ସୁବର୍ଣ୍ଣରେଖା ବନ୍ଦରରେ ଟାଟା ଖଟାଇବ ୩୦୦୦ କୋଟି

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲାରେ ସୁବର୍ଣ୍ଣରେଖା ବନ୍ଦରର ନିର୍ମାଣ କାର୍ଯ୍ୟ କିଛି ମାସ ଭିତରେ ଆରମ୍ଭ ହେବ ବୋଲି ଟାଟା ଷ୍ଟିଲ୍‌ର ପରିଚାଳନା ନିର୍ଦେଶକ ଟି ଭି ନରେନ୍ଦ୍ରନ କହିଛନ୍ତି। ଆଜି ସେ ଏହି ପ୍ରକଳ୍ପ ସମ୍ପର୍କରେ ସଚିବାଳୟ ଠାରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ଏହା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଖୁବ୍‌ଶୀଘ୍ର ଆମେ ବନ୍ଦର କାମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ। କେତେକ ସମସ୍ୟା ରହିଛି ଯାହା ସମାଧାନ ହୋଇଯିବା ପରେ କାମ ଆରମ୍ଭ ହୋଇଯିବ। ଥରେ କାମ ଆରମ୍ଭ ହେଲେ ତାହାର ପରବର୍ତି ୪-୫ ବର୍ଷ ଭିତରେ ବନ୍ଦର କାର୍ଯ୍ୟକ୍ଷମ ହୋଇଯିବ। ଏହି ବନ୍ଦରର ବାର୍ଷିକ କ୍ଷମତା ୨୫ ନିୟୁତ ଟନ୍ ହୋଇପାରିବ ବୋଲି ଶ୍ରୀ ନରେନ୍ଦ୍ରନ କହିଛନ୍ତି। ପ୍ରାରମ୍ଭିକ ଆକଳନ ଅନୁସାରେ ସୁବର୍ଣ୍ଣରେଖା ବନ୍ଦର ପାଇଁ ପାଖାପାଖି ୨୦୦୦-୩୦୦୦ କୋଟି ଟଙ୍କା ବିନିଯୋଗ ହେବ ବୋଲି ସେ କହିଛନ୍ତି। ଏହି ବନ୍ଦର ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ପାଇଁ ବେଶ ଲାଭଦାୟକ ହେବ। ଟାଟା ଷ୍ଟିଲ୍‌ ଏହାର ଜାମସେଦପୁର କାରଖାନା ପାଇଁ ଏହାକୁ ବ୍ୟବହାର କରିବ ବୋଲି ସେ କହିଛନ୍ତି।
ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କହିଛନ୍ତି ଯେ, ସୁବର୍ଣ୍ଣରେଖା ବନ୍ଦର ପାଇଁ ୬୯୨ ଏକର ଜମି ହସ୍ତାନ୍ତର କରାଯାଇଛି। ଆଉ ୧୫୦ ଘରୋଇ ଓ ସରକାରୀ ଜମି ହସ୍ତାନ୍ତର କରିବା ପ୍ରକ୍ରିୟା ଜାରି ରହିଛି। ବନ୍ଦର କାମ ଯେଭଳି ଶୀଘ୍ର ଆରମ୍ଭ ହୋଇପାରିବ ସେଥିପାଇଁ ଆକ୍‌ସେସ୍‌ ରୋଡ୍‌ ନିର୍ମାଣ କରିବା ନିମନ୍ତେ ୨୭ ଏକର ଜମି ଯୋଗାଇ ଦେବାକୁ ପ୍ରାଥମିକତା ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି। ଏହି ପ୍ରକଳ୍ପରେ ୫୦୦୦ କୋଟି ଟଙ୍କା ନିବେଶ ହୋଇପାରେ ବୋଲି ସେ ଆକଳନ କରିଛନ୍ତି।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ସୁବର୍ଣ୍ଣରେଖା ବନ୍ଦରକୁ ସବୁଦିନିଆ ବନ୍ଦର ଭାବେ ବିକଶିତ କରିବା ପାଇଁ ୨୦୦୮ରେ ଚେନ୍ନାଇର ଏକ କଂପାନି କ୍ରିଏଟିଭ୍ ପୋର୍ଟ ଡେଭେଲପ୍‌ମେଣ୍ଟ୍‌ ଲିମିଟେଡ୍‌ (ସିପିଡିପିଏଲ୍‌) ପକ୍ଷରୁ ଓଡ଼ିଶା ସରକାରଙ୍କ ସହ କନ୍‌ସେସନାଲ୍ ଏଗ୍ରିମେଣ୍ଟ୍‌ ସ୍ବାକ୍ଷର କରାଯାଇଥିଲା। ୨୦୧୭ରେ, ସେହି ସଂସ୍ଥାର ୫୧% ଅଂଶଧନକୁ ଟାଟା ଷ୍ଟିଲ୍ କିଣିଥିଲା।

ସମ୍ବନ୍ଧିତ ଖବର