ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସବ୍ସିଡି ନୀତିରେ ପରିବର୍ତ୍ତନ ଦ୍ବାରା ଦେଶରେ ଇଭି (ବିଦ୍ୟୁତ ଯାନ) ବିକ୍ରି ପ୍ରଭାବିତ ହେବ। ଗୋଟିଏ ପଟେ ଗତ କିଛିବର୍ଷ ହେଲା ଇଭି ଶିଳ୍ପ ବିଭିନ୍ନ ପ୍ରକାର ଅସୁବିଧା ଦେଇ ଗତି କରୁଛି। ବ୍ୟାଟେରି ଫାଟି ଗାଡ଼ିରେ ନିଆଁ ଲାଗିବା ଦ୍ବାରା ଗ୍ରାହକଙ୍କ ମନରେ ଏହି ଗାଡ଼ି କିଣିବା ନେଇ ଛନକା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସବ୍ସିଡିରେ ଅନିଶ୍ଚିତତା ମଧ୍ୟ ଉକ୍ତ ଶିଳ୍ପର ଅଗ୍ରଗତି କ୍ଷେତ୍ରରେ ପ୍ରତିବନ୍ଧକ ଭାବେ ଛିଡ଼ା ହୋଇଛି। ସେହିଭଳି ଆବଶ୍ୟକ ମାତ୍ରାରେ ଚାର୍ଜିଂ ଭିତ୍ତିଭୂମି ସୃଷ୍ଟି କରାଯାଇ ନପାରିବା ଏବଂ ବ୍ୟାଟେରି ଦ୍ବାରା ପରିଚାଳିତ ଗାଡ଼ିକୁ ଋଣ ଦେବାଲାଗି ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ସେତେଟା ଆଗଭର ନହେବା ଆଦି ପାଇଁ ମଧ୍ୟ ଏହି ଶିଳ୍ପ ଯେତିକି ମାତ୍ରାରେ ଆଗକୁ ଯିବା କଥା ତାହା ହୋଇପାରୁନାହିଁ।
ଗତମାସରେ ସରକାର ଫେମ୍-୨ ଯୋଜନାରେ ସଂଶୋଧନ ଆଣିଛନ୍ତି। ଜୁନ ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଫେମ୍-୨ କାର୍ଯ୍ୟକାରୀ ହେବାଦିନଠାରୁ ନୀତିରେ ଏହା ତୃତୀୟ ସଂଶୋଧନ। ୨୦୧୯ରେ ପ୍ରଥମେ ଗାଡ଼ିର ଏକ୍ସସୋରୁମ ମୂଲ୍ୟରେ ୨୦ ପ୍ରତିଶତ ରିହାତି ଦିଆଯାଉଥିଲା। କିନ୍ତୁ ୨୦୨୧ ଜୁନରେ ଏହାକୁ ୪୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। କିନ୍ତୁ ଏବେ ତାହାକୁ ୧୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏଥିସହିତ ବ୍ୟାଟେରିର କ୍ଷମତା (କେଡବ୍ଲୁଏଚ୍) ପିଛା ସବସିଡି ପ୍ରଥମେ ୧୦ ହଜାର ଟଙ୍କା ରହିଥିଲା। ୨୦୨୧ ଜୁନରେ ଏହାକୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ। କିନ୍ତୁ ଏବେ ତାହାକୁ ୧୦ ହଜାର ଟଙ୍କାକୁ କମାଇ ଦିଆଯାଇଛି। ୨୦୨୧ ମସିହାରେ ସରକାର ଫେମ୍-୨ ଯୋଜନାର ଅବଧିକୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ମହାମାରୀ ପାଇଁ ଏହା କରାଯାଇଥିଲା। କିନ୍ତୁ ଏବେ ସବସିଡି ହ୍ରାସ କରାଯାଇଥିବାରୁ ଆଗାମୀ ଦିନରେ ଇଭି ବିକ୍ରି ହ୍ରାସ ପାଇବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି।
୨୦୨୪-୨୫ ଆର୍ଥିକ ବର୍ଷରେ ଦେଶରେ ପ୍ରତି ୧୦୦ଟି ଦୁଇ ଚକିଆରେ ଇଭିର ଅଂଶ ୧୩ରୁ ୧୫ ପ୍ରତିଶତ ରହିବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। କିନ୍ତୁ ଏହା ୧୦ରୁ ୧୨ ପ୍ରତିଶତକୁ ହ୍ରାସ ପାଇବ ବୋଲି ରେଟିଂ ଏଜେନ୍ସି ଇକ୍ରାର ସେକ୍ଟର ହେଡ୍ ରୋହନ ଗୁପ୍ତା କହିଛନ୍ତି। ସରକାର ଯଦି ସବସିଡିରେ ପରିବର୍ତ୍ତନ ନଆଣନ୍ତି ତା’ହେଲେ ୨୦୨୩-୨୪ ଆର୍ଥିକ ବର୍ଷରେ ଦୁଇ ଚକିଆ ବିଦ୍ୟୁତ ଯାନ ବିକ୍ରି ନେଇ ଯେଉଁ ୨.୩ ନିୟୁତର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ଅଧାକୁ ଅର୍ଥାତ୍ ୧.୨ ନିୟୁତକୁ କମିଯିବ ବୋଲି ହିରୋ ଇଲେକ୍ଟ୍ରିକର ସିଇଓ ସୋହିନ୍ଦର ଗିଲ୍ କହିଛନ୍ତି। ୨୦୦୦ କୋଟିରୁ ଅଧିକ ଟଙ୍କାର ସବ୍ସିଡି ବାକି ରହିଛି। ଛୋଟ ଉତ୍ପାଦନକାରୀମାନେ କାରଖାନା ବନ୍ଦ କରିଲେଣି। ବ୍ୟାଙ୍କ ମଧ୍ୟ ଅନେକ ନିର୍ମାତାଙ୍କୁ ଆର୍ଥିକ ସହାୟତା ବନ୍ଦ କଲେଣି ବୋଲି ବିଶେଷଜ୍ଞମାନେ କହିଛନ୍ତି।
୨୦୩୦ ମସିହା ସୁଦ୍ଧା ଦେଶରେ ବିକ୍ରି ହେଉଥିବା ମୋଟ ୨ ଚକିଆରେ ବ୍ୟାଟେରି ଚାଳିତ ଯାନର ଅଂଶ ୮୦ ପ୍ରତିଶତ ରହିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ହାସଲ କରିବାକୁ ହେଲେ ଉକ୍ତ ଶିଳ୍ପର ସ୍ଥିତି ଭଲ ରହିବା ଆବଶ୍ୟକ। ଏହାବ୍ୟତୀତ ପ୍ରତି ୩ଟିରେ ଗୋଟିଏ କାର୍ ବ୍ୟାଟେରି ଚାଳିତ ହେବା ଆବଶ୍ୟକ। ଏହା ହେଲେ ୨୦୭୦ ମସିହା ସୁଦ୍ଧା ଭାରତର ନିଟ୍ ଜିରୋ ଲକ୍ଷ୍ୟ ହାସଲ ପଥ ସୁଗମ ହୋଇପାରିବ।