୨୬ରେ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା, ସାମିଲ ହେବେ ଓଡ଼ିଶାର ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ

ନୂଆଦିଲ୍ଲୀ : ଜିଏସଟି ଆଇନରେ ଜଟିଳତା ଓ ଅନଲାଇନ ବ୍ୟବସାୟ ବିରୋଧରେ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆସନ୍ତା ଶୁକ୍ରବାରଦିନ ଧର୍ମଘଟ ଡାକରା ଦିଆଯାଇଛି । ଏହି ଧର୍ମଘଟକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ସମର୍ଥନ କରିଛି । ଫଳରେ ଆସନ୍ତା ଶୁକ୍ରବାରଦିନ ରାଜ୍ୟର ବ୍ୟବସାୟିକ ପ୍ରତିଷ୍ଠାନଗୁ଼ଡ଼ିକ ବନ୍ଦ ରହିବ ।

ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡାଙ୍କ ତରଫରୁ ଜାରି ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ ଗତ ୨୦୧୭ ଜୁଲାଇ ପହିଲାରୁ ଲାଗୁ ହୋଇଥିବା ଜିଏସଟି ଆଇନରେ ଇତି ମଧ୍ୟରେ ୯୫୦ରୁ ଅଧିକ ଥର ସଂଶୋଧନ ହୋଇସାରିଛି । ଫଳରେ ମୂଳ ଆଇନ ସଂପୂର୍ଣ୍ଣଭାବେ ବଦଳିଯାଇ ଏହା ଏକ ବ୍ୟୟସାୟୀ ଓ ଜନ ବିରୋଧୀ ଆଇନରେ ପରିଣତ ହୋଇଯାଇଛି । ଏହି ଆଇନ ଅଧିନରେ ଜଣେ ପଂଜୀକୃତ ବ୍ୟବସାୟୀ ଅନ୍ୟ ଜଣେ ପଂଜୀକୃତ ବ୍ୟବସାୟୀଙ୍କୁ ବସ୍ତୁ ବା ସେବା ଯୋଗାଇବା ବେଳେ ଧାର୍ଯ୍ୟ ଟିକସ ନେଇଥାନ୍ତି ମାତ୍ର ଯଦି ସେ ଉକ୍ତ ଟିକସକୁ ଠିକ ସମୟରେ ସରକାରଙ୍କ ପାଖରେ ପୈଠ କରନ୍ତି ନାହିଁ, ତେବେ ଦ୍ରବ୍ୟ ବା ସେବା କ୍ରୟ କରିଥିବା ବ୍ୟବସାୟୀ ଇନପୁଟ କ୍ରେଡିଟ ପାଇନଥାନ୍ତି ଓ ତାଙ୍କୁ ଦୁଇଥର ଟିକସ ଦେବାକୁ ପଡ଼େ । ଏହା ବ୍ୟବସାୟୀଙ୍କ ପ୍ରତି ଏକ ଅନ୍ୟାୟ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଅନଲାଇନ ବ୍ୟବସାୟ କରୁଥିବା କମ୍ପାନିମାନେ ପାରମ୍ପରିକ ଅଫଲାଇନ ବ୍ୟବସାୟୀମାନଙ୍କୁ ବନ୍ଦ କରିବାକୁ ନାନା ପ୍ରକାରର ଚକ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି ସଂଘ ପକ୍ଷରୁ ଖାଦ୍ୟ ନିରାପତ୍ତା ଆଇନରେ ଥିବା କେତେକ ବ୍ୟବସ୍ଥାକୁ ମହାସଂଘ ପକ୍ଷରୁ ବିରୋଧ କରାଯାଇଛି ।

ଏହି ଧର୍ମଘଟରେ ଓଡ଼ିଶାର ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ସମେତ ଦେଶର ୮ କୋଟି ବ୍ୟବସାୟୀ ସାମିଲ ହେବେ। ମାତ୍ର ଏହା ଦ୍ବାରା ଗମନାଗମନ ପ୍ରଭାବିତ ହେବ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ସମ୍ବନ୍ଧିତ ଖବର