ନୂଆଦିଲ୍ଲୀ: ବିଦେଶରେ ପାଠପଢ଼ିବା ସ୍ବପ୍ନ ସାକାର କରିବା ଗ୍ରାମୀଣ ଭାରତର ଛାତ୍ରଛାତ୍ରୀଙ୍କ ଲାଗି ମହଙ୍ଗା ହେବାରେ ଲାଗିଛି। ପରିବାର ଲୋକ ନିଜର ଜମିବାଡ଼ି, ପେନ୍ସନ୍ ସାର୍ଟିଫିକେଟ୍ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ବନ୍ଧକ ରଖି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଖର୍ଚ୍ଚ ଯୋଗାଡ଼ କରୁଛନ୍ତି। ନୋ ବୋଡର୍ସ କନସଲ୍ଟାନ୍ସିର ପ୍ରତିଷ୍ଠାତା ନିର୍ଦେଶକ ସମିର ଯାଦବ କହିଛନ୍ତି ଯେ ଚାରି ବର୍ଷ ପୂର୍ବେ ବିଦେଶକୁ ପାଠପଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଥିଲେ ନିମ୍ନ ଆୟ ବର୍ଗର। ଏବେ ସେହି ହାର ୬୦ ପ୍ରତିଶତକୁ ବୃଦ୍ଧି ପାଉଛି। ପାଠପଢ଼ା ଲାଗି ଟଙ୍କା ଯୋଗାଡ଼ କରିବା ନିମନ୍ତେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପରିବାର ନିଜ ଘର କିମ୍ବା ଜମି ବନ୍ଧକ ରଖୁଛନ୍ତି। ଶିକ୍ଷା ଋଣରେ ଖିଲାପ ହାର ଅଧିକ ରହିଥିବାରୁ ବ୍ୟାଙ୍କଗୁଡ଼ିକ ପାଣ୍ଠି ଦେବା ଲାଗି ଅମଙ୍ଗ ରହୁଛନ୍ତି।
୨୦୨୨ରେ ଉଚ୍ଚ ଶିକ୍ଷା ଲାଗି ବିଦେଶକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ୨୦୧୭ରେ ୪,୫୦,୦୦୦ ଛାତ୍ରଛାତ୍ରୀ ବିଦେଶ ପଢ଼ିବାକୁ ଯାଇଥିଲେ। ୨୦୧୮ରେ ସେହି ସଂଖ୍ୟା ୫,୨୦,୦୦୦, ୨୦୧୯ରେ ୫,୮୬,୦୦୦କୁ ବୃଦ୍ଧି ପାଇଥିଲା। କରୋନା ମହାମାରୀ ପ୍ରଭାବରେ ୨୦୨୦ରେ ସେମାନଙ୍କ ସଂଖ୍ୟା ୨,୬୦,୦୦୦କୁ ହ୍ରାସ ପାଇଥିଲା। ୨୦୨୧ରେ ୪,୪୦,୦୦୦ ଛାତ୍ରଛାତ୍ରୀ ବିଦେଶ ପଢ଼ିବାକୁ ଯାଇଥିଲା। ୨୦୨୨ରେ ସେମାନଙ୍କ ସଂଖ୍ୟା ୭,୫୦,୦୦୦କୁ ବୃଦ୍ଧି ପାଇଥିଲା।
ରେଡ୍ସିୟର ସଂସ୍ଥାର ଆକଳନ ଅନୁଯାୟୀ ଭାରତର ବିଦେଶ ଶିକ୍ଷା ବଜାର ୨୦୨୪ ସୁଦ୍ଧା ୮୦୦୦ କୋଟି ଡଲାରରେ ପହଞ୍ଚିବ। କରୋନା ମହାମାରୀ ପରେ ଦିଲ୍ଲୀ, ମୁମ୍ବାଇ ଭଳି ବଡ଼ ସହରରୁ ବିଦେଶ ପଢ଼ିବାକୁ ଯାଉଥିବା ପିଲାଙ୍କ ସଂଖ୍ୟା କମିଥିବା ବେଳେ ସୀତାପୁର, ଧାନବାଦ ଓ ଜାମସେଦପୁର ଭଳି ଛୋଟ ସହରରୁ ଅଧିକ ପିଲା ବିଦେଶ ଯାଇଛନ୍ତି।