ସଫଳତାର ଆଉ ପାଦେ ଆଗକୁ ବଢ଼ିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ : ମୂଳ କମ୍ପାନି ଆଲଫାବେଟର ସିଇଓ ଭାବେ ପାଇଲେ ଅତିରିକ୍ତ ଦାୟିତ୍ୱ

ନ୍ୟୁୟର୍କ: ଆଉ ପାଦେ ଆଗକୁ ବଢ଼ିଲେ ଗୁଗଲର ସିଇଓ ସୁନ୍ଦର ପିଚାଇ । ଏବେ ସେ ଗୁଗଲ ସହ ଏହାର ମୂଳ କମ୍ପାନୀ ଆଲଫାବେଟର ବି ନେତୃତ୍ୱ ନେବେ । ଗୁଗଲର ସିଇଓ ଭାବେ ଦାୟିତ୍ୱ ନେବାର ୪ ବର୍ଷ ପରେ ତାଙ୍କୁ ଆଲଫାବେଟର ସିଇଓ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ପିଚାଇଙ୍କ ନେତୃତ୍ୱରେ ଗତ ତିନି ବର୍ଷରେ ଗୁଗଲର ବିଜ୍ଞାପନ ରାଜସ୍ୱ ୮୫ ପ୍ରତିଶତ ବୃଦ୍ଧି ପାଇଛି ।

୨୦୧୫ରେ ଗୁଗଲର ବିଜ୍ଞାପନ ରାଜସ୍ୱ ୪.୩୫ ଲକ୍ଷ କୋଟି ଥିବାବେଳେ, ୨୦୧୮ରେ ଏହା ୮.୩୧ଲକ୍ଷ କୋଟିରେ ପହଞ୍ଚିଛି । ପିଚାଇଙ୍କ ନେତୃତ୍ୱରେ ଗୁଗଲ ସମସ୍ତ ପ୍ରମୁଖ ଉତ୍ପାଦ ଟ୍ରେଣ୍ଡ କ୍ଲାଉଡ୍, ମୋବାଇଲ୍, ସର୍ଚ୍ଚ ଓ ଆଡଭରଟାଇଜିଂରେ ଆଗୁଆ ରହିଛି । ନୂଆ ବୈଷୟିକ ଜ୍ଞାନ କୌଶଳରେ ଖର୍ଚ୍ଚ କରିବାରେ ମଧ୍ୟ ଆଗରେ ରହିଛି ଗୁଗୁଲ । ଅଲଫାବେଟର ରାଜସ୍ୱରେ ଗୁଗୁଲର ବିଜ୍ଞାପନ ବ୍ୟବସାୟ ୮୫ ପ୍ରତିଶତ ଯୋଗଦାନ ରହିଛି ।

Business Insider

କମ୍ପାନୀ କ୍ରମାଗତ ଭାବେ ଗତ ୧୫ ତ୍ରୟମାସିକରେ ଲାଭ ଦେଇ ଆସୁଛି । ଗତ ବର୍ଷ ଅଲଫାବେଟର ମୋଟ ରାଜସ୍ୱ ୯.୫୨ ଲକ୍ଷ କୋଟି ଟଙ୍କା ଥିଲା । ଗତ ୪ ବର୍ଷରେ କମ୍ପାନୀର ଅଂଶଧନ ୮୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଛି । ଏହା ସହିତ ପିଚାଇ ଗୁଗୁଲକୁ ବିଭିନ୍ନ ବିବାଦ ଭିତରୁ ବାହାରକୁ ଆଣିଥିଲେ । ଯେମିତିକୁ ବ୍ୟକ୍ତିଗତ, ଘୃଣା ବ୍ୟାପିବା ଭଳି ବିବୃତି, ଭୁଲ ସୂଚନା ଓ ରାଜନୈତିକ ଭେଦଭାବ ଭଳି ଗୁଗଲକୁ ବ୍ୟବହାର କରାଯାଉଥିବା ନେଇ ଦେଖାଦେଇଥିବା ବିବାଦରୁ କମ୍ପାନୀକୁ ବାହାର କରିଥିଲେ ।

୧୯୭୨ରେ ତାମିଲନାଡୁର ମଦୁରାଇରେ ଜନ୍ମିତ ପିଚାଇ ଖଡଗପୁର ଆଇଆଇଟିରୁ ବିଟେକ୍ କରିଥିଲେ । ସେ ତାଙ୍କ ବ୍ୟାଚରେ ସିଲଭର ମେଡାଲ ହାସଲ କରିଥିଲେ । ତାପରେ ଆମେରିକାର  ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମଏସ ପଢ଼ିଥିଲେ ଓ ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ଏମବିଏ କରିଥିଲେ । ୨୦୦୪ରେ ଗୁଗଲରେ ପ୍ରଡକ୍ଟ  ଇନୋଭେସନ ଅଫିସର ଭାବେ ନିଯୁକ୍ତି ପାଇଥିଲେ ।

ସମ୍ବନ୍ଧିତ ଖବର