ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ସହରର ସବୁଠୁ ବଡ଼ ସମସ୍ୟା ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଅଣ୍ଟା ଭିଡ଼ିଛନ୍ତି। ଏ ନେଇ ରାଜ୍ୟ ସରକାର ଆଜି ଏକ ନୂଆ ଘୋଷଣା କରିଛନ୍ତି। ପେଟ୍ରୋଲ ପମ୍ପଗୁଡ଼ିକରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ପେଟ୍ରୋଲ ଏବଂ ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ଡିଜେଲ ମିଳିବ ନାହିଁ। ପୁରୁଣା ଗାଡ଼ିକୁ ଚିହ୍ନଟ କରିବା ପାଇଁ ପେଟ୍ରୋଲ ପମ୍ପରେ ମେସିନ ଲାଗିବ। ଫଳରେ ସେହି ଗାଡ଼ିଗୁଡ଼ିକୁ ପେଟ୍ରୋଲ ଓ ଡିଜେଲ ବିକ୍ରି କରାଯିବ ନାହିଁ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିର୍ସା ଆଜି କହିଛନ୍ତି। ପ୍ରଦୂଷଣ ନିରୋଧୀ ପଦକ୍ଷେପ ସଂପର୍କରେ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବା ପରେ ସେ ଏହି ସୂଚନା ଦେଇଛନ୍ତି। ଏହାଦ୍ବାରା ଗାଡ଼ି ଚଳାଚଳଜନିତ ପ୍ରଦୂଷଣକୁ ରୋକାଯାଇ ପାରିବ। ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଦିଲ୍ଲୀ ସରକାର ଏ ସଂପର୍କରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟକୁ ସୂଚନା ଦେବେ। ଫଳରେ ପେଟ୍ରୋଲିୟମ ମନ୍ତ୍ରାଳୟ ପେଟ୍ରୋଲ ପମ୍ପ ମାଲିକମାନଙ୍କ ପାଇଁ ବିଜ୍ଞପ୍ତି ଜାରି କରିବ। ଦିଲ୍ଲୀରେ ୪୨୫ରୁ ଅଧିକ ପେଟ୍ରୋଲ ପମ୍ପ ରହିଛି। ପେଟ୍ରୋଲ ପମ୍ପଗୁଡ଼ିକରେ ଗାଜେଟ୍ ଲଗାଯିବ। ସେହି ଗାଜେଟ୍ଗୁଡ଼ିକ ୧୫ ବର୍ଷରୁ ପୁରୁଣା ଗାଡ଼ିକୁ ଚିହ୍ନଟ କରିବ ବୋଲି ମନ୍ତ୍ରୀ କହିଛନ୍ତି। ଦିଲ୍ଲୀ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ୧୦ ବର୍ଷରୁ ପୁରୁଣା ଗାଡ଼ିକୁ ମାର୍ଚ୍ଚ ୩୧ ପରେ ଡିଜେଲ ଦିଆଯିବ ନାହିଁ।
୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ଡିଜେଲ ମିଳିବନି
ଏପ୍ରିଲ ପହିଲାରୁ ଲାଗୁ
ମେସିନ ଚିହ୍ନଟ କରିବ ପୁରୁଣା ଗାଡ଼ି
ନୂଆ ନିୟମ କାର୍ଯ୍ୟକାରିତା ସଂପର୍କରେ ଅଧିକାରୀ ଜଣକ କହିଛନ୍ତି, ଦିଲ୍ଲୀର ଅଧିକାଂଶ ପେଟ୍ରୋଲ ପମ୍ପରେ ଏଆଇ ସୁବିଧା ଥିବା କ୍ୟାମେରା ଲାଗିଛି। ସେଗୁଡ଼ିକ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନିୟମ ଯାଞ୍ଚ କରୁଛି। ସେହି କ୍ୟାମେରାଗୁଡ଼ିକୁ ଗାଡ଼ିର ସମୟ ଅବଧି ଚିହ୍ନଟ ପାଇଁ ବ୍ୟବହାର କରାଯିବ। ଏଥିପାଇଁ ବ୍ୟବସ୍ଥାରେ ଉନ୍ନତି ଅଣାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ଯେଉଁସବୁ ପେଟ୍ରୋଲ ପମ୍ପରେ ଏହି କ୍ୟାମେରା ନାହିଁ ତାହାର ମାଲିକମାନଙ୍କୁ ତୁରନ୍ତ ଏହା ଲଗାଇବାକୁ କୁହାଯିବ। ଏଥିସହିତ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୁରୁଣା ଗାଡ଼ି ଚିହ୍ନଟ କରାଯିବ। ସେଗୁଡ଼ିକ ଯେଭଳି ସହର ଭିତରକୁ ପ୍ରବେଶ ନକରିବ ଏବଂ ସହରରେ ଚାଲୁଥିବା ପୁରୁଣା ଗାଡ଼ିକୁ ବାହାର କରାଯିବ ସେ ନେଇ ପଦକ୍ଷେପ ନିଆଯିବ। ଏହାବ୍ୟତୀତ ଦିଲ୍ଲୀ ସରକାର ଅନ୍ୟ କେତେକ ପ୍ରଦୂଷଣ ନିୟନ୍ତ୍ରଣକାରୀ ପଦକ୍ଷେପ ମଧ୍ୟ ଘୋଷଣା କରିଛନ୍ତି। ସମସ୍ତ ଉଚ୍ଚ ଅଟ୍ଟାଳିକା, ହୋଟେଲ ଏବଂ ବାଣିଜ୍ୟିକ କମ୍ପ୍ଲେକ୍ସରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆଣ୍ଟି ସ୍ମଗ୍ ଗନ୍ ସ୍ଥାପନକୁ ବାଧ୍ୟତାମୂଳକ କରାଯିବ। ଦିଲ୍ଲୀ ବିମାନବନ୍ଦର ଏବଂ ବଡ଼ ବଡ଼ ନିର୍ମାଣ ସ୍ଥଳ ବି ଏଥିରୁ ବାଦ୍ ପଡ଼ିବ ନାହିଁ।
ସମସ୍ତଙ୍କ ପାଇଁ ଆଣ୍ଟି ସ୍ମଗ ଗନ୍ ସ୍ଥାପନକୁ ବାଧ୍ୟତାମୂଳକ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏକ ଆକଳନ ଅନୁଯାୟୀ, ଦିଲ୍ଲୀରେ ଅବଧି ଶେଷ ହୋଇଯାଇଥିବା ପ୍ରାୟ ୫୫ ଲକ୍ଷ ଗାଡ଼ି ରହିଛି। ଦିଲ୍ଲୀ ସରକାର ସିଏନ୍ଜିରେ ପରିଚାଳିତ ପ୍ରାୟ ୯୦ ପ୍ରତିଶତ ସରକାରୀ ପରିବହନ ବସ୍କୁ ୨୦୨୫ ଡିସେମ୍ବର ସୁଦ୍ଧା ବନ୍ଦ କରିବେ। ସେଗୁଡ଼ିକ ସ୍ଥାନରେ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିବ। ଇନ୍ଧନ ବିକ୍ରି ଉପରେ ଲଗାଯାଇଥିବା କଟକଣାକୁ ଦିଲ୍ଲୀ ପେଟ୍ରୋଲ ଡିଲର ସଂଘର ସଭାପତି ନିଶ୍ଚଳ ସିଂଘାଣିଆ ସ୍ବାଗତ କରିଛନ୍ତି। ସେ କହିଛନ୍ତି ୧୫ ବର୍ଷରୁ ପୁରୁଣା ଗାଡ଼ି ଦିଲ୍ଲୀରେ ନଚାଲିବା ନେଇ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ପ୍ରଦୂଷଣ ପ୍ରମାଣପତ୍ର ରହିଛି କି ନାହିଁ ତାହା ଜାଣିବା ଲାଗି ପେଟ୍ରୋଲ ପମ୍ପଗୁଡ଼ିକରେ ମେସିନ ରହିଛି। ସେଗୁଡ଼ିକ ଜରିଆରେ କେବଳ ଗାଡ଼ି ମାଲିକଙ୍କୁ ସତର୍କ କରାଯାଉଛି। ତେଣୁ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ଜାଣିବା ପାଇଁ ସମାନ ବ୍ୟବସ୍ଥାକୁ ଆପଣାଯାଇ ପାରିବ ବୋଲି ସେ କହିଛନ୍ତି।