ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାମାସରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ। ନିର୍ବାଚନ ପୂର୍ବରୁ ସେ ଆଗତ କରିଥିବା ଅନ୍ତରୀଣ ବଜେଟ୍ରେ ପୁଞ୍ଜି ବ୍ୟୟ ଓ ସବ୍ସିଡି ବାବଦରେ ଯେଉଁ ବ୍ୟୟବରାଦ କରିଥିଲେ ତାହାକୁ ବୃଦ୍ଧି କରିପାରନ୍ତି।
ଅନ୍ତରୀଣ ବଜେଟ୍ରେ ପୁଞ୍ଜି ବ୍ୟୟକୁ ୧୧.୧୧ ଲକ୍ଷ କୋଟି ଟଙ୍କାରେ ରଖାଯାଇଛି। ୨୦୨୩-୨୪ ବଜେଟ ଅଟକଳ ତୁଳନାରେ ଏହା ୧୧ ପ୍ରତିଶତ ଏବଂ ବାସ୍ତବ ବ୍ୟୟ ତୁଳନାରେ ୧୬.୯ ପ୍ରତିଶତ ଅଧିକ। କିନ୍ତୁ ସରକାର ଅନ୍ତରୀଣ ବଜେଟ୍ ତୂଳନାରେ ଏଥିରେ ୫ରୁ ୭ ପ୍ରତିଶତ ଅଧିକ ବ୍ୟୟବରାଦ କରିପାରନ୍ତି ବୋଲି ଅଧିକାରୀମାନେ ମତ ଦେଇଛନ୍ତି।
ପୁଞ୍ଜି ବ୍ୟୟ ବୃଦ୍ଧି ଆମର ପ୍ରାଧାନ୍ୟ। ଏ ନେଇ ଆଲୋଚନା ଚାଲିଛି। କ’ଣ ହେଉଛି ଦେଖାଯାଉ ବୋଲି ଜଣେ ଅଧିକାରୀ କହିଛନ୍ତି। ସେହିଭଳି ସରକାର ସରକାର ବିଭିନ୍ନ ସବ୍ସିଡି ରାଶି ବାବଦରେ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଉପରେ ବିଚାର କରୁଛନ୍ତି। ଅନ୍ତରୀଣ ବଜେଟ୍ରେ ୪.୧ ଲକ୍ଷ କୋଟି ଟଙ୍କା ସବ୍ସିଡି ବାବଦରେ ବ୍ୟୟବରାଦ କରାଯାଇଥିଲା। ୨୦୨୩-୨୪ର ସଂଶୋଧିତ ଅଟକଳ ୪.୪୧ ଲକ୍ଷ କୋଟି ତୁଳନାରେ ଏହା ୭ ପ୍ରତିଶତ କମ୍।
ଦେଶର ଉଦ୍ୟୋଗ ଜଗତ ପୁଞ୍ଜି ବ୍ୟୟ ବଢ଼ାଇବା ଉପରେ ଗୁରୁତ୍ବ ଦେଉଛି। ନିକଟରେ ଆଇଟିସି ଲିମିଟେଡର ସିଏମ୍ଡି ତଥା ସିଆଇଆଇର ସଭାପତି ସଂଜୀବ ପୁରୀ ନିକଟରେ କହିଥିଲେ ଯେ ସରକାର ଚଳିତ ଆର୍ଥିକବର୍ଷ ଏହି ବ୍ୟୟରେ ୨୫ ପ୍ରତିଶତ ବୃଦ୍ଧି ଆଣିବା ଆବଶ୍ୟକ। ରିଜର୍ଭ ବ୍ୟାଙ୍କ ଠାରୁ ୨.୧ ଲକ୍ଷ କୋଟି ଟଙ୍କାର ଲାଭାଂଶ ସରକାର ପାଇଛନ୍ତି। ଏଥିସହିତ ଟିକସ ଆଦାୟ ରାଶି ମଧ୍ୟ ଭଲ ରହିଥିବାରୁ ସେ ଏଭଳି ମତ ଦେଇଥିଲେ।