ନୂଆଦିଲ୍ଲୀ: ଅତି ସହଜରେ ଋଣ ଦେଉଥିବା ମୋବାଇଲ୍ ଆପ୍ଗୁଡ଼ିକ ଲୋକମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିବା ଜଣାପଡ଼ିଛି। ଅଭାବ ଅସୁବିଧାରୁ ମୁକୁଳିବା ଲାଗି ଲୋକମାନେ ଏଭଳି ଆପ୍ଗୁଡ଼ିକର ପ୍ରଲୋଭନର ଶିକାର ହୋଇ ଋଣ ନେଉଛନ୍ତି। କିନ୍ତୁ ଟଙ୍କା ଶୁଝିନପାରିଲେ ତାଙ୍କୁ ବିଭିନ୍ନ ପ୍ରକାରରେ ହଇରାଣ ହେବାକୁ ପଡ଼ୁଛି। ସେମାନେ ଋଣ ଜାଲରେ ଏକ ପ୍ରକାର ଛନ୍ଦି ହୋଇପଡ଼ୁଛନ୍ତି। ସେଥିରୁ ମୁକୁଳିବାକୁ ବାଟ ପାଉନାହାନ୍ତି। ବାଧ୍ୟ ହୋଇ କିଛି ଗ୍ରାହକ ଆତ୍ମହତ୍ୟା ମଧ୍ୟ କରୁଛନ୍ତି। ଯେଉଁ ଗ୍ରାହକମାନେ ଋଣ ଶୁଝିବାରେ ସାମାନ୍ୟ ତ୍ରୁଟି କରୁଛନ୍ତି ସେମାନଙ୍କୁ ବିଭିନ୍ନ ପ୍ରକାରରେ ହଇରାଣ କରାଯାଉଛି। ତାଙ୍କ କଲ୍ ଲିଷ୍ଟ୍ରେ ଥିବା ଲୋକମାନଙ୍କୁ ଫୋନ୍ କରି ଓ ଏସ୍ଏମ୍ଏସ୍ ପଠାଇ ତାଙ୍କୁ ଲଜ୍ଜିତ କରାଯାଉଛି।
ଖିଲାପ କରୁଥିବା ଗ୍ରାହକଙ୍କ ଫଟୋକୁ ସାର୍ବଜନୀନ କରି ଠକ ବୋଲି ଅଭିହିତ କରାଯାଉଛି। କିଛି ଗ୍ରାହକ ମାନସିକ ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା କରୁଥିବା ବେଳେ ଅନ୍ୟମାନେ ପୁଲିସର ସହାୟତା ନେଉଛନ୍ତି। ତତ୍କାଳ ଋଣ ଦେବାର ପ୍ରଲୋଭନ ଦେଖାଉଥିବା ମୋବାଇଲ୍ ଆପ୍ ଏବେ ଏକ ବଡ଼ ଦୁର୍ନୀତି ଭାବେ ଉଭା ହୋଇଛି। ଏହି ମାମଲା ସହ ଜଡ଼ିତ ୧୯ ଜଣ ଲୋକଙ୍କୁ ସାଇବରାବାଦ ଓ ହାଇଦ୍ରାବାଦ ପୁଲିସ ଗତ ମଙ୍ଗଳବାର ଗିରଫ କରିଛି। ପୁଲିସ କହିବାନୁସାରେ ତୁରନ୍ତ ଋଣ ଚାହୁଥିବା ଗ୍ରାହକମାନେ ପ୍ରଥମେ ଋଣ ଏଗ୍ରିଗେଟର ଆପ୍ ଡାଉନ୍ଲୋଡ୍ କରୁଛନ୍ତି। ଏହା ସେମାନଙ୍କୁ ଆଉ ଏକ ଆପ୍ ପର୍ଯ୍ୟନ୍ତ ନେଇଯାଉଛି ଯେଉଁଠାରେ ଗ୍ରାହକମାନେ ଋଣ ପାଇବା ଲାଗି ନିଜର ଆଧାର, ପାନ୍ ଏବଂ ସେଲ୍ଫି ଜରିଆରେ ଫଟୋ ଦେଉଛନ୍ତି। ଗ୍ରାହକଙ୍କ ଫଟୋ ଗ୍ୟାଲେରି ଓ କଣ୍ଟାକ୍ଟ ଲିଷ୍ଟ୍ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଏହି ଆପ୍ଗୁଡ଼ିକ ଗ୍ରାହକଙ୍କ ଅନୁମତି ମାଗୁଛନ୍ତି। ତୁରନ୍ତ ଋଣ ମଞ୍ଜୁର କରାଯାଉଥିବା ବେଳେ ସାତଦିନରେ ଶୁଝିବାକୁ କୁହାଯାଉଛି। ଯେଉଁମାନେ ଟଙ୍କା ପରିଶୋଧ କରିପାରନ୍ତି ନାହିଁ ସେମାନଙ୍କ ପାଇଁ ସମସ୍ୟା ଆରମ୍ଭ ହୋଇଯାଏ। ଯେହେତୁ ଗ୍ରାହକ ଜଣକ ନିଜ ଆଡ଼ୁ ସବୁ ତଥ୍ୟ ଦେବା ଲାଗି ଅନୁମତି ଦେଇଥାନ୍ତି ତେଣୁ ଆଇନଗତ ପ୍ରକ୍ରିୟାରେ ଆପ୍ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଷ୍ଟକର ହେଉଛି।
ଋଣ ଯାଚୁଥିବା ଆପ୍ ପ୍ରତି ସାବଧାନ: ରିଜର୍ଭ ବ୍ୟାଙ୍କ
ମୁମ୍ବାଇ: ଡିଜିଟାଲ୍ ମାଧ୍ୟମରେ କିମ୍ବା ମୋବାଇଲ୍ ଆପ୍ ଜରିଆରେ ଶୀଘ୍ର ଓ ଅତି ସହଜରେ ଋଣ ଦେବାର ପ୍ରତିଶ୍ରୁତି ଦେଉଥିବା ସଂସ୍ଥାଗୁଡ଼ିକ ପ୍ରତି ସାବଧାନ ରହିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସାଧାରଣ ଜନତା ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ କୁହାଯାଇଛି। ଏଭଳି ଅଣସ୍ବୀକୃତିପ୍ରାପ୍ତ ସଂସ୍ଥାଗୁଡ଼ିକର ସଂଖ୍ୟା ବହୁତ ବଢ଼ିଯାଇଛି। ଏଭଳି ସଂସ୍ଥା ଗ୍ରାହକମାନଙ୍କୁ ବିଭିନ୍ନ ଉପାୟରେ ନିଜ ଜାଲରେ ଛନ୍ଦି ଦେଉଛନ୍ତି। ଅତ୍ୟଧିକ ସୁଧ ଆଦାୟ କରୁଥିବା ବେଳେ ସେମାନଙ୍କ ଅନେକ ଗୋପନ ଚାର୍ଜ ମଧ୍ୟ ରହୁଛି। ସେମାନେ ସାଧାରଣରେ ଗ୍ରହଣୀୟ ହେଉନଥିବା ରିକଭରି ବ୍ୟବସ୍ଥା ଗ୍ରହଣ କରୁଛନ୍ତି ଏବଂ ଗ୍ରାହକଙ୍କ ମୋବାଇଲ୍ ଫୋନ୍ରେ ଥିବା ତଥ୍ୟର ଅପବ୍ୟବହାର ମଧ୍ୟ କରୁଛନ୍ତି। ଏଭଳି ସଂସ୍ଥାର ପ୍ରତିଶ୍ରୁତିରେ ଭାସି ନଯିବାକୁ ରିଜର୍ଭ ବ୍ୟାଙ୍କ ସତର୍କ କରାଇଛି। ଅନ୍ଲାଇନ୍ରେ କିମ୍ବା ମୋବାଇଲ୍ ଆପ୍ ଜରିଆରେ ଋଣ ଯାଚୁଥିବା ସଂସ୍ଥାଗୁଡ଼ିକ କେତେ ବିଶ୍ବାସଯୋଗ୍ୟ ତାହା ପ୍ରଥମେ ଯାଞ୍ଚ କରିବା ଲାଗି ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛି। କୌଣସି ଅଚିହ୍ନା ବ୍ୟକ୍ତି, ଯାଞ୍ଚ ହୋଇନଥିବା କିମ୍ବା ଅଣସ୍ବୀକୃତିପ୍ରାପ୍ତ ମୋବାଇଲ୍ ଆପ୍କୁ ନିଜର କାଗଜପତ୍ର ନଦେବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଯଦି ସେଭଳି କୌଣସି ସଂସ୍ଥା ବିଷୟରେ ଜାଣୁଛନ୍ତି ତୁରନ୍ତ ଆଇନ ପ୍ରବର୍ତ୍ତନ କରୁଥିବା ସଂସ୍ଥା ପାଖରେ ଅଭିଯୋଗ କରିବାକୁ ମଧ୍ୟ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ରିଜର୍ଭ ବ୍ୟାଙ୍କ ସହ ପଞ୍ଜୀକୃତ ଥିବା ସଂସ୍ଥା ଠାରୁ ଋଣ ନେବାକୁ ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛି।