ଚିନି ଶିଳ୍ପ ପାଇଁ ୪୫୦୦ କୋଟିର ପ୍ୟାକେଜ୍

ନୂଆଦିଲ୍ଲୀ: ଚିନି କଳ ଓ ଆଖୁ ଚାଷୀଙ୍କ କଲ୍ୟାଣ ପାଇଁ ୪୫୦୦ କୋଟି ଟଙ୍କାର ପ୍ୟାକେଜ୍‌କୁ ଅନୁମୋଦନ ପ୍ରଦାନ କରାଯାଇଛି। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି।
ସରକାର ଆଖୁ ପେଷିବା ପାଇଁ କ୍ବିଣ୍ଟାଲ୍ ପିଛା ୫ ଟଙ୍କା ୫୦ ପଇସାର ସହାୟତା ପ୍ରଦାନ କରିବେ। ଏବାବଦରେ ସରକାର ୧୪୫୦ କୋଟି ଟଙ୍କା ଦେବେ। ସେହିପରି ୧୨୦୦ କୋଟି ଟଙ୍କା ଅଟକଳରେ ୩ ନିୟୁତ ଟନ୍‌ର ଏକ ଚିନି ଭଣ୍ଡାର (ବଫର୍‌ ଷ୍ଟକ୍) ସ୍ଥାପନ କରାଯିବ। ଏହା ବ୍ୟତୀତ, ପାଞ୍ଚ ନିୟୁତ ଟନ୍ ଚିନି ରପ୍ତାନି ପାଇଁ ଚିନି କଳଗୁଡ଼ିକୁ ପରିବହନ ସବ୍‌ସିଡି ପ୍ରଦାନ କରାଯିବ। ଏହି ସବୁ ପଦକ୍ଷେପ ଗ୍ରହଣ କରିବା ପାଇଁ ଖାଦ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା ଯାହାକୁ କ୍ୟାବିନେଟ୍ କମିଟି ଅନୁମୋଦନ ପ୍ରଦାନ କରିଛି।
ଚଳିତ ବର୍ଷ ଜୁନ୍‌ ମାସରେ ଚିନି ଶିଳ୍ପ ପାଇଁ ସରକାର ୮୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ନିର୍ବାଚନକୁ ଦୃଷ୍ଟି‌େର ରଖି ପୁଣି ୪୫୦୦ କୋଟିର ପ୍ୟାକେଜ୍ ଆଣିଛନ୍ତି।
ଦେଶରେ ଚଳିତ ବର୍ଷ ରେକର୍ଡ ୩୨ ନିୟୁତ ଟନ୍ ଚିନି ଉତ୍ପାଦନ ହୋଇଛି। ବିଶ୍ବ ବଜାରରେ ଚିନି ଦର କମ୍ ଥିବାରୁ ରପ୍ତାନିରୁ ଭଲ ଆୟ ହେଉନାହିଁ। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ୫ ନିୟୁତ ଟନ୍ ଚିନି ରପ୍ତାନି ପାଇଁ ସହାୟତା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆନ୍ତଃ ପରିବହନଠାରୁ ଆରମ୍ଭ କରି ମାଲ ଭଡ଼ା ପର୍ଯ୍ୟନ୍ତ ବିଭିନ୍ନ ଶୁଳ୍କକୁ ସରକାର ବହନ କରିବେ। ବନ୍ଦରଠାରୁ ୧୦୦ କିଲୋମିଟର ଦୂରତା ଭିତରେ ଥିବା ଚିନି କଳଗୁଡ଼ିକୁ ଟନ୍ ପିଛା ଚିନି ପାଇଁ ୧୦୦୦ ଟଙ୍କାର ପରିବହନ ସବ୍‌ସିଡି ପ୍ରଦାନ କରାଯିବ। ଉପକୂଳ ରାଜ୍ୟଗୁଡ଼ିକରେ ବନ୍ଦରଠାରୁ ୧୦୦ କିମିରୁ ଅଧିକ ଦୂରତାରେ ଥିବା ଚିନି କଳଗୁଡ଼ିକୁ ଟନ୍ ପିଛା ୨୫୦୦ ଟଙ୍କା ଓ ଅନ୍ୟ ରାଜ୍ୟର ଚିନି କଳଗୁଡ଼ିକୁ ୩୦୦୦ ଟଙ୍କାର ପରିବହନ ସବ୍‌ସିଡି ପ୍ରଦାନ କରାଯିବ।
ଚିନି ବଜାର ମାନ୍ଦା ରହିଥିବାରୁ ଚିନି କଳଗୁଡ଼ିକ ଆଖୁ ଚାଷୀଙ୍କ ୧୩୦୦୦ କୋଟିରୁ ଅଧିକ ଟଙ୍କାର ପ୍ରାପ୍ୟ ଦେଇପାରୁନାହାନ୍ତି। ଚାଷୀମାନେ ଯେଭଳି ନିଜର ପ୍ରାପ୍ୟ ପାଇପାରିବେ ସେଥିପାଇଁ ସରକାର ପଦକ୍ଷେପ ଘୋଷଣା କରିଛନ୍ତି।
ଆସନ୍ତା ମାର୍କେଟିଂ ବର୍ଷ ବେଳକୁ ଦେଶର ଚିନି ଉତ୍ପାଦନ ୩୫ ନିୟୁତ ଟନ୍‌କୁ ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ଚିନିର ଆମଦାନି ଉପରେ ୧୦୦% ଶୁଳ୍କ ଲଗାଇ ଦିଆଯାଇଛି। ରପ୍ତାନି ଉପରୁ ଶୁଳ୍କ ଉଚ୍ଛେଦ କରାଯାଇଛି। ବିଶ୍ବ ବଜାରରେ ଦର‌ ଯେତେ କମ୍ ରହିଲେ ମଧ୍ୟ ବାଧ୍ୟତାମୂଳକ ଭାବେ ୨ ନିୟୁତ ଟନ୍ ଚିନି ରପ୍ତାନି କରିବାକୁ ସରକାର ଚିନି କଳଗୁଡ଼ିକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର