ନୂଆଦିଲ୍ଲୀ: ଅସ୍ୱାଭାବିକ ବର୍ଷା କାରଣରୁ ଚିନି ଉତ୍ପାଦନରେ ହ୍ରାସ ଏବଂ ଆଗାମୀ ଦିନରେ ଅନେକ ପର୍ବ ଆସୁଥିବାବେଳେ ଚିନିର ଚାହିଦା ବୃଦ୍ଧି ହେତୁ କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ କିଛି ପ୍ରତିବନ୍ଧକ ଲଗାଇ ପାରନ୍ତି। ପର୍ବପର୍ବାଣି ସମୟରେ ଚିନି ମୂଲ୍ୟରେ ବୃଦ୍ଧି ହେତୁ ସରକାର ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇପାରନ୍ତି। ଚିନି ମୂଲ୍ୟ ବୃଦ୍ଧି ପରେ ସରକାର ଚିନି କମ୍ପାନୀମାନଙ୍କୁ ୧୦ ଅକ୍ଟୋବର ୨୦୨୩ ସୁଦ୍ଧା ଉତ୍ପାଦନ, ଡିଲର, ଖୁଚୁରା ବ୍ୟବସାୟ ଏବଂ ବିକ୍ରିର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାର ମଧ୍ୟ ନଭେମ୍ବର ୧୦ ସୁଦ୍ଧା NSWS ପୋର୍ଟାଲରେ ପଞ୍ଜୀକରଣ କରିବାକୁ ଚିନି ମିଲଗୁଡିକୁ କହିଛନ୍ତି।
ସରକାରୀ ତଥ୍ୟ ଅନୁଯାୟୀ, ଜାନୁୟାରୀ ୧, ୨୦୨୩ ରେ ଚିନି କିଲୋଗ୍ରାମ ପିଛା ୪୧.୪୫ ଟଙ୍କା ଥିବାବେଳେ ଯାହାର ମୂଲ୍ୟ ଅକ୍ଟୋବର ୧୦, ୨୦୨୩ରେ ୪୩.୮୪ ଟଙ୍କାକୁ ବୃଦ୍ଧି ପାଇଥିଲା। ଅର୍ଥାତ ଚିନି ମୂଲ୍ୟ ୬ ପ୍ରତିଶତ ବା କିଲୋଗ୍ରାମ ପିଛା ପ୍ରାୟ ୨.୫୦ ଟଙ୍କା ମହଙ୍ଗା ହୋଇଛି | ଏହାପୂର୍ବରୁ ଚିନି ଦର ବୃଦ୍ଧି ପରେ ସରକାର ବ୍ୟବସାୟୀ, ହୋଲସେଲର, ଖୁଚୁରା ବ୍ୟବସାୟୀ, ବଡ ଚେନ ରିଟେଲର ଏବଂ ପ୍ରୋସେସରଙ୍କ ମୂଲ୍ୟ ଯାଞ୍ଚ କରିବା ଏବଂ ହୋର୍ଡିଂକୁ ରୋକିବା ପାଇଁ ପ୍ରତି ସପ୍ତାହରେ ଚିନି ଷ୍ଟକ ଘୋଷଣା କରିବାକୁ ବାଧ୍ୟତାମୂଳକ କରିଛନ୍ତି। ବାସ୍ତବରେ ଦେଶର ଅଧାରୁ ଅଧିକ ଚିନି ଉତ୍ପାଦନ କରୁଥିବା ଦୁଇ ରାଜ୍ୟ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ କମ୍ ବର୍ଷା ଯୋଗୁଁ ଆଖୁ ଚାଷ ପ୍ରଭାବିତ ହୋଇଛି। ତେଣୁ ଚିନି ରପ୍ତାନି ଉପରେ କଟକଣା ଲଗାଇବା ବିଷୟରେ ସରକାର ବିଚାର କରୁଛନ୍ତି।