ଚିନି ରପ୍ତାନି କଟକଣା ବର୍ଷେ ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଚିନି ରପ୍ତାନି ଉପରେ ଲାଗିଥିବା କଟକଣାକୁ ଆସନ୍ତାବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଦେଶରେ ଚିନି ମୂଲ୍ୟବୃଦ୍ଧିକୁ ରୋକିବା ପାଇଁ ସରକାର ଚଳିତବର୍ଷ ମେ’ ମାସରେ ରପ୍ତାନି ଉପରେ କଟକଣା ଲଗାଇଥିଲେ। ଚଳିତମାସ ଶେଷରେ ଏହି କଟକଣା ସରିଥାଆନ୍ତା। କିନ୍ତୁ ଏହା ପୂର୍ବରୁ ଉକ୍ତ କଟକଣାକୁ ବର୍ଷେ ବଢ଼ାଇ ଦିଆଯାଇଛି। ଚଳିତବର୍ଷ ଭାରତରେ ଚିନି ଉତ୍ପାଦନ ଭଲ ରହିବ ବୋଲି ଆଶା କରାଯାଉଛି। ଫଳରେ ଭାରତ ସରକାର ୮ ନିୟୁତ ଟନ୍ ପର୍ଯ୍ୟନ୍ତ ଚିନି ରପ୍ତାନି ପାଇଁ ଅନୁମତି ଦେବାର ସମ୍ଭାବନା ଥିଲା ବୋଲି କିଛି ସରକାରୀ ଅଧିକାରୀ ଏବଂ ଚିନି ଶିଳ୍ପ ସହ ଜଡ଼ିତ ବ୍ୟକ୍ତିମାନେ କିଛିଦିନ ପୂର୍ବରୁ ମତ ଦେଇଥିଲେ।

ଚଳିତମାସ ପ୍ରଥମାର୍ଦ୍ଧରେ ଅଦିନିଆ ବର୍ଷା ହେବା କାରଣରୁ ଦେଶରେ ଚିନି ଉତ୍ପାଦନ ବିଳମ୍ବ ହୋଇଛି। ଉତ୍ପାଦନରେ ହୋଇଥିବା ବିଳମ୍ବ କାରଣରୁ ରପ୍ତାନି ଚୁକ୍ତି ଶୀଘ୍ର କରି ଏହାର ଭରଣା କରିବା ଲାଗି ବ୍ୟବସାୟୀମାନେ ଉଦ୍ୟମ ଚଳାଇଥିଲେ। ୨୦୨୨-୨୩ ସିଜନରେ ଭାରତ ପାଖାପାଖି ୩୬.୫ ନିୟୁତ ଟନ ଚିନି ଉତ୍ପାଦନ କରିବା ଆଶା ରଖାଯାଇଛି। ଗତବର୍ଷ ତୁଳନାରେ ଏହା ୨ ପ୍ରତିଶତ ଅଧିକ। କିନ୍ତୁ ୨୦୨୧-୨୨ ମାର୍କେଟିଂ ବର୍ଷରେ ଭାରତର ଚିନି ରପ୍ତାନି ୫୭ ପ୍ରତିଶତ ବୃଦ୍ଧି ଘଟି ୧୦୯.୮ ଲକ୍ଷ ଟନ ରହିଥିଲା। ରପ୍ତାନି ବୃଦ୍ଧି ଫଳରେ ଭାରତ ଏ ବାବଦରେ ପାଖାପାଖି ୪୦ ହଜାର କୋଟି ଟଙ୍କାର ବିଦେଶୀ ମୁଦ୍ରା ଦେଶକୁ ଆଣି ପାରିଥିଲା।

ସମ୍ବନ୍ଧିତ ଖବର