ସୁବ୍ରମଣ୍ୟମ ହିଁ ହିମାଳୟ ଯୋଗୀ, ଚେନ୍ନାଇରୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ : ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣ ଯେଉଁ ହିମାଳୟ ଯୋଗୀଙ୍କ କଥାରେ ଉଠୁବସ୍ ହେଉଥିଲେ ସେ ଆଉ କେହି ନୁହନ୍ତି ବରଂ ତାଙ୍କ ଅଧୀନରେ ଗ୍ରୁପ୍ ଅପରେଟିଂ ଅଫିସର ଭାବେ କାମ କରୁଥିବା ଆନନ୍ଦ ସୁବ୍ରମଣ୍ୟମ। ସିବିଆଇ ଶୁକ୍ରବାର ଦିନ ତାଙ୍କୁ ଚେନ୍ନାଇରୁ ଗିରଫ କରିଛି। ସେ ହିଁ ହେଉଛନ୍ତି ଚିତ୍ରା ଶୁଣାଇଥିବା କାହାଣୀର ରହସ୍ୟମୟ ହିମାଳୟ ଯୋଗୀ। ସିବିଆଇ ପାଖରେ ଏଭଳି ବହୁ ପ୍ରମାଣ ରହିଛି ଯାହା ସୁବ୍ରମଣ୍ୟମ ହିଁ ଯୋଗୀ ବୋଲି ପ୍ରମାଣ କରୁଥିବା କୁହାଯାଉଛି।

ସୁବ୍ରମଣ୍ୟମ ହିଁ ଚିତ୍ରାଙ୍କୁ ଇ-ମେଲ୍ ପଠାଇ ସବୁ ନିର୍ଦେଶ ଦେଉଥିଲେ। ଯେଉଁ ଇ-ମେଲ୍ ଆଇଡି [email protected]କୁ ସେଥିପାଇଁ ବ୍ୟବହାର କରାଯାଉଥିଲା ତାହାକୁ ସୁବ୍ରମଣ୍ୟମ ନିଜେ ସୃଷ୍ଟି କରିଥିବା ପ୍ରମାଣ ମଧ୍ୟ ସିବିଆଇ ପାଖରେ ରହିଛି। ଏକ ଇ-ମେଲ୍‌ରେ ସେ ନିଜେ ଯୋଗୀ ବୋଲି ଉଲ୍ଲେଖ କରିଥିଲେ। ଚିତ୍ରା ଏନ୍‌ଏସ୍‌ଇର ସିଇଓ ଭାବେ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ କାମ କରିଥିଲେ। ସେହି ସମୟରେ ସେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏକ ଇ-ମେଲ୍ ଆଇଡିରେ ପଠାଉଥିଲେ। ନିୟମିତ ଭାବେ ସେହି ଆଇଡିରେ ଇ-ମେଲ୍ ବାର୍ତାଳାପ ଚାଲିଥିଲା। ସେହି ମେଲ୍‌ଗୁଡ଼ିକ ମଧ୍ୟରୁ କିଛି ମେଲ୍ ଆନନ୍ଦ ସୁବ୍ରମଣ୍ୟମଙ୍କୁ ମଧ୍ୟ ପଠାଯାଇଥିଲା। ସୁବ୍ରମଣ୍ୟମଙ୍କ ଇ-ମେଲ୍ ଆଇଡିରୁ ସେହି ମେଲ୍‌ଗୁଡ଼ିକର ସ୍କ୍ରିନ୍‌ସଟ୍‌କୁ ସିବିଆଇ ଉଦ୍ଧାର କରିଛି।

ଏହି ଘଟଣା ପ୍ରଘଟ ହେବା ପରଠାରୁ ସୁବ୍ରମଣ୍ୟମଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା। ଗତ ଚାରିଦିନ ଧରି ସିବିଆଇ ତାଙ୍କୁ ଲଗାତାର ଜେରା କରିବା ପରେ ତାଙ୍କୁ କାଲି ପାଖାପାଖି ରାତି ୧୧ଟ‌ାରେ ଗିରଫ କରାଯାଇଛି। ସେ ଜେରାରେ ଜମାରୁ ସହଯୋଗ କରୁନଥିଲେ ଏବଂ ଅବାସ୍ତବ ଉତ୍ତର ଦେଉଥିଲେ।

ଷ୍ଟକ୍ ଏକ୍ସଚେଞ୍ଜ୍‌ର କୌଣସି ଜ୍ଞାନ ନଥିବା ସତ୍ତ୍ବେ ୨୦୧୩ରେ ତାଙ୍କୁ ଏନ୍‌ଏସ୍‌ଇର ଚିଫ୍ ଷ୍ଟ୍ରାଟେଜିକ୍ ଆଡଭାଇଜର୍ ଭାବେ ନିଯୁକ୍ତ କରାଯାଇଥିଲା। ସେତେବେଳେ ତାଙ୍କୁ ପ୍ରାୟ ଦେଢ଼ କୋଟି ଟଙ୍କାର ଦରମା ମଞ୍ଜୁର କରାଯାଇଛି। ୨୦୧୫ରେ ତାଙ୍କୁ ଗ୍ରୁପ୍ ଅପରେଟିଂ ଅଫିସର ଭାବେ ପଦୋନ୍ନତି ଦିଆଯାଇଥିଲା ଓ ତାଙ୍କ ଦରମାକୁ ବଢ଼ାଇ ୪.୧ କୋଟି ଟଙ୍କା କରାଯାଇଥିଲା। ସବୁ କିଛି ଚିତ୍ରା ନିଜେ କରିଥିଲେ। ଅଳ୍ପ ଜଣାଶୁଣା ଏକ ଘରୋଇ ସଂସ୍ଥାରେ ୧୫ ଲକ୍ଷ ଟଙ୍କାରୁ କମ୍ ବେତନରେ କାମ କରୁଥିବା ଜଣେ ବ୍ୟକ୍ତିକୁ ୪.୧ କୋଟି ଟଙ୍କାର ଦରମା ଦିଆଯିବା ଭଳି ଘଟଣାକୁ ସହଜରେ ବିଶ୍ବାସ କରିହେଉନଥିଲା। ଏହା ବ୍ୟତୀତ, ଜଣେ ହିମାଳୟ ଯୋଗୀଙ୍କ କଥାରେ ତାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଥିଲା ବୋଲି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଚିତ୍ରା ଯେଉଁ ବୟାନ ଦେଇଥିଲେ ସେଥିରୁ ତାଙ୍କ ଉପରେ ସନ୍ଦେହ ଆହୁରି ବଢ଼ିଥିଲା।

ସେବି ତଦନ୍ତ ବେଳେ ଚିତ୍ରା କହିଥିଲେ ଯେ ହିମାଳୟ ଯୋଗୀ ଜଣକ ଜଣେ ସିଦ୍ଧପୁରୁଷ। ତାଙ୍କର କୌଣସି ଭୌତିକ ଶରୀର ନାହିଁ ଓ ସେ ଯେତେବେଳେ ଯେଉଁଠାରେ ଚାହୁଥିଲେ ପ୍ରକଟ ହେଉଥିବା ଭଳି ମିଛ କାହାଣୀ ଚିତ୍ରା ଶୁଣାଇଥିଲେ। କିନ୍ତୁ ଏହି ଘଟଣାର ତଦନ୍ତ ଦାୟିତ୍ବ ସିବିଆଇ ହାତକୁ ଯିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନା ଆସିଥିଲା। ତଥାକଥିତ ଯୋଗୀ ଜଣକ ଚିତ୍ରାଙ୍କ ସହ କେବଳ ବୃତ୍ତିଗତ ନୁହେଁ ବ୍ୟକ୍ତିଗତ ଆଲୋଚନା ମଧ୍ୟ କରୁଥିଲେ। ତାଙ୍କ କେଶ ବିନ୍ୟାସକୁ ପସନ୍ଦ କରୁଥିଲେ। ଟିକସ ଠକେଇରେ ସାହାଯ୍ୟ କରୁଥିବା ଦେଶ ସିସିଲିକୁ ବୁଲିଯିବା, ସେଠାରେ ସମୁଦ୍ରରେ ଗାଧୋଇବା ଓ ବେଳାଭୂମିରେ ବିଶ୍ରାମ କରିବା ଲାଗି ଯୋଜନା କରି ଯେଉଁ ଇ-ମେଲ୍ ପଠାଯାଇଥିଲା ତାହା ସାମ୍ନାକୁ ଆସିଥିଲା। ସେ ତାଙ୍କୁ ବହୁ ଧାର୍ମିକ ସ୍ଥଳରେ ମଧ୍ୟ ଭେଟିଥିଲେ।

ସମ୍ବନ୍ଧିତ ଖବର