ନୂଆଦିଲ୍ଲୀ: ସାହାରା ଗ୍ରୁପ୍ର ମୁଖ୍ୟ ସୁବ୍ରତ ରାୟଙ୍କ ପାଇଁ ଖରାପ ସମୟ ପାଖେଇ ଆସୁଛି। ଶୀଘ୍ର ୬୨,୨୦୦ କୋଟି ଟଙ୍କା ଜମା ନକଲେ ତାଙ୍କ ପାରୋଲ୍ ରଦ୍ଦ ହୋଇପାରେ। ତାଙ୍କୁ ପୁଣି ଥରେ ଜେଲ୍ ଯିବାକୁ ପଡ଼ିପାରେ। ଶୀଘ୍ର ଟଙ୍କା ଜମା କରିବା ଲାଗି ସୁବ୍ରତଙ୍କୁ ନିର୍ଦେଶ ଦେବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ସୁପ୍ରିମ୍ କୋର୍ଟଙ୍କୁ ଅନୁରୋଧ କରାଯାଇଛି। ଯଦି ଟଙ୍କା ଜମା କରିବାରେ ସେ ବିଫଳ ହୁଅନ୍ତି ତାଙ୍କ ପାରୋଲ୍କୁ ତୁରନ୍ତ ରଦ୍ଦ କରାଯାଉ ବୋଲି କୋର୍ଟଙ୍କୁ ସେବି କହିଛି।
ଆଠ ବର୍ଷ ତଳେ ସୁବ୍ରତଙ୍କୁ ୨୫,୭୦୦ କୋଟି ଟଙ୍କା ଜମା କରିବାକୁ କୁହାଯାଇଥିଲା। ସୁଧ ମିଶାଇ ଏବେ ସେହି ଟଙ୍କା ପରିମାଣ ୬୨,୨୦୦ କୋଟି ଟଙ୍କାରେ ପହଞ୍ଚିଛି। ସାହାରାର ଦୁଇଟି କଂପାନି ବିରୋଧରେ ବେଆଇନ ଭାବେ ନିବେଶକଙ୍କ ଠାରୁ ଟଙ୍କା ହାସଲ କରିଥିବା ଅଭିଯୋଗ ରହିଛି। ୨୦୧୨ରେ ଏହି ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ କହିଥିଲେ ଯେ ସାହାରାର ଦୁଇ କଂପାନି ପ୍ରତିଭୂତି ନିୟମ ଉଲ୍ଲଂଘନ କରିଛନ୍ତି ଓ ବେଆଇନ ଭାବେ ନିବେଶକଙ୍କ ଠାରୁ ଟଙ୍କା ହାସଲ କରିଛନ୍ତି। ଲକ୍ଷ ଲକ୍ଷ ଭାରତୀୟ ଯେଉଁମାନେ ବ୍ୟାଙ୍କ ଠାରୁ ଦୂରରେ ଥିଲେ ସେମାନଙ୍କ ଠାରୁ ସାହାରା ନଗଦ ରାଶି ହାସଲ କରିଥିଲା। ପ୍ରଭାବିତ ନିବେଶକମାନଙ୍କୁ ସେବି ଠାବ କରିବାରେ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ। ଯେଉଁମାନଙ୍କ ଠାରୁ ଟଙ୍କା ଅଣାଯାଇଥିଲା ତାହା ତୁରନ୍ତ ଫେରସ୍ତ କରିବା ପାଇଁ ସାହାରାକୁ କୁହାଯାଇଥିଲା। ସେହି କାର୍ଯ୍ୟ ସମ୍ପାଦିତ କରିବାରେ ସାହାରା ବିଫଳ ହେବାରୁ ଏହାର ମୁଖ୍ୟ ସୁବ୍ରତ ରାୟଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା। ନିବେଶକମାନଙ୍କ ସମସ୍ତ ଟଙ୍କା ଫେରସ୍ତ କରାଯାଇଛି ବୋଲି ସାହାରା ପକ୍ଷରୁ ଦାବି କରାଯାଉଛି। କିନ୍ତୁ ସେବି ସେହି ଦାବିକୁ ଗ୍ରହଣ କରୁନାହିଁ। ଏବେ ଯେଉଁ ନୂତନ ଦାବି ଉପସ୍ଥାପନ କରାଯାଇଛି ସେ ସମ୍ପର୍କରେ ସାହାରାର ପ୍ରବକ୍ତା କହିଛନ୍ତି ଯେ ଯେହେତୁ ନିବେଶକମାନଙ୍କୁ କଂପାନି ସବୁ ଟଙ୍କା ଫେରାଇ ସାରିଛି ତେଣୁ ଏହି ମାମଲା ଦ୍ବିତୀୟ ଥର ଟଙ୍କା ଦେବା ଭଳି ଘଟଣା ହେବ। ସେବି ଲଗାଇଥିବା ୧୫% ସୁଧ ଉପରେ ମଧ୍ୟ ସେ ଆପତ୍ତି ଉଠାଇଛନ୍ତି।
ଦେଶରେ ଯେଉଁ କେତେ ଜଣ କୋଟିପତିଙ୍କ ଜୀବନ ସମସ୍ୟା ବହୁଳ ରହିଛି ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁବ୍ରତ। ଏକ ସମୟରେ ତାଙ୍କର ଏକ ବିମାନ କଂପାନି, ଫର୍ମୁଲା ୱାନ୍ ଟିମ୍, କ୍ରିକେଟ୍ ଟିମ୍, ଲଣ୍ଡନ ଏବଂ ନ୍ୟୁୟର୍କ ସହରରେ ବିଳାସପୂର୍ଣ୍ଣ ହୋଟେଲ୍ ଥିଲା। କୋର୍ଟକଚେରି ମାମଲାରେ ଫସିବା ପରେ ନିବେଶକଙ୍କ ଟଙ୍କା ଫେରସ୍ତରେ ବିଫଳ ହେବାରୁ ତାଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ୍ରେ ରହିବାକୁ ପଡ଼ିଥିଲା। ୨୦୧୬ ପରଠାରୁ ସେ ପାରୋଲ୍ରେ ଜେଲ୍ ବାହାରକୁ ଆସିଛନ୍ତି। ସାହାରା ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୫ ହଜାର କୋଟି ଟଙ୍କା ଜମା କରାଯାଇଛି ବୋଲି ସେବି କୋର୍ଟଙ୍କୁ ଜଣାଇଛି।