ବଜାରରେ ଷ୍ଟାଇଲିସ୍‌ ନାକଫୁଲର ଚମକ

ମହିଳାମାନେ ଗହଣାପ୍ରିୟ। ମୁହଁ ଏବଂ ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସେମାନେ ବିଭିନ୍ନ ଅଳଙ୍କାର ପିନ୍ଧିବାକୁ ଭଲ ପାଇଥାନ୍ତି। ଏଗୁଡ଼ିକ ମଧ୍ୟରେ ନାକଫୁଲ ଅନ୍ୟତମ। ନାକ ଫୋଡ଼ାଇଲେ ମହିଳାମାନଙ୍କ ପ୍ରସବକାଳୀନ ଯନ୍ତ୍ରଣା କମ୍‌ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବକାଳରେ ବିବାହ ପୂର୍ବରୁ ଝିଅମାନଙ୍କର ନାକ ଫୋଡ଼ାକୁ ପ୍ରାୟତଃ ବାଧ୍ୟତାମୂଳକ କରାଯାଉଥିଲା। ନାକ ଫୋଡ଼ାଇବା ପରେ ମହିଳାମାନେ ବିଭିନ୍ନ ଧାତୁର ଗହଣା ପିନ୍ଧୁଥିଲେ। ଫଳରେ ଭାରତର ପ୍ରାୟ ସବୁ ରାଜ୍ୟରେ ନାକରେ ଗହଣା ପିନ୍ଧିବା ଧାରା ବହୁ ପୂର୍ବରୁ ରହିଆସିଛି। ତେବେ କିଛିବର୍ଷ ହେଲା ଏହି ସଂସ୍କୃତିରେ କିଛିଟା ପରିବର୍ତନ ଆସିଥିଲା। କିନ୍ତୁ ଏବେ ପୁଣି ସେହି ପୁରୁଣା ଜମାନା ଫେରିଛି। ଯଦିଓ ପୂର୍ବଭଳି ଝିଅ ଓ ମହିଳାମାନେ ଓଜନିଆ ନାକଫୁଲ ପିନ୍ଧୁନାହାନ୍ତି ତଥାପି ନାକଫୁଲ ପିନ୍ଧୁଥିବା ମହିଳାଙ୍କ ସଂଖ୍ୟା ଏବେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଆମର ଏହି ବିଶେଷ ଉପସ୍ଥାପନା :

୨୦ ଟଙ୍କାରୁ ୨୦ ହଜାର ଟଙ୍କା

ଭୁବନେଶ୍ୱର ସମେତ ରାଜ୍ୟ ବଜାରରେ ଏବେ ସୁନା ଓ ରୁପାଠାରୁ ଆରମ୍ଭ କରି ହୀରା ଏବଂ ଅନ୍ୟ ଧାତୁରେ ନିର୍ମିତ ନାକଫୁଲ ଓ ନାକପିନ୍‌ ମିଳିଯାଉଛି। ଇମିଟେସନ୍‌ ନାକଫୁଲ ବି ବଜାରରେ ବିକ୍ରି ହେଉଛି। ଇମିଟେସନ ନାକଫୁଲ ଓ ନାକପିନ୍‌ ଶସ୍ତାରେ ଅର୍ଥାତ୍‌ ୨୦ ଟଙ୍କାରୁ ୧୫୦ ଟଙ୍କା ମଧ୍ୟରେ ମିଳିଯାଉଛି। ଇମିଟେସନ୍‌ ସୋ’ରୁମ୍‌ରେ ଷ୍ଟୋନ୍‌ ଓ ମାଳିରେ ପ୍ରସ୍ତୁତ ନାକଫୁଲ ସମେତ ସୁନା ଭଳି ଦେଖାଯାଉଥିବା ସୁନେଲି ରଙ୍ଗର ନାକଫୁଲ ମଧ୍ୟ ବିକ୍ର ହେଉଛି। ତେବେ ସୁନା ଓ ହୀରା ଆଦି ମୂଲ୍ୟବାନ ଧାତୁରେ ପ୍ରସ୍ତୁତ ନାକଫୁଲ ଓ ନାକପିନ୍‌ର ମୂଲ୍ୟ ଅଳଙ୍କାରର ଆକାର ଏବଂ ଡିଜାଇନ ଉପରେ ନିର୍ଭର କରୁଛି। ୧୫୦ ମିଲିଗ୍ରାମ୍‌ ସୁନାରେ ଏକ ପ୍ଲେନ୍‌ ଡିଜାଇନ୍‌ର ନାକଫୁଲ ପ୍ରାୟ ୪୦୦ ଟଙ୍କାରେ ମିଳିଯାଉଥିବାବେଳେ ୬୫୦ ମିଲିଗ୍ରାମ ସୁନାରେ ପ୍ରସ୍ତୁତ ନାକଫୁଲ ମୂଲ୍ୟ ୨୫୦୦ ଟଙ୍କା ପର୍ଯ୍ୟନ୍ତ ରହୁଛି । ତେବେ ହୀରାରେ ପ୍ରସ୍ତୁତ ନାକପିନ୍‌ର ମୂଲ୍ୟ ହୀରାର କ୍ୟାରଟ ଓ ଗହଣାର ଆକାର ଉପରେ ନିର୍ଭର କରୁଛି। ଭୁବନେଶ୍ୱରରେ କେତେକ ସୋ’ରୁମ୍‌ରେ ଅଢ଼େଇ ହଜାରରୁ ୩ ହଜାର ଟଙ୍କା ମଧ୍ୟରେ ହୀରା ନାକଫୁଲ ମିଳିଯାଉଛି। ନାକ ଫୋଡ଼େଇ ଥିବା ମହିଳାମାନେ ବିଭିନ୍ନ ଡିଜାଇନ୍‌ର ନାକଫୁଲ ଓ ନାକପିନ୍‌ ନେଉଥିବାବେଳେ ନାକ ଫୋଡେଇ ନଥିବା ମହିଳା ଓ ଝିଅମାନେ ସେମାନଙ୍କ ନାକକୁ ସେଟ୍‌ ହେବା ଭଳି ଫୁଲ ଓ ପିନ୍‌ ନେଉଛନ୍ତି।

ସୋ’ରୁମ୍‌ରେ ଫୋଡ଼ାଯାଉଛି ନାକ
ପୂର୍ବରୁ ଗହଣା ପିନ୍ଧିବା ପାଇଁ ଝିଅ ଓ ମହିଳାମାନେ ଘରେ ନାକ ଫୋଡ଼ାଉଥିବାବେଳେ ଏବେ ନାକ ଫୋଡ଼ାଇବା ସୁବିଧା ଗହଣା ସୋ’ରୁମ୍‌ ଗୁଡ଼ିକରେ ମିଳିଯାଉଛି। ଗନ୍‌ ଫାୟାର ମାଧ୍ୟମରେ ସହଜରେ ନାକ ଫୋଡ଼ାଯାଇ ପାରୁଛି ବୋଲି ରାଜଧାନୀର ଏକ ପ୍ରମୁଖ ଗହଣା ସୋ’ରୁମ୍‌ର ଜଣେ ମ୍ୟାନେଜର କୁହନ୍ତି। ପ୍ରଥମେ ନାକ ଫୋଡ଼ାଇ ଦିଆଯାଇ ଗ୍ରାହକଙ୍କୁ ସୁନାରେ ପ୍ରସ୍ତୁତ ନାକ ପିନ୍‌ ଏବଂ ଔଷଧ ଦିଆଯାଉଛି। ଫୋଡ଼ାଯାଇଥିବା ସ୍ଥାନ ଶୁଖିଗଲା ପରେ ଗ୍ରାହକମାନେ ସେମାନଙ୍କ ରୁଚି ଅନୁଯାୟୀ ସୁନା କିମ୍ବା ହୀରାରେ ପ୍ରସ୍ତୁତ ନାକପିନ୍‌ ଓ ନାକଫୁଲ ପିନ୍ଧୁଛନ୍ତି। ୫୦୦ ଓ ୬୦୦ ଟଙ୍କାରେ ଗ୍ରାହକଙ୍କୁ ଏହି ସୁବିଧା ମିଳିଯାଉଛି ବୋଲି ଏକ ଗହଣା ସୋ’ରୁମ୍‌ର ଅଧିକାରୀ କୁହନ୍ତି।

ହାଲ୍‌କା ନାକଫୁଲ ଆଗରେ

କେତେକ ଝିଅ ଓ ମହିଳା ବିଭାଘର, ବ୍ରତଘର ସମେତ ଅନ୍ୟାନ୍ୟ ଉତ୍ସବ ଅନୁଷ୍ଠାନକୁ ଯିବା ସମୟରେ ନାକଫୁଲ ପିନ୍ଧୁଥିବାବେଳେ ଅନ୍ୟ କେତେକ ଝିଅ ଓ ମହିଳା ସବୁଦିନେ ନାକଫୁଲ ପିନ୍ଧିବାକୁ ଭଲ ପାଉଛନ୍ତି। ରାଜଧାନୀର ଜଣେ ଗହଣା ବ୍ୟବସାୟୀଙ୍କ କହିବାନୁଯାୟୀ କିଛିବର୍ଷ ପୂର୍ବରୁ ଝିଅ ଓ ମହିଳାମାନେ ଅଧିକ ସଂଖ୍ୟାରେ ନାକଫୁଲ ପିନ୍ଧୁଥିଲେ। କିନ୍ତୁ କିଛିବର୍ଷ ପାଇଁ ଏଥିରେ ମନ୍ଥରତା ଦେଖାଦେଇଥିଲା। ଏବେ ପୁଣି ଏହି ଟ୍ରେଣ୍ଡ୍‌ ଫେରିଛି। କମ୍‌ ଓଜନ୍‌ ଏବଂ ଆକର୍ଷଣୀୟ ଡିଜାଇନ୍‌ର ଗହଣା ଆସିବା ପରେ ଝିଅ ଓ ମହିଳାମାନେ ନାକଫୁଲ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଏହି ଧାରା ଆଗାମୀ ଦିନରେ ମଧ୍ୟ ବଜାୟ ରହିବ ବୋଲି ବ୍ୟବସାୟୀମାନେ ଆଶାବ୍ୟକ୍ତ କରିଛନ୍ତି।

ନାକ ଅନୁଯାୟୀ ଗହଣା
ଝିଅ ଓ ମହିଳାମାନେ ନାକଫୁଲ ଓ ନାକପିନ୍‌ ସେମାନଙ୍କର ନାକ ଅନୁଯାୟୀ ପସନ୍ଦ କରୁଛନ୍ତି। ଯେଉଁମାନଙ୍କ ନାକ ବଡ଼ ସେମାନେ ବଡ଼ ନାକଫୁଲ ଓ ନାକପିନ୍‌ ପିନ୍ଧୁଛନ୍ତି। ଯେଉଁମାନଙ୍କର ନାକ ଛୋଟ ସେମାନେ ଛୋଟ ଆକାରର ନାକଫୁଲ ଓ ନାକ ପିନ୍‌ ପିନ୍ଧୁଛନ୍ତି। ତେବେ ସୋ’ରୁମ୍‌ରେ ଉପଲବ୍ଧ ଥିବା ଡିଜାଇନ୍‌ ଓ ଗ୍ରାହକଙ୍କ ବ୍ୟକ୍ତିଗତ ପସନ୍ଦ ଉପରେ ଗହଣାର ବିକ୍ରି ନିର୍ଭର କରୁଛି ବୋଲି ଜଣେ ବ୍ୟବସାୟୀ ମତ ଦେଇଛନ୍ତି।

ଚାହିଦାରେ ସାନିଆ ମିର୍ଜା ଡିଜାଇନ୍‌
ନାମୀଦାମୀ ଗହଣା ସୋ’ରୁମ୍‌ ଗୁଡ଼ିକରେ ବିଭିନ୍ନ ଡିଜାଇନ୍‌ର ନାକଫୁଲ ବିକ୍ରି ହେଉଛି। ସେଗୁଡ଼ିକ ମଧ୍ୟରେ ଷ୍ଟଡ୍‌, ଓୟାର ଓ ସାନିଆ ମିର୍ଜା ଡିଜାଇନ୍‌ର ନାକଫୁଲ ରହିଛି। ସବୁ ଡିଜାଇନ୍‌ର ଗହଣା ବିକ୍ରି ହେଉଥିଲେ ମଧ୍ୟ ସବୁଠୁ ଅଧିକ ଚାହିଦା ସାନିଆ ମିର୍ଜା ଡିଜାଇନ୍‌ର ରହିଛି ବୋଲି ଏକ ଗହଣା ସୋ’ରୁମ୍‌ର ଜଣେ ଅଧିକାରୀ କୁହନ୍ତି। ତାଙ୍କ କହିବାନୁଯାୟୀ ସୋ’ରୁମ୍‌ରେ ୫୦ ପ୍ରତିଶତରୁ ଅଧିକ ସାନିଆ ମିର୍ଜା ଡିଜାଇନ୍‌ର ନାକଫୁଲ ବିକ୍ରି ହେଉଛି। ଡିଜାଇନ ସମେତ ଅଧିକାଂଶ ଗ୍ରାହକ କମ୍‌ ଓଜନର ହାଲ୍‌କା ନାକଫୁଲ ଓ ନାକପିନ୍‌କୁ ପସନ୍ଦ କରୁଛନ୍ତି ବୋଲି ସେ କୁହନ୍ତି।

 

ସମ୍ବନ୍ଧିତ ଖବର