ଗୁଗଲ୍‌ର ଚୀନ୍‌ ପ୍ରତ୍ୟାବର୍ତ୍ତନ ସପକ୍ଷରେ ବଳିଷ୍ଠ ଯୁକ୍ତି ବାଢ଼ିଲେ ସୁନ୍ଦର ପିଚାଇ

ନୂଆଦିଲ୍ଲୀ: ଗୁଗଲ୍‌ ସର୍ଚ ଇଞ୍ଜିନ୍‌ ଚୀନ୍‌ ପ୍ରତ୍ୟାବର୍ତ୍ତନ ଉପରେ ଭାରତ ଜନ୍ମିତ ସିଇଓ ସୁନ୍ଦର ପିଚାଇ ଏକ ବଳିଷ୍ଠ କାରଣ ଉପସ୍ଥାପନା କରିଛନ୍ତି। ସେ କହିଛନ୍ତି ଯେ ଗୁଗଲ୍‌ ଚୀନ୍‌ର ଅନେକ କମ୍ପାନିକୁ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଯୋଗସୂତ୍ର ସ୍ଥାପନ କରାଇବାରେ ସହାୟକ ହୋଇଛି।

ସରକାରଙ୍କ ସେନ୍‌ସର୍‌ ପଲିସି ଯୋଗୁଁ ୨୦୧୦ରୁ ଚୀନ୍‌ରେ ଗୁଗଲ ବନ୍ଦ ହୋଇ ଯାଇଥିଲା। ସେବେଠାରୁ ଗୁଗଲ୍‌, ଜିମେଲ୍‌, ୟୁଟ୍ୟୁବ୍‌ ଏବଂ ଅନ୍ୟାନ୍ୟ ମାଧ୍ୟମ ଚୀନ୍‌ରେ ନିଷିଦ୍ଧ ହୋଇ ଥିଲା।

୪୫ ବର୍ଷିୟ ଗୁଗଲ୍‌ ସିଇଓ ପିଚାଇ କହିଛନ୍ତି, ଚୀନ୍‌ କମ୍ପାନିଗୁଡ଼ିକୁ ସାହାଯ୍ୟ କରିବାକୁ ଗୁଗଲ୍‌ ବହୁ କାମ କରିଛି। ଚୀନ୍‌ର ଉଜେନ୍‌ ସହରରେ ରାଷ୍ଟ୍ରାୟାତ ଗ୍ଲୋବାଲ୍‌ ଇଣ୍ଟର୍‌ନେଟ୍‌ କନ୍‌ଫରେନ୍‌ସ୍‌ରେ ଯୋଗଦେଇ ପିଚାଇ ଏ କଥା କହିଛନ୍ତି।

ଉକ୍ତ କନ୍‌ଫରେନ୍‌ସ୍‌ରେ ଆପ୍ଲ୍‌ ସିଇଓ ଟିମ୍‌ କୁକ୍‌ ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ମଧ୍ୟ ଭାଷଣ ଦେଇଥିଲେ।

ଚୀନ୍‌ ବାହାରେ ଥିବା ଅନ୍ୟାନ୍ୟ ବହୁ ଦେଶରେ ସେମାନଙ୍କ ଉତ୍ପାଦ ବିକ୍ରୟ କରିବା ପାଇଁ ଚୀନ୍‌ର ବହୁ କ୍ଷଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପ ଗୁଗଲ୍‌ର ସୁଯୋଗ ନେଇଥିବା କଥା ସଭାରେ ପିଚାଇ କହିଥିଲେ ବୋଲି ହଙ୍ଗ୍‌ କଙ୍ଗ୍‌ରୁ ପ୍ରକାଶିତ ମର୍ଣ୍ଣିଂପୋଷ୍ଟ୍‌ କହିଛି।

ନିଷିଦ୍ଧ ହେବା ପରେ ଗୁଗଲ୍‌ ତାହାର ଅପରେସନ୍‌ ହଙ୍ଗ୍‌ କଙ୍ଗ୍‌କୁ ଉଠାଇ ନେଇଥିଲା।

ଗୁଗଲ୍‌ର ଅନୁପସ୍ଥିତିରେ ଟେନ୍‌ସେଣ୍ଟ୍‌, ଆଲିବାବା, ବୈଦୁ ଏବଂ ଜେଡିଟଡ୍‌କମ୍‌ ଆଦି ଫାର୍ମ ଚୀନ୍‌ ଏବଂ ବିଦେଶରେ କ୍ଷମତାଶାଳୀ ପରିବାହକ ଭାବେ ବାହାରିଥିଲେ।

ଭର୍ଚ୍ୟୁଆଲ୍‌ ପ୍ରାଇଭେଟ୍‌ ନେଟ୍‌ଓ୍ଵାର୍କ ମାଧ୍ୟମରେ ଚୀନ୍‌ରେ ଗୁଗଲ୍‌ ଏବଂ ତାହାର ଉତ୍ପାଦ ସବୁ ଆକ୍‌ସେସ୍‌ କରି ହେବ। ଚୀନ୍‌ ସରକାରଙ୍କ ଅନୁରୋଧ ରକ୍ଷା କରି ଆପ୍ଲ୍‌ ମଧ୍ୟ ଡଜନାଧିକ ଭର୍ଚ୍ୟୁଆଲ୍‌ ପ୍ରାଇଭେଟ୍‌ ନେଟ୍‌ଓ୍ଵାର୍କ ଉଠାଇ ଦେବାକୁ ରାଜି ହୋଇଛି।

ଉଜେନ୍‌ ଠାରେ ଅନୁଷ୍ଠିତ ଓ୍ଵାର୍ଲଡ୍‌ ଇଣ୍ଟର୍‌ନେଟ୍‌ କନ୍‌ଫରେନ୍‌ସ୍‌ ହେଉଛି ମୁଖ୍ୟତଃ ଚୀନ୍‌ ଇଣ୍ଟର୍‌ନେଟ୍‌ ଅଧିକାରୀ, ଇଣ୍ଟର୍‌ନେଟ୍‌ କମ୍ପାନି ଏକ୍‌ଜେକ୍ୟୁଟିଭ୍‌ ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଅମଲାମାନଙ୍କ ସମ୍ମେଳନ।

୨୦୧୪, ୨୦୧୫ ଏବଂ ୨୦୧୫ରେ ଅନୁଷ୍ଠିତ କନ୍‌ଫରେନ୍‌ସ୍‌ରେ ଆମେରିକାର ଶୀର୍ଷ ସ୍ତରୀୟ ଏକ୍‌ଜିକ୍ୟୁଟିଭ୍‌ କୁକ୍‌ ଏବଂ ପିଚାଇ ଆଦି ଯୋଗ ଦେଇ ନ ଥିଲେ।

କୁକ୍‌ ନିୟମିତ୍‌ ଚୀନ୍‌ ଯାଆନ୍ତି। ପାଞ୍ଚ ସପ୍ତାହ ତଳେ ସେ ଚୀନ୍‌ରେ ଥିଲେ।

ସମ୍ବନ୍ଧିତ ଖବର