ପର୍ଯ୍ୟଟନର ପ୍ରଚାର କରିବେ ସୁପର୍‌ ବାଇକ୍ କ୍ଲବ୍

ପୁରୀରେ ୫ ଷ୍ଟାର୍‌ ଡିଲକ୍ସ ରି‌ସୋର୍ଟ ସ୍ଥାପନ କରିବ ସ୍ବସ୍ତି ଗ୍ରୁପ୍

ଭୁବନେଶ୍ବର : ରାଜ୍ୟରେ ୧୨୦୦ରୁ ଅଧିକ ସୁପର୍‌ ବାଇକ୍ ରହିଛି। ଏହାର ଚାଳକମାନେ ବିଭିନ୍ନ ସୁପର ବାଇକ୍ କ୍ଲବ୍ ସହିତ ଯୋଡ଼ି ହୋଇରହିଛନ୍ତି। ରାଜ୍ୟ ପର୍ଯ୍ୟଟନର ପ୍ରଚାର ଲାଗି ସେମାନଙ୍କ ସହ ଯୋଡ଼ି ହେବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଲକ୍ଷ୍ୟ ରଖିଛି। ଆଜି ଓଡ଼ିଶା କର୍ପୋରେଟ୍‌ ଫାଉଣ୍ଡେସନ ପକ୍ଷରୁ ଆୟୋଜିିତ ‘ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ଓ ଉଦ୍ୟମିତାର ସୁଯୋଗ’ ସମ୍ପର୍କିତ ୱେନିନାର୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ପର୍ଯ୍ୟଟନର ନିର୍ଦେଶକ ସଚିନ୍ ରାମଚନ୍ଦ୍ର ଯାଦବ କହିଛନ୍ତି ଯେ ସୁପର ବାଇକ୍‌ ଚାଳକମାନଙ୍କୁ ପର୍ଯ୍ୟଟନର ବ୍ରାଣ୍ଡ୍‌ ଆମ୍ବାସାଡର କରାଯିବ। ସେମାନେ ରାଜ୍ୟର ପର୍ଯ୍ୟଟନକୁ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ। ଓଡ଼ିଶାକୁ ଆସନ୍ତା ୩-୪ ବର୍ଷ ଭିତରେ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି। ପର୍ଯ୍ୟଟନ, ହୋଟେଲ୍‌ ଓ ଆତିଥେୟତା ଶିଳ୍ପ ସମ୍ପର୍କିତ ପ୍ରକଳ୍ପଗୁଡ଼ିକ ପାଇଁ ଇଡ୍‌କୋ ସିଧାସଳଖ ଜମି ଯୋଗାଇ ଦେବ। ସେମାନଙ୍କ ପାଇଁ ସ୍ବତନ୍ତ୍ର ଜମି ବ୍ୟାଙ୍କ ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ସେଲ୍‌ର ପୂର୍ବତନ ଇଡି ତୁଷାର ସାହୁଙ୍କ ସଂଯୋଜନାରେ ଅନୁ‌ଷ୍ଠିତ ଏହି ୱେବିନାରରେ ଅଂଶଗ୍ରହଣ କରି ଓଡ଼ିଶା ହୋଟେଲ୍‌ ଓ ରେସ୍ତୋରାଁ ସଂଘ (ହାରୋ)ର ଅଧ୍ୟକ୍ଷ ଜେ କେ ମହାନ୍ତି କହିଛନ୍ତି ଯେ ରାଜ୍ୟକୁ ଏକ ପ୍ରମୁଖ ପର୍ଯ୍ୟଟନ ହବ୍‌ରେ ପରିଣତ କରିବାକୁ ହେଲେ ଆହୁରି ୫୦୦୦ ହୋଟେଲ୍‌ କୋଠରିର ଆବଶ୍ୟକତା ରହିଛି। ପ୍ରସ୍ତାବିତ ସାମୁକା ବିଚ୍ ପ୍ରକଳ୍ପରେ ଏକ ବିଦେଶୀ କଂପାନି ୪୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବା ଲାଗି ଆଗ୍ରହ ପ୍ରକାଶ କରିଥିବା ସେ କହିଛନ୍ତି। ଉପକୂଳ ରାଜପଥ, ୱାର୍ଲଡ୍‌ ଟ୍ରେଡ୍‌ ସେଣ୍ଟର୍, ଇଣ୍ଟରନ୍ୟାସନାଲ୍ କନ୍‌ଭେନ୍‌ସନ୍‌ ସେଣ୍ଟର୍‌ ଆଦି ପ୍ରକଳ୍ପ‌ କାର୍ଯ୍ୟକାରୀ ହେଲେ ପର୍ଯ୍ୟଟନ କ୍ଷେତ୍ରର ଶକ୍ତି ବଢ଼ିବ। ପାଞ୍ଚ ବର୍ଷ କାର୍ଯ୍ୟକାଳ ସହ ଓଡ଼ିଶା ପର୍ଯ୍ୟଟନ ବିକାଶ ବୋର୍ଡ ଗଠନ କରିବା ଲାଗି ହାରୋ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ସେ କହିଛନ୍ତି। ତାଙ୍କ ସଂସ୍ଥା ସ୍ବସ୍ତି ଗ୍ରୁପ୍ ପୁରୀରେ ଏକ ଡିଲକ୍ସ ହୋଟେଲ୍‌ ଓ ରିସୋର୍ଟ ସ୍ଥାପନ କରିବ। ଏହି ପ୍ରକଳ୍ପ ୨-୩ ବର୍ଷ ଭିତରେ କାର୍ଯ୍ୟକ୍ଷମ ହେବ ବୋଲି ସେ ଘୋଷଣା କରିଛନ୍ତି।

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ପୂର୍ବତନ ସଦସ୍ୟ ପ୍ରସନ୍ନ କୁମାର ଦାଶ ଓଡ଼ିଶା ଓ ମଧ୍ୟପ୍ରଦେଶ ଭିତରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଛନ୍ତି। ବିମାନବନ୍ଦର, ପଞ୍ଚତାରକା ହୋଟେଲ୍‌, ପର୍ଯ୍ୟଟନ ସ୍ଥଳକୁ ଯୋଡ଼ୁଥିବା ରାସ୍ତା ପାର୍ଶ୍ବରେ ମୋଟେଲସ୍ ଓ ଶୌଚାଳୟ ଆଦି ସ୍ଥାପନ କରିବା ଦ୍ବାରା ମଧ୍ୟପ୍ରଦେଶ କିଭଳି ଆଗୁଆ ରହିଛି ସେ ତାହା ଜଣାଇଥିଲେ। ରାଜ୍ୟରେ ଅଧିକ ସଂଗ୍ରହାଳୟ ନଥିବା ନେଇ ସେ ଦୁଃଖ ପ୍ରକାଶ କରିଥିଲେ। ଜଙ୍ଗଲ ଓ ଆଦିବାସୀଙ୍କୁ ନେଇ ପର୍ଯ୍ୟଟନର ବିକାଶ କରିବା ଲାଗି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେହିପରି, ଓଡ଼ିଶା‌ ପର୍ଯ୍ୟଟନର ଟିଏଲ୍‌, ପିଏମ୍‌ୟୁ ନାହାର ମହମ୍ମଦ କହିଛନ୍ତି ଯ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗୀ ସୃଷ୍ଟି କରିବାର ବିପୁଳ ସୁଯୋଗ ରହିିଛି। ପର୍ଯ୍ୟଟନ କ୍ଷେତ୍ରରେ ଡିଜିଟାଇଜେସନ୍, ଅନୁଭୂତି ଓ ଅସଲି ଟୁର୍‌ ଆୟୋଜନ ଓ ସ୍ବାସ୍ଥ୍ୟ ଏବଂ ପରିମଳ ଭଳି ତିନିଟି ବିଷୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ବାଇକ୍ ରେଣ୍ଟାଲ୍‌ ବ୍ୟବସ୍ଥା ଆରମ୍ଭ କରିବାର ସୁଯୋଗ ରହିଛି ବୋଲି ସେ କହିଛନ୍ତି। ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ ବି କେ ପଟ୍ଟନାୟକ, ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ପ୍ରବାସୀ ଓଡ଼ିଆ ଉଦ୍ୟୋଗୀମାନେ ଏହି ୱେବିନାରରେ ଅଂଶଗ୍ରହଣ କରି ସେମାନଙ୍କ ମତ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର