ଟୁଇଟ୍ କରିଥିଲେ। ସେ ନିଜ ଆଡୁ କହିଥିଲେ କି ବଚ୍ଚନ ସାହେବଙ୍କ ପାଇଁ ଏକ ଫୋନ୍ ପଠାଇବାର ସୁଯୋଗ ପାଇଲେ ନେ ନିଜକୁ ଧନ୍ୟ ମଣିବ।
ମାତ୍ର କିଛି ସମୟ ପରେ ବିଗ୍ ବିଙ୍କ ଆକାଉଣ୍ଟ୍ରୁ ଆଉ ଏକ ଟୁଇଟ୍ ହୋଇଥିଲା। ଏଥିରେ ତାଙ୍କ ଫୋନ୍ ଠିକ୍ ହୋଇ ଯାଇଥିବା କଥା ଲେଖାଥିଲା। ବିଗ୍ ବିଙ୍କ ଟୁଇଟ୍ ପରେ ସାମସଙ୍ଗ୍ ପକ୍ଷରୁ ତୁରନ୍ତ ସେବା ପ୍ରଦାନ କରାଯାଇ ତାଙ୍କ ଫୋନ୍କୁ ଠିକ୍ କରାଯାଇ ଥିଲା। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସାମସଙ୍ଗ୍କୁ ନେଇ ବିଗ୍ ବିଙ୍କର ଏହା ପ୍ରଥମ ଟୁଇଟ୍ ନୁହେଁ। ପୂର୍ବରୁ ବି ଥରେ ‘ଗ୍ୟାଲାକ୍ସ ନୋଟ୍୮’କୁ ସେ ଚାର୍ଜ କରି ପାରୁନାହାନ୍ତି ବୋଲି ଟୁଇଟ୍ କରିଥିଲେ। କମ୍ପାନି ବିଗ୍ଙ୍କ ସେ ସମସ୍ୟା ବି ତୁରନ୍ତ ଦୂର କରିଥିଲା।