ସୁବ୍ରତ ବାଗ୍ଚୀ : ଭଦ୍ରକ ଜିଲ୍ଲା ଚରମ୍ପା ସରକାରୀ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭଠାରୁ ନେଷ୍ଟଏୱେ ପର୍ଯ୍ୟନ୍ତ ଯାତ୍ରା କିପରି ଥିଲା ?
ଅମରେନ୍ଦ୍ର ସାହୁ : ମୁଁ ଭଦ୍ରକ ଜିଲ୍ଲା ଚରମ୍ପା ଗ୍ରାମ ସରକାରୀ ବିଦ୍ୟାଳୟରେ ପାଠ ପଢିଛି। ଯେହେତୁ ବାପା ଢେଙ୍କାନାଳରେ ରହୁଥିଲେ, ଢେଙ୍କାନାଳ ସରାଙ୍ଗ ଇଞ୍ଜିନିୟରିଂ କଲେଜ୍ରେ ପାଠ ପଢିବାର ଇଚ୍ଛା ଥିଲା। ସ୍କୁଲ୍ରେ ସବୁବେଳେ ପ୍ରଥମ ହୁଏ। ଦଶମ ଶ୍ରେଣୀରେ ସାରା ରାଜ୍ୟରେ ୧୯ ରାଙ୍କ୍ ଥିଲା। ତା’ପରେ +୨ ପଢିବାକୁ ଭଦ୍ରକ କଲେଜ ଗଲି। ସୌଭାଗ୍ୟବଶତଃ ସାରା ରାଜ୍ୟରେ +୨ରେ ମୋର ଷଷ୍ଠ ରାଙ୍କ୍ ରହିଲା। ସେଇ ବର୍ଷ ବିଟ୍ସ୍ ପିଲାନୀରୁ ଆଡ୍ମିସନ୍ ପାଇଁ ସୁଯୋଗ ମିଳିଥିଲା। କିନ୍ତୁ ତାହା ଥିଲା ୧୯୯୯ ମସିହା। ଭଦ୍ରକ ଜିଲ୍ଲା ଚାରିଆଡ଼େ ମହାବାତ୍ୟାର ପ୍ରକୋପ। ପୋଷ୍ଟ ଅଫିସ୍ରେ ଆଡ୍ମିସନ୍ ଚିଠି ପାକେଟ୍କୁ ସମ୍ପୂର୍ଣ୍ଣ ରୂପେ ମୂଷା ଖାଇ ଯାଇଥିଲେ। ଫଳରେ ବିଟ୍ସ୍ ପିଲାନୀରେ ପଢ଼ିବାର ସ୍ୱପ୍ନ ଅଧୁରା ରହିଗଲା।
ସେଇ ବର୍ଷ ଓଜେଇଇରେ ମୋର ରାଙ୍କ୍ ଥିଲା ୩୦୭। ଆଇଆଇଟିରେ ରାଙ୍କ୍ ଥିଲା ୨୯୩୪। ଭାବିଲି ମୋର ଭଲ ରାଙ୍କ୍ ରହିଲେ, ଅନ୍ତତଃ ଆର୍ଇସି, ରାଉରକେଲାରେ ସିଟ୍ ମିଳିଯିବ। ଆର୍ଇସିରେ ସେମିଷ୍ଟାର ପିଛା ୩୬ ହଜାର ଟଙ୍କା ଥିଲା। ତେଣୁ ବାହାନା କରି ଘରେ କହିଲି, ମୁଁ ଟେକ୍ସଟାଇଲ୍ ଇଞ୍ଜିନିୟରିଂ ପଢ଼ିବି ନାହିଁ। ପୁଣି ଓଜେଇଇ ଏବଂ ଆଇଆଇଟି ପାଇଁ ନିଜକୁ ପ୍ରସ୍ତୁତ କଲି। ଓଜେଇଇର ରାଙ୍କ୍ ୭ ଏବଂ ଆଇଆଇଟିର ରାଙ୍କ୍ ୩୦୨୪ ରହିଲା। ପ୍ରଥମ ଥର ଏତେ ପରିଶ୍ରମ ନକରି ଭଲ ରାଙ୍କ୍ ରହିଲା, ବର୍ତ୍ତମାନ ପରିଶ୍ରମ କରି ୩୦୨୪ ରାଙ୍କ୍ ରହିଲା। ସେଇଠୁ ଚିନ୍ତା କଲି, ଜୀବନରେ ନିରାଶ ହେବାର କିଛି କାରଣ ନାହିଁ। ଆମ ଚାହିଁବା ନ ଚାହିଁବାରେ କିଛି ନଥାଏ, ଯାହା ହେବାକୁ ଥାଏ ତାହା ହେଇ କି ରହେ। କେବଳ ଚେଷ୍ଟା ଜାରି ରଖିବା ଜରୁରୀ।
ପରବର୍ତ୍ତୀ ସମୟରେ, ଓଜେଇଇରେ ଭଲ ରାଙ୍କ୍ ରଖିଥିବା ହେତୁ ମୁଁ ଏନ୍ଆଇଆଇଟି, ସୁରଥକଲରେ କମ୍ପୁଟର ସାଇନ୍ସ ପଢ଼ିବାକୁ ଗଲି। ସେଇଠି ସବୁ ରାଜ୍ୟର ଟପ୍ପରମାନେ ଥିଲେ। ସମସ୍ତେ ଇଂରାଜୀରେ କଥାବାର୍ତ୍ତା କରୁଥିଲେ। ସେତେବଳକୁ ମୁଁ ହିନ୍ଦୀ ବୁଝି ପାରୁଥିଲି କିନ୍ତୁ କହି ପାରୁନଥିଲି। ହୃଦ୍ବୋଧ ହେଲା, ସତେ ଯେମିତି କଥା ହେବା ପାଇଁ ମୋ ପାଖେ ଅନ୍ୟ କିଛି ବିକଳ୍ପ ନାହିଁ। ଶେଷରେ ବାପାଙ୍କୁ କହିଲି, ବାବା ବୈଦ୍ୟନାଥ ପାଢ଼ୀ ଓଡିଆରୁ ଇଂରାଜୀ ଶିକ୍ଷା ଅଭିଧାନ ପଠାଇବା ପାଇଁ। ସମସ୍ତେ ଶୋଇଲା ପରେ ରାତିରେ ଗୋଟିଏ ଇଂରାଜୀ ସମ୍ବାଦପତ୍ର ପଢ଼େ। ଏହିଭଳି ଭାବେ ଛଅ ମାସ ଭିତରେ ଇଂରାଜୀରେ ମୋର ଅନେକ ସୁଧାର ଆସି ଯାଇଥିଲା।
ପ୍ରଥମ ସେମିଷ୍ଟାର୍ରେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିଲି। ତା’ପରେ ଅନୁଭବ କଲି ରାଙ୍କ୍ ୧ ଓ ରାଙ୍କ୍ ୫ ମଧ୍ୟରେ ବିଶେଷ କିଛି ଫରକ ନାହିଁ, କିନ୍ତୁ ପରିଶ୍ରମ ଅଧିକ। ଶେଷ ସେମିଷ୍ଟାର ବେଳକୁ ମୋର ରାଙ୍କ୍ ଥିଲା ଚାରି। ମନ ସ୍ଥିର କରିଲି ଯେ ପ୍ରଥମ ସ୍ଥାନ ପଛରେ ନ ଗୋଡ଼ାଇ ଜୀବନର ଅନ୍ୟ ବହୁ କିଛି ଶିଖିବାର ଅଛି, ତା’ ପଛରେ ମଧ୍ୟ କିଛିଟା ସମୟ ଦେବା ଦରକାର।
ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ ଅଧୀନରେ ‘ନେଷ୍ଟଏୱେ ଟେକନଲଜିସ୍’ର ସହ-ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରେନ୍ଦ୍ର ସାହୁଙ୍କ ସହ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀଙ୍କ ସାକ୍ଷାତକାର।
ସୁବ୍ରତ ବାଗ୍ଚୀ : ଆପଣ ଏନ୍ଆଇଆଇଟି ପଢ଼ା ପରେ ବେଲ୍ ଲ୍ୟାବ୍ସ୍ ଏବଂ ସିସ୍କୋ ଭଳି ଅନେକ ଆନ୍ତର୍ଜାତିକ କମ୍ପାନିରେ କାମ ଆରମ୍ଭ କରିଥିଲେ। କିନ୍ତୁ ଏଇ ସବୁ ଭିତରେ ଗୋଟିଏ ଷ୍ଟାର୍ଟ ଅପ୍ ଆରମ୍ଭ କରିବାର ଚିନ୍ତା ମନକୁ କିପରି ଆସିଲା ?
ଅମରେନ୍ଦ୍ର ସାହୁ : ମୋର ସ୍ୱପ୍ନ ଥିଲା, ମୁଁ ଚାକିରି କରି ଉଡ଼ାଜାହାଜ ଚଢ଼ିବି ଏବଂ ଏକ ପଞ୍ଚତାରକା ହୋଟେଲ୍ରେ ରହିବି। ମୁଁ ଯେବେ ପ୍ରଥମ ଚାକିରି କରିଥିଲି, ମୋତେ କମ୍ପାନି ତରଫରୁ ଉଡ଼ାଜାହାଜରେ ଯିବା ପାଇଁ ଟିକେଟ୍ ମିଳିଥିଲା ଏବଂ ବେଙ୍ଗାଲୁରୁର ପଞ୍ଚତାରକା ହୋଟେଲ୍, ପାର୍କରେ ରହିବାର ସୁଯୋଗ ମିଳିଥିଲା। ପ୍ରଥମ ମାସର ଦରମା ଯେତିକି ପାଇଲି, ଜୀବନରେ କେବେ ଏତେ ଟଙ୍କା ଦେଖିନଥିଲି। ଚାକିରିର ପ୍ରଥମ ଛଅ ମାସ ବହୁତ ଉତ୍ସାହଜନକ ଲାଗିଲା। ବେଲଲାବ୍ସ୍ରେ ବହୁତ ସମ୍ମ୍ନାନ ଥିଲା। କିଛି ଦିନ ପରେ ଅଫିସ୍ରୁ ମତେ ଘରକୁ ଫେରିଲା ବେଳକୁ ବିରକ୍ତ ଲାଗିଲା। ସତେଯେମିତି ଆଉ ଜୀବନରେ କିଛି ଲକ୍ଷ୍ୟ ନାହିଁ। ମତେ କିଛି କରିବାର ଥିଲା।
ଏହିଭଳି ଭାବେ ଥରେ ରାଜୀବ ରସ୍ତୋଗୀ ବୋଲି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ମୋର ଭେଟ ହୋଇଥିଲା। ସେ କହିଥିଲେ ଯଦି ଆମେ ଚେଷ୍ଟା କରିବା ନିଶ୍ଚିତ ସଫଳ ହୋଇପାରିବା। ସେମିତିରେ ବି ମୁଁ ମାଇଣ୍ଡଟ୍ରିର ସହପ୍ରତିଷ୍ଠାତା, ସୁବ୍ରତ ବାଗ୍ଚୀ ଆଉ ଇନ୍ଫୋସିସ୍ର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ବହୁତ ବଡ଼ ପ୍ରଶଂସକ ଥିଲି। ସେମାନଙ୍କଠାରୁ ଅନୁପ୍ରାଣିତ ହୋଇ ମୁଁ ଜଣେ ଉଦ୍ୟୋଗୀ ହେବା କଥା ଚିନ୍ତା କରିଥିଲି।
ସୁବ୍ରତ ବାଗ୍ଚୀ : ନେଷ୍ଟାଏୱେ ପ୍ରତିଷ୍ଠା କରିବାର ଚିନ୍ତା ମନକୁ କିଭଳି ଆସିଲା ?
ଅମରେନ୍ଦ୍ର ସାହୁ : ତା’ର ଗୋଟିଏ କାରଣ ଅଛି। ମୁଁ ଯେତେବେଳେ ବେଲ୍ ଲାବ୍ସ୍ରେ କାମ କରୁଥିଲି, ସବୁ ବଡ଼ ବଡ଼ ସମସ୍ୟା ଜଟିଳ ଲାଗେ। କିନ୍ତୁ ଜଣେ ଇଞ୍ଜିନିୟର ହିସାବରେ ସମାଧାନ ତ ବାହାର କରିବାକୁ ପଡ଼ିଥାଏ। ୨୦୦୪ ମସିହାର କଥା। ମୁଁ ୪-ଜିରେ କାମ କରୁଥିଲି। ୪-ଜି ଟେକ୍ନୋଲୋଜି ପାକେଜ୍ ଲେଖା ଚାଲିଥିଲା। ୨୦୧୫-୨୦ ମସିହାରେ ତାହା ବଜାରକୁ ଆସିଲା। ଯେତେବେଳେ ମୁଁ ମୋର ପ୍ରଥମ ଷ୍ଟାର୍ଟ ଅପ୍ ଆରମ୍ଭ କଲି, ଭାବିଲି ଯେତେ ବଡ଼ ବଜାର ଯେତେ ଚାହିଦା, ସେତେ ଭଲ। ସବୁଠୁ ବଡ଼ ବଜାରରେ ଯେଉଁ ସମସ୍ୟା ରହିବ, ତାହା ହିଁ ମୋ ପାଇଁ ଠିକ୍ ହେବ ଭାବିଥିଲି।
କିଭଳି ଅଧିକରୁ ଅଧିକ ଲୋକ ଆମ ସେବା ପାଇ ପାରିବେ ତାହା ଆମର ପ୍ରଥମ ଲକ୍ଷ୍ୟ ଥିଲା। ଲୋକମାନେ ସବୁବେଳେ ଚିନ୍ତା କରନ୍ତି, ଦୁନିଆକୁ କଡ଼ା ଟକ୍କର ଦେଲା ଭଳି ଯୋଜନା ଦରକାର। କିନ୍ତୁ ଲୋକଙ୍କ ସମସ୍ୟା ସମାଧାନ ହୋଇ ପାରିବ ନା ନାହିଁ ତାକୁ ଗୁରୁତ୍ୱ ଦେଇନଥାନ୍ତି ।
ସୁବ୍ରତ ବାଗ୍ଚୀ : ନେଷ୍ଟାଏୱେ, କିଭଳି ଅଜଣା ଓ ବଡ଼ ସହରରେ ପ୍ରଥମ କରି ଆସିଥିବା ଯୁବକ କିମ୍ବା ଯୁବତୀଙ୍କୁ ରହିବାର ବ୍ୟବସ୍ଥା କରିବାରେ ସାହାଯ୍ୟ କରିଥାଏ। ସେଇ ବିଷୟରେ କିଛି କହନ୍ତୁ ?
ଅମରେନ୍ଦ୍ର ସାହୁ : ମୁଁ ଯେବେ ପ୍ରଥମ କରି ବେଙ୍ଗାଲୁରୁ ଆସିଥିଲି, ମୋ ପାଖେ ବେଶ୍ ଭଲ ଚାକିରି ଥିଲା। କୋରମଙ୍ଗଳା ଅଞ୍ଚଳରେ ଗୋଟିଏ ଘର ଚାହୁଁଥିଲି। ଘର ମାଲିକ ମୋତେ ଦଶ ମାସର ଅଗ୍ରିମ ଟଙ୍କା ମାଗିଥିଲେ। ଘରେ ବାପାଙ୍କୁ ଟଙ୍କା ମାଗିବାକୁ ମୋ ବିବେକ ମୋତେ ବାଧା ଦେଲା। ବ୍ୟାଙ୍କ୍କୁ ଗଲି। ଆମ ସଂସ୍ଥା ଇନ୍ଫୋସିସ୍ ଆଉ ମାଇଣ୍ଡଟ୍ରି ଭଳି ଲୋନ୍ ପାଇଁ ଯୋଗ୍ୟ ନୁହଁ କହି ସେମାନେ ମତେ ଫେରାଇ ଦେଇଥିଲେ। ସେଇଠୁ କୋରମଙ୍ଗଳା ଅଞ୍ଚଳର ପଛପଟେ ଇଜିପୁରା ଅଞ୍ଚଳରେ ରହିଥିଲି। ଘର ମାଲିକ କହିଲେ ପ୍ରଥମ କିଛି ବର୍ଷ ପଇସା ସଞ୍ଚୟ କର। ମୋତେ ଲାଗିଲା ମୋ ପାଖରେ ଭଲ ଚାକିରି ଅଛି କିନ୍ତୁ ରହିବାକୁ ଘର ନାହିଁ। ସେତେବେଳେ ଏଇ ସମସ୍ୟାକୁ ଉପଲବ୍ଧି କରି ପାରିଥିଲି। ଏଇଟା ୨୦୦୪ ମସିହାର କଥା।
୨୦୧୪-୧୫ ମସିହାର କଥା। ମୋର ଜଣେ ସାଙ୍ଗ ଆମେରିକା ଯାଉଥିଲା। ସେ ମୋତେ ତା’ ଘର ଚାବି ଦେଇ କହିଲା ତୁ ଯାହା କରୁଛୁ କର, ମୋ ଘର ଦାୟିତ୍ୱ ରଖ। ଆଚମ୍ବିତ ଲାଗୁଥାଏ, ଜଣଙ୍କ ପାଖରେ ରହିବାକୁ ଘର ନାହିଁ ଏବଂ ଆଉ ଜଣେ କହୁଛି ମୁଁ କ’ଣ କରିବି ଜାଣି ପାରୁନି, ତୁ ମୋ’ର ଘର ସମ୍ଭାଳ। ଏଇଠୁ ଗୋଟିଏ କଥା ଶିକ୍ଷା ମିଳିଲା। ବିଶ୍ୱାସ। ଭଡ଼ାଟିଆ ବିଶ୍ୱାସ କରି ପାରୁନି ଯେ ଘର ମାଲିକ ଦଶ ମାସର ଅଗ୍ରିମ ଟଙ୍କା ଫେରାଇବ ନା ନାହିଁ ! ଏପଟେ ବ୍ୟାଙ୍କ୍ ଗ୍ରାହକଙ୍କୁ ଋଣ ଦେବା ପାଇଁ ବିଶ୍ୱାସ କରି ପାରୁନି।
ସେଇଠୁ ଗୋଟିଏ ଇଣ୍ଟରନେଟ୍ ସମ୍ବଳିତ କମ୍ପାନି ପ୍ରତିଷ୍ଠା କରିବା ପାଇଁ ଚିନ୍ତା କରିଥିଲି। ଇଣ୍ଟରନେଟ୍ ହେଉଛି ଏପରି ଏକ ମାଧ୍ୟମ ଯେଉଁଠି ସ୍ୱଚ୍ଛତା ବଜାୟ ରହେ। ବିଶ୍ୱାସ ହେଉଛି ସ୍ୱଚ୍ଛତା, ସମୟାନୁବର୍ତ୍ତୀ, ଆବଶ୍ୟକତା ଏବଂ ଦକ୍ଷତାର ପରିଭାଷା। ବଡ଼ ସହରରେ ଲୋକଙ୍କର ଯେଉଁ ସମସ୍ୟା ରହୁଛି ତାହାକୁ ଇଣ୍ଟରନେଟ ସମ୍ବଳିତ କମ୍ପାନି ଦ୍ୱାରା ଆମେ ସମାଧାନ କରି ପାରିବା। ଯେପରି ଟ୍ରିପ୍ ଆଡ୍ଭାଇଜରି ରେଟିଙ୍ଗ୍ ମତାମତ ଦେଖି ହୋଟେଲ ମାଲିକମାନେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ବାଧ୍ୟ ହେଉଛନ୍ତି। ଓଲା କିମ୍ବା ଉବର୍ ଟ୍ୟାକ୍ସି ଡ୍ରାଇଭର୍ମାନେ ମତାମତ ଦେଖି ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ ବାଧ୍ୟ ହେଉଛନ୍ତି। ମତେ ଲାଗିଲା ଗୋଟିଏ ବହୁତ ବଡ଼ ସମସ୍ୟାର ସମାଧାନ ହୋଇଗଲା।
ସାଧାରଣତଃ ନେଷ୍ଟଏୱେ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଟେକ୍ନୋଲୋଜିର ସହାୟତା ନେଇ ବିଶ୍ୱାସଭାଜନ ହେବାକୁ ଚେଷ୍ଟା କଲା, ଯାହାଫଳରେ ବିନା ଦ୍ୱିଧାରେ ଜଣେ ଭଡ଼ାଟିଆ ଘରଟିଏ ପାଇପାରିବ ଏବଂ ଘର ମାଲିକ ମଧ୍ୟ ଘରର କ୍ଷତି ହେଲେ ଇନସ୍ୟୁରାନ୍ସ ପାଇବ। ଆଜିର ଦିନରେ ନେଷ୍ଟଏୱେ ୨୫୦ ମିଲିଅନ୍ ଡଲାର ଦାମ୍ ବା ଭେଲ୍ୟୁସନ୍ର କମ୍ପାନି ହୋଇପାରିଛି। ଅନେକ ଲୋକ ଭାବୁଥାଇ ପାରନ୍ତି ନେଷ୍ଟଏୱେ ଏକ ଆପ୍। ଅଧିକାଂଶ ଉଦ୍ୟୋଗୀ ଭାବନ୍ତି ଏକ ଆପ୍ ତିଆରି କରି ବ୍ୟବସାୟ ଆରମ୍ଭ କରିହେବ। କିନ୍ତୁ ନେଷ୍ଟଏୱେର କର୍ମଚାରୀମାନେ ଘଟଣାସ୍ଥଳକୁ ପ୍ରତ୍ୟେକ୍ଷ ଭାବେ ଯାଇ ସତ୍ୟତା ପରଖନ୍ତି। ଯେପରିକି ଘର ମାଲିକ କିମ୍ବା ଭଡ଼ାଟିଆ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତି।
ସୁବ୍ରତ ବାଗ୍ଚୀ : ଅଧିକାଂଶ ଲୋକ ଭାବନ୍ତି ଗୋଟିଏ ସ୍ମାର୍ଟ ଆପ୍ ଖୋଲି ଦେଲେ କମ୍ପାନିଟା ହେଇଯିବ। ଏଇ ପରିପ୍ରେକ୍ଷୀରେ ଆପଣ ଭାବୁଛନ୍ତି କି ଜଣେ ଉଦ୍ୟୋଗୀ ପାଇଁ ମୂଳ ସମସ୍ୟାଟା ଜାଣିବା ଜରୁରୀ ?
ଅମରେନ୍ଦ୍ର ସାହୁ : ମୁଁ ଭାବେ ଆପ୍କୁ ଛାଡ଼ି ମଧ୍ୟ ବିଭିନ୍ନ ବଡ଼ ବଡ଼ ସମସ୍ୟା ରହିଛି। ଆପ୍ ହେଉଛି ସେବା ବିତରଣର ଏକ ମାଧ୍ୟମ ମାତ୍ର। ଆପ୍ ନୁହେଁ, ଲୋକମାନଙ୍କୁ ପ୍ରକୃତ ଦୁନିଆରେ ଓହ୍ଲାଇ ସମସ୍ୟାର ସମାଧାନ ଯୋଗାଇବା ହିଁ ବ୍ୟବସାୟ।
ସୁବ୍ରତ ବାଗ୍ଚୀ : ଆପଣ ବହୁତ ସରଳ ଜୀବନଯାପନ କରନ୍ତି। ଆପଣ କିଭଳି ଜଣେ ଓଡ଼ିଆ ଭାବେ ନିଜକୁ ଗର୍ବ ମନେ କରନ୍ତି ? ଓଡ଼ିଶାରେ କିଭଳି ଅଧିକରୁ ଅଧିକ ଅମରେନ୍ଦ୍ର ସାହୁ ସୃଷ୍ଟି ହୋଇପାରିବେ?
ଅମରେନ୍ଦ୍ର ସାହୁ : ପ୍ରଥମେ କହିବି, ଅମରେନ୍ଦ୍ର ସାହୁ ଜଣେ କେହି ବିଶିଷ୍ଟ, ଅସାଧାରଣ ବ୍ୟକ୍ତି ନୁହନ୍ତି, ଯଦିଓ ପ୍ରତିଟି ବ୍ୟକ୍ତିର ଏକ ନିଜସ୍ୱ ପରିଚୟ ରହିଥାଏ। ସମସ୍ତେ ନିଜ ଭଳି ହେବାକୁ ଚେଷ୍ଟା କରିବା ଦରକାର। ଯେବେ ବି ଓଡ଼ିଶା ଆସେ, ମୋ ପିଲାଦିନର ସାଙ୍ଗସାଥୀ ଯିଏ ଯେଉଁଠି ବି ଅଛନ୍ତି, ସମସ୍ତଙ୍କ ସହ ନିଶ୍ଚୟ ମିଶିବାକୁ ଭଲପାଏ। ମୋ ମନରେ ଗୋଟିଏ କଥା ଅଛି। ଆଗାମୀ ଦିନରେ ମୁଁ ଯେତେ ସମୃଦ୍ଧି ପାଇଲେ ମଧ୍ୟ ମୋର ପ୍ରଫେସନାଲ ଆଉ ବ୍ୟକ୍ତିଗତ ଦୁଇଟି ଅଲଗା ଜୀବନ। ଆଜି ମଧ୍ୟ ମୁଁ ଗାଁ ସ୍କୁଲର କାଚ ବାଟି ଖେଳିବା ପିଲା ବୋଲି ଅନୁଭବ କରେ। ପିଲାବେଳର ସ୍ମୃତି ସବୁବେଳେ ଅଭୂଲା ହୋଇ ରହେ। ଏବେ ଓଡ଼ିଶାରେ ବହୁତ ପରିବର୍ତ୍ତନ ହେଲାଣି। ଓଡ଼ିଶା ମାଟିରେ ସ୍ୱପ୍ନକୁ ବାସ୍ତବ ରୂପ ଦେବାର ସମ୍ଭାବନା ସୃଷ୍ଟି ହେଲାଣି।
ସୁବ୍ରତ ବାଗ୍ଚୀ : ଓଡ଼ିଶାରେ ଷ୍ଟାର୍ଟ ଅପ୍ ଓଡିଶାର ଭବିଷ୍ୟତକୁ କିଭଳି ଦେଖୁଛନ୍ତି ?
ଅମରେନ୍ଦ୍ର ସାହୁ : କୋଭିଡ୍ ପରବର୍ତ୍ତୀ ଅବସ୍ଥାରେ ବହୁତ କିଛି ନୂଆ ଶିଖିବାକୁ ମିଳିଛି। ଡିଜିଟାଲ ମାଧ୍ୟମରେ ସମସ୍ତେ ସମସ୍ତଙ୍କ ସହ ଯୋଡ଼ି ହୋଇପାରିଛୁ। ବର୍ତ୍ତମାନ ଗୁଗୁଲ ମିଟ ଓ ଜୁମ୍ କଲ୍ରେ ବୈଠକ ହୋଇପାରୁଛି। ମୁଁ ରୁଷିଆର ଡିଜାଇନରଙ୍କ ସହ କଥା ହେଉଛି ଯାହାଙ୍କୁ କେବେ ସାକ୍ଷାତ କରି ନାହିଁ। ଆମକୁ ବିଶ୍ୱବାଦୀ ହେବାକୁ ପଡ଼ିବ। ବର୍ତ୍ତମାନ ପୁଞ୍ଜି ନିବେଶକାରୀ ଆପଣଙ୍କୁ ବିନା ଦେଖି ପୁଞ୍ଜି ନିବେଶ କରିବାକୁ ଆଗେଇ ଆସୁଛନ୍ତି। କେବଳ ଆପଣଙ୍କର ସମସ୍ୟାର ସମାଧାନ ବିଷୟରେ ଜ୍ଞାନ ଥିବା ଆବଶ୍ୟକ। ଯଦି ମୋର ସ୍କିଲ ଅଛି ବିଶ୍ୱର ଯେକୌଣସି ସ୍ଥାନରେ ନିଜର ଷ୍ଟାର୍ଟ ଅପ୍ ଆରମ୍ଭ କରିପାରିବି।
ସୁବ୍ରତ ବାଗ୍ଚୀ : ଆପଣଙ୍କ ଜୀବନର କିଛି ଅଭୂଲା ମୁହୂର୍ତ୍ତ ବିଷୟରେ କହନ୍ତୁ?
ଅମରେନ୍ଦ୍ର ସାହୁ : ମୁଁ ଦୁଇଟି ଘଟଣା ବିଷୟରେ ଉଲ୍ଲେଖ କରିବି। ପ୍ରଥମଟି ପ୍ରଫେସନାଲ ଏବଂ ଦ୍ୱିତୀୟଟି ବ୍ୟକ୍ତିଗତ। ନେଷ୍ଟାଏୱେକୁ ମାସେ ହୋଇଥିଲା। ମାତ୍ର ଚାରି ଜଣ ଗ୍ରାହକ ଥିଲେ। ନିଜର ଅଫିସ ନଥିଲା। ଘରେ ସବୁ କାମ ହେଉଥିଲା। ମୋର ବ୍ୟକ୍ତିଗତ ନମ୍ବରକୁ ହିଁ କଲ୍ ସେଣ୍ଟର ରୂପେ ବ୍ୟବହାର କରୁଥିଲି। କାମ କରିବା ପାଇଁ ଜଣେ ପିଲା ଥିଲା। ସେଦିନ ସେ ଆସିନଥିଲା। ଜଣେ ଗ୍ରାହକ ତାଙ୍କର ଇଲେକ୍ଟ୍ରି ବିଲ୍ ପାଉନଥିଲେ। ମତେ ହିଁ ଯିବାକୁ ପଡିଲା। କବାଟ ଖୋଲୁ ଖୋଲୁ ସେ ଭାବିଲେ ମୁଁ ଜଣେ ପାଇପ ମିସ୍ତ୍ରୀ। ମୁଁ ଇଲେକ୍ଟ୍ରି ବିଲ୍ ଖୋଜି ବାହାର କରିଦେଲି। ସେ କହିଲେ ପାଇଖାନା ଅପରିଷ୍କାର ଅଛି। କିଛି ନକହି ତାଙ୍କ ପାଇଖାନା ସଫା କରି ଦେଇ ଆସିଲି। ମୋ ବେଶ ପରିପାଟୀରୁ ପାଇପ ମିସ୍ତ୍ରୀ ଭଳି ଜଣା ପଡ଼ୁନଥିଲି। ତାଙ୍କୁ ମଧ୍ୟ ସନ୍ଦେହ ଥିଲା। ତା’ର ଚାରି ପାଞ୍ଚ ଦିନ ପରେ ସମ୍ବାଦପତ୍ରରେ ମୋ ଫୋଟ ଦେଖିଲେ। ଆଉ ମୋ ନମ୍ବରକୁ ଫୋନ୍ କରି କ୍ଷମା ମାଗିଲେ। ଆମ କାମ ହେଉଛି ସେବା ପ୍ରଦାନ କରିବା ଯାହା ମୁଁ କରିଥିଲି।
ଦ୍ୱିତୀୟ ଘଟଣାଟି ହେଉଛି ବେଙ୍ଗାଲୁରରେ। ବାପା ଆସିଥିଲେ। କହିଲେ ମୋ ଅଫିସ ଦେଖିବେ। ସେତେବେଳକୁ ପ୍ରାୟ ହଜାରେ ଲୋକ ଅଫିସ୍ରେ କାମ କରୁଥିଲେ। ଚକ୍ଚକ୍ କାଚ କୋଠାଘର। ସିକ୍ୟୁରିଟି ଗାର୍ଡ ଛାଡ଼ିଲାନି। କାରଣ ସେଦିନ ମୁଁ ଆଇ କାର୍ଡ ଭୁଲି ଯାଇଥିଲି। ମତେ କହିବାକୁ ବି ଖରାପ ଲାଗୁଥାଏ ଯେ ମୁଁ ଏଇ କମ୍ପାନିର ସିଇଓ। ବାପା ରାଗିକି ପଞ୍ଚମ। ସେଇଠୁ ଏଚ୍ଆର୍ ଆସି କହିବାରୁ ସିକ୍ୟୁରିଟି ଛାଡ଼ିଥିଲେ। ବାପା କ୍ଷୁବ୍ଧ ହେଲେ। କହିଲେ, କ’ଣ ତୁ’ ସଂସ୍ଥା ତିଆରି କରିଛୁ, ତତେ କେହି ଚିହ୍ନନ୍ତନି। ଏବେ ବି ବାପା ଭାବନ୍ତି ମତେ କେହି ଜାଣନ୍ତିନି। ବେଳେବେଳେ କହନ୍ତି, ତୋ’ ଦ୍ୱାରା କିଛି ହେବନାହିଁ। ତୁ ଗୁମାସ୍ତା ରଖ।
(ଓଡ଼ିଶାଲାଇଭ୍ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ – ‘ଷ୍ଟାର୍ଟଅପ୍ ଷ୍ଟୋରି’। ଉପସ୍ଥାପନା: ସୁବ୍ରତ ବାଗ୍ଚୀ। ସହଭାଗିତା: ଷ୍ଟାର୍ଟଅପ୍ ଓଡ଼ିଶା। ଇଣ୍ଡଷ୍ଟ୍ରି ପାର୍ଟନର୍: ଇମ୍ଫା, ଟାଇ ଭୁବନେଶ୍ୱର, ଫିକି। ପ୍ରିଣ୍ଟ ପାର୍ଟନର: ସମ୍ବାଦ। ରେଡିଓ ପାର୍ଟନର: ରେଡିଓ ଚକ୍ଲେଟ୍, କମ୍ୟୁନିଟି ରେଡିଓ ପାର୍ଟନର୍: ରେଡିଓ ନମସ୍କାର, ରେଡିଓ ସୁରଭି।)