ନୂଆଦିଲ୍ଲୀ: ହିମାଳୟ ଯୋଗୀ ଜଣକ କିଏ ତାହା ଦୁନିଆ ଯେଭଳି କେବେବି ଜାଣିନପାରିବ ସେଥିପାଇଁ ଯୋଜନା ହୋଇଥିଲା। ଆଧ୍ୟାତ୍ମିକ ଛାପ ଥିବା ଏକ ଇ-ମେଲ୍ ଆଇଡି ଖୋଲି ସେଥିରେ ବାର୍ତାଳାପ ହେଉଥିଲା। ସମ୍ଭାବ୍ୟ ବିପଦକୁ ଏଡ଼ାଇବା ଲାଗି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ (ଏନ୍ଏସ୍ଇ)ର ସିଇଓ ଚିତ୍ରା ରାମକ୍ରିଷ୍ଣ ଓ ଗ୍ରୁପ୍ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣ୍ୟମ୍ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲେ। ବହୁ ସତର୍କ ରହିବା ସତ୍ତ୍ବେ ସୁବ୍ରମଣିଅନ ଅତୀତରେ ଅଜାଣତରେ ଏଭଳି କିଛି ଭୁଲ କରିଥିଲେ ଯାହା ତାଙ୍କ କାରସାଦିକୁ ଧରା ପକାଇଦେଇଛି। ଇ-ମେଲ୍ରେ ସଲଗ୍ନ ହୋଇଥିବା ଜିଓଟ୍ୟାଗ୍ ଛବି, ହୋଟେଲ୍ ବୁକିଂ ଓ ପେମେଣ୍ଟ୍ ଏବଂ ଇ-ମେଲ୍ରେ ବ୍ୟବହାର ହେଉଥିବା ଭାଷା ସହିତ ସୁବ୍ରମଣ୍ୟମଙ୍କ ବ୍ୟକ୍ତିଗତ ଇ-ମେଲ୍ ଭାଷାର ସମାନତା ତାଙ୍କ ଉପରେ ସନ୍ଦେହ ସୃଷ୍ଟି କରିବାକୁ ଯଥେଷ୍ଟ ଥିଲା। କିଛି ବର୍ଷ ପୂର୍ବେ ‘ଇଆଣ୍ଡ୍ୱାଇ’ ପକ୍ଷରୁ ଏନ୍ଏସ୍ଇ ଜାଲିଆତିର କରାଯାଇଥିବା ଏକ ତଦନ୍ତ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା ଯେ ସୁବ୍ରମଣ୍ୟମ ନିଜେ ଯୋଗୀ ସାଜି ଚିତ୍ରାଙ୍କୁ ସବୁ ଇ-ମେଲ୍ ପଠାଇଥିଲେ। ଏହା ପଛରେ ରହିଥିବା ବଳିଷ୍ଠ ପ୍ରମାଣଗୁଡ଼ିକ ବିଷୟରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହି ରିପୋର୍ଟକୁ ସେବି ସାର୍ବଜନୀନ କରିବା ପରେ ଚିତ୍ରାଙ୍କ ହିମାଳୟ ଯୋଗୀ କାହାଣୀ ସାମ୍ନାକୁ ଆସିଥିଲା।
ଜିଓଟ୍ୟାଗଡ୍ ଇମେଜ୍
ହିମାଳୟ ଯୋଗୀଙ୍କ ଇ-ମେଲ୍ [email protected]ରେ ଆଟାଚ୍ ହୋଇଥିବା ଜିଓଟ୍ୟାଗଡ୍ ଇମେଜ୍ରୁ ଜଣାପଡ଼ିଥିଲା ଯେ ସେହି ଇ-ମେଲ୍ଗୁଡ଼ିକୁ ସୁବ୍ରମଣ୍ୟମ୍ ନିଜେ ପଠାଉଥିଲେ। ସେହି ଜିଓଟ୍ୟାଗଡ୍ ଇମେଜ୍ଗୁଡ଼ିକ ସୁବ୍ରମଣ୍ୟମଙ୍କ ଚେନ୍ନାଇ ବାସଭବନ ପାଖାପାଖି ଅଞ୍ଚଳର ଥିଲା। ଇଆଣ୍ଡ୍ୱାଇ ୧୭ଟି ଇ-ମେଲ୍କୁ ଯାଞ୍ଚ କରିବା ପରେ ୮ଟିରେ ଇମେଜ୍ ଥିବା ଜାଣିବାକୁ ପାଇଥିଲା। ସେଥିରୁ ଦୁଇଟି ଇମେଜ୍କୁ ଅନୁଶୀଳନ କରିବା ପରେ ତାହା ସୁବ୍ରମଣ୍ୟମଙ୍କ ଘର ପାଖାପାଖି ଅଞ୍ଚଳର ବୋଲି ଜଣାପଡ଼ିଥିଲା। ଏହା ପରେ ଅଫିସ କାମ ପାଇଁ ସୁବ୍ରମଣ୍ୟମ ବ୍ୟବହାର କରୁଥିବା ଇ-ମେଲ୍ ଆଇଡିକୁ ଯାଞ୍ଚ କରିବା ପରେ ସେଥିରେ ଦୁଇଟି ଇ-ମେଲ୍ରେ ସମାନ ଜିଓଟ୍ୟାଗଡ୍ ଇମେଜ୍ ମିଳିଥିଲା। ତାହା ଥିଲା ସୁବ୍ରମଣ୍ୟମଙ୍କ ବିରୋଧରେ ପ୍ରଥମ ବଳିଷ୍ଠ ପ୍ରମାଣ।
ହୋଟେଲ୍ ବୁକିଂ
ଦ୍ବିତୀୟ ବଡ଼ ପ୍ରମାଣ ହେଉଛି ହୋଟେଲ୍ ବୁକିଂ। ଉମୈଦ ଭବନ ପ୍ୟାଲେସ୍ ନାମକ ଏକ ହୋଟେଲ୍ରେ କରାଯାଇଥିବା ବୁକିଂ ବିଷୟରେ ୨୦୧୫ ଡିସେମ୍ବର ୧ରେ ହିମାଳୟ ଯୋଗୀଙ୍କ ଇ-ମେଲ୍ ଆଇଡିରୁ ଏକ ମେଲ୍ ଚିତ୍ରାଙ୍କୁ ପଠାଯାଇଥିଲା ଓ ସେଥିରେ ସୁବ୍ରମଣ୍ୟମଙ୍କୁ କପି ମାର୍କ କରାଯାଇଥିଲା। ସୁବ୍ରମଣ୍ୟମଙ୍କ ବ୍ୟାଙ୍କ ଖାତା ବିବରଣୀ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ ତାହାର କିଛି ଦିନ ପୂର୍ବରୁ ଅର୍ଥାତ ୨୦୧୫ ନଭେମ୍ବର ୨୭ରେ ସେହି ଖାତାରୁ ୨,୩୭,୯୮୪ ଟଙ୍କା ଉମୈଦ ଭବନ ପ୍ୟାଲେସ୍କୁ ପେମେଣ୍ଟ୍ କରାଯାଇଛି।
ସ୍କାଇପ୍ ଆଇଡି
ଏନ୍ଏସ୍ଇର ଡେସ୍କଟପ୍ରେ ସୁବ୍ରମଣ୍ୟମ୍ଙ୍କ ପାଇଁ ଯେଉଁ ସ୍କାଇପ୍ ଆଇଡି ଖୋଲାଯାଇଥିଲା ତାହାକୁ ଅନୁଶୀଳନ କରିବା ପରେ ଜଣାପଡ଼ିଥିଲା ଯେ ତାହା ସହିତ ‘ସାନନ୍ଦ’ ନାମରେ ଏକ ୟୁଜର ପ୍ରୋଫାଇଲ୍ ଯୋଡ଼ି ହୋଇରହିଛି। ସାନନ୍ଦ ୱିଣ୍ଡୋ ପ୍ରୋଫାଇଲ୍କୁ ଆହୁରି ଅଧିକ ଅନୁଶୀଳନ କରିବା ପରେ ଜଣାପଡ଼ିଥିଲା ଯେ anand.subramanian9 ଓ siromani.10 ତାହା ସହ କନ୍ଫିଗର ହୋଇଛି। ଗୋଟିଏ ସୁବ୍ରମଣ୍ୟମଙ୍କ ନିଜର ସ୍ପାଇପ୍ ଆଇଡି ହୋଇଥିବା ବେଳେ ଅନ୍ୟଟି ହେଉଛି ହିମାଳୟ ଯୋଗୀଙ୍କ ଆଇଡି। ଅର୍ଥାତ ଯେଉଁ ବ୍ୟକ୍ତି ସାନନ୍ଦ ପ୍ରୋଫାଇଲ୍ର ୟୁଜର ଆଇଡି ଓ ପାସ୍ୱାର୍ଡ ଜାଣିଥିଲେ କେବଳ ସେ ହିଁ ଏହି ଦୁଇଟି ଆଇଡିକୁ ବ୍ୟବହାର କରୁଥିଲେ।
ଇ-ମେଲ୍ର ଶବ୍ଦ
ଚିତ୍ରାଙ୍କୁ ସୁବ୍ରମଣ୍ୟମ ଯେଉଁ ଇ-ମେଲ୍ ପଠାଉଥିଲେ ଏବଂ ତାଙ୍କ ଅନ୍ୟ ବ୍ୟକ୍ତିଗତ ଇ-ମେଲ୍ରେ ବ୍ୟବହାର ହୋଇଥିବା କିଛି ଶବ୍ଦ ମଧ୍ୟରେ ସମାନତା ଥିଲା। ଆଶିର୍ବାଦମ୍, ଭଗବାନ ଏବଂ ସ୍ବାମୀ ଭଳି ଶବ୍ଦ ବହୁବାର ବ୍ୟବହାର ହେଉଥିଲା। ଏନ୍ଏସ୍ଇ ବାହାରର କିଛି ବ୍ୟକ୍ତିଙ୍କୁ ସୁବ୍ରମଣ୍ୟମ୍ ପଠାଇଥିବା ଇ-ମେଲ୍ରେ ଲେଖିଥିଲେ ଯେ ହିମାଳୟ ଯୋଗୀ ଏନ୍ଏସ୍ଇର ଦୁଇ ଜଣ କର୍ମଚାରୀଙ୍କୁ ଭେଟିଛନ୍ତି। କିନ୍ତୁ ଇଆଣ୍ଡ୍ୱାଇ ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲା ଯେ ଯେଉଁ ବୈଠକ ବିଷୟରେ ସେହି ଇ-ମେଲ୍ରେ ଆଲୋଚନା ହୋଇଥିଲା ସେହି ଦୁଇ ବ୍ୟକ୍ତି କୌଣସି ହିମାଳୟ ଯୋଗୀ ନୁହେଁ ବରଂ କେବଳ ସୁବ୍ରମଣ୍ୟମଙ୍କୁ ଭେଟିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/fhsf65h465sfh4sf65h.jpg)