ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ବୁଧବାରଠାରୁ ଲାଗୁ ହୋଇଛି। ଫଳରେ ରପ୍ତାନିକାରୀମାନେ ବେଶ୍ ଚିନ୍ତିତ ହୋଇପଡ଼ିଛନ୍ତି। କିନ୍ତୁ ଏହି କଡ଼ା ଆହ୍ବାନର ମୁକାବିଲା କରିବାକୁ ଭାରତ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ତାହାର ଦୁଇଟି ପ୍ରମୁଖ ଦିଗ ରହିଛି। ଗୋଟିଏ ହେଉଛି ନୂଆ ରପ୍ତାନି ବଜାର ସନ୍ଧାନ କରି ସେଠାକୁ ଅଧିକ ଜିନିଷ ପଠାଇବା ଏବଂ ଦେଶ ଭିତରେ ସ୍ବଦେଶୀ ସାମଗ୍ରୀର ବ୍ୟବହାର ବଢ଼ାଇବା। ଏଥି ସହିତ ବିଭିନ୍ନ ଦେଶ ସହ ଅଧା ବାଟରେ ଅଟକି ରହିଥିବା ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍ଟିଏ) ଆଲୋଚନାକୁ ମଧ୍ୟ ସରକାର ତ୍ବରାନ୍ବିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଆମେରିକା ଶୁଳ୍କ ଦ୍ବାରା ପ୍ରଭାବିତ ହେବାକୁ ଥିବା ରପ୍ତାନିକୁ ଭରଣା କରିବା ଲାଗି ଭାରତ ୪୦ଟି ଦେଶ ଉପରେ ନଜର ପକାଇଛି। ସେହି ରାଷ୍ଟ୍ରଗୁଡ଼ିକ ହେଉଛି ବ୍ରିଟେନ, ଜାପାନ, ଦକ୍ଷିଣ କୋରିଆ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ସ୍ପେନ୍, ନେଦରଲ୍ୟାଣ୍ଡ୍ସ, ପୋଲାଣ୍ଡ, କାନାଡା, ମେକ୍ସିକୋ, ରୁଷ୍, ବେଲଜିୟମ, ତୁର୍କୀ, ୟୁଏଇ ଓ ଅଷ୍ଟ୍ରେଲିଆ। ବୟନ ରପ୍ତାନି ବଢ଼ାଇବାରେ ଏହି ଦେଶଗୁଡ଼ିକ ସହାୟକ ହୋଇପାରିବେ ବୋଲି ସରକାର ଭାବୁଛନ୍ତି। ଭାରତକୁ ଏକ ଭରସାଯୋଗ୍ୟ ଯୋଗାଣକାରୀ ଭାବେ ଉପସ୍ଥାପିତ କରିବା ଉପରେ କାମ ହେଉଛି। ସେଥିପାଇଁ ରପ୍ତାନି ପ୍ରସାର ପରିଷଦ ଓ ଭାରତୀୟ ମିସନଗୁଡ଼ିକୁ ଦାୟିତ୍ବ ଦିଆଯାଇଛି।
ଦେଶ ଭିତରେ ସ୍ବଦେଶୀ ଜିନିଷର ପ୍ରସାର
ବାଣିଜ୍ୟ ରାଜିନାମା ଆଲୋଚନା ଆଗେଇବ
ଆମେରିକା ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ଭାରତର ବୟନ, ଗହଣା, ଚିଙ୍ଗୁଡ଼ି, ଚମଡ଼ାରୁ ପ୍ରସ୍ତୁତ ଉତ୍ପାଦ, ଫୁଟଓୟାର, ରସାୟନ ଓ ମେସିନ କ୍ଷେତ୍ରକୁ ଅଧିକ ପ୍ରଭାବିତ କରିବ। ଭାରତ ବର୍ତ୍ତମାନ ୨୨୦ରୁ ଅଧିକ ଦେଶକୁ ରପ୍ତାନି କରୁଛି। ସେଥିରୁ ଏଭଳି ୪୦ଟି ଦେଶ ଚୟନ କରାଯାଇଛି, ଯେଉଁମାନଙ୍କ ସହିତ ଭାରତ ଏହାର ରପ୍ତାନିରେ ଦୀର୍ଘକାଳୀନ ବିବିଧତା ଆଣିପାରିବ। ଏହି ଦେଶଗୁଡ଼ିକ ବର୍ଷକୁ ୫୯,୦୦୦ କୋଟି ଡଲାର ମୂଲ୍ୟର ବୟନ ଓ ପୋଷାକ ସାମଗ୍ରୀ ଆମଦାନି କରୁଛନ୍ତି, ଯେଉଁଥିରେ ଭାରତର ଭାଗ ମାତ୍ର ୫-୬ ପ୍ରତିଶତ ରହିଛି। ତେଣୁ ଏହି ଦେଶଗୁଡ଼ିକୁ ବୟନ ସାମଗ୍ରୀ ରପ୍ତାନି ବଢ଼ାଇବାର ବ୍ୟାପକ ସୁଯୋଗ ରହିଛି। ଆମେରିକାକୁ ଭାରତ ୮୬୫୦ କୋଟି ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରୁଥିଲା। ସେଠାକୁ ପଠାଯାଉଥିବା ପ୍ରମୁଖ ଜିନିଷଗୁଡ଼ିକ ଥିଲା ପେଟ୍ରୋଲ, ଚିଙ୍ଗୁଡ଼ି, ପେଟ୍ରୋଲିୟମ୍ ଉତ୍ପାଦ, ସୋଲାର ପ୍ୟାନେଲ, ଗାଡ଼ି ଆସେସୋରି, ସ୍ମାର୍ଟଫୋନ, ଔଷଧ, ହୀରା ଓ ଗହଣା।