ନୂଆଦିଲ୍ଲୀ: ସପ୍ତାହକୁ ୭୦ ଘଣ୍ଟା କାମ କରିବା ଉଚିତ ବୋଲି ବୟାନ ଦେଇ ବିବାଦରେ ରହିଥିଲେ ଇନ୍ଫୋସିସ୍ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି। ନିକଟରେ ତାଙ୍କ ପତ୍ନୀ ସୁଧା ମୂର୍ତ୍ତି ସେ ସଂପର୍କରେ କଥା ହୋଇଛନ୍ତି। ଲେଖିକା ମୂର୍ତ୍ତି ବିଶ୍ୱାସ କରନ୍ତି ଯେ ଲୋକମାନେ ଗମ୍ଭୀରତାର ସହିତ ଏବଂ ଆଗ୍ରହର ସହିତ କିଛି କରିବାକୁ ଚାହିଁଲେ ନିଶ୍ଚୟ କିଛି ବଡ଼ କରିପାରିବେ।
ପ୍ରଥମ ଥର ପାଇଁ ସେ ତାଙ୍କ ସ୍ୱାମୀ ନାରାୟଣ ମୂର୍ତ୍ତିଙ୍କ ବିବାଦୀୟ ୭୦ ଘଣ୍ଟା କାର୍ଯ୍ୟ-ସପ୍ତାହ ପରାମର୍ଶ ଉପରେ ବକ୍ତବ୍ୟ ରଖିଛନ୍ତି। ଏକ ସାକ୍ଷାତ୍କାରରେ ସୁଧା କହିଛନ୍ତି କି ପାଖରେ କିଛି ଟଙ୍କା ନଥାଇ ବି ନିଜର ଉତ୍ସର୍ଗୀକୃତ ମନୋଭାବ ପାଇଁ ତାଙ୍କ ସ୍ବାମୀ ଆଜି ସଫଳ ବ୍ୟବସାୟୀ ହୋଇପାରିଛନ୍ତି। ଏହା ସମ୍ଭବ ହୋଇପାରିଛି, କାରଣ ସେ ସପ୍ତାହକୁ ୭୦ ଘଣ୍ଟାରୁ ଅଧିକ ସୟମ ନିଜ କାମକୁ ଦେଇଛନ୍ତି ବୋଲି।
ସେ ଦାବି କରିଛନ୍ତି କି ଏହା ଅନ୍ୟଥା ସମ୍ଭବ ହୋଇପାରି ନଥାନ୍ତା। ଏପରି କୌଣସି "ଯାଦୁ ବାଡ଼ି" ନଥିଲା ଯାହା ଇନଫୋସିସକୁ "ଏତେ ବଡ଼" କରିପାରିଛି। ଏହା ତାଙ୍କର କଠିନ ପରିଶ୍ରମର ଫଳ ବୋଲି ସୁଧା କହିଛନ୍ତି।
ଯେତେବେଳେ ମୂର୍ତ୍ତିଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପଚାରାଗଲା ତ ସେ କୁହନ୍ତି, ‘‘ମୁଁ ତାଙ୍କୁ ଇନ୍ଫୋସିସ୍ର ଯତ୍ନ ନେବାକୁ କହିଥିଲି। ମୁଁ ନିଜର ଓ ପରିବାରର ଯତ୍ନ ନେଉଥିଲି। ସ୍ବାମୀ ଘରେ ନାହାନ୍ତି ବୋଲି କହି ଅଭିଯୋଗ କରିବାର କିଛି କାରଣ ନାହିଁ। କାରଣ ସେ କିଛି ବଡ଼ କାମରେ ଅଛନ୍ତି ବୋଲି ବୁଝିବା ଦରକାର।’’