ଭୁବନେଶ୍ବର : କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ (ଏମ୍ଏସଡିଇ) ଅଧୀନରେ ଥିବା ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ଓ କୋକାକୋଲା ପକ୍ଷରୁ ଗତ ବର୍ଷ ଆରମ୍ଭ କରାଯାଇଥିବା ସୁପର ପାଓ୍ବାର ରିଟେଲର ପ୍ରୋଗ୍ରାମ ଓଡ଼ିଶାର କ୍ଷୁଦ୍ର ଖୁଚୁରା ବ୍ୟବସାୟୀଙ୍କ ସଶକ୍ତ କରିବା ଦିଗରେ ସହାୟକ ହେଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଖୁଚୁରା  ବ୍ୟବସାୟୀଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରିବା, ସେମାନଙ୍କ ବ୍ୟବସାୟକୁ ବିସ୍ତାର କରିବା ଏବଂ ଉପଭୋକ୍ତାଙ୍କ ଅଭିଜ୍ଞତା ବୃଦ୍ଧି କରାଯାଉଛି ।

Advertisment

ଏହି କାର୍ଯ୍ୟକ୍ରମ ଅଧିନରେ ତାଲିମ ପାଇଥିବା ବାଲେଶ୍ବରର ପୁଷ୍ପଲତା ଦେ ଓ ଜଗତସିଂହପୁରର ଗୀତାଞ୍ଜଳୀ ନିଜ ନିଜ କ୍ଷୁଦ୍ର ବ୍ୟବସାୟର ଆଖିଦୃଷ୍ଟିଆ ଅଭିବୃଦ୍ଧି ହାସଲ କରିଥିବା ପ୍ରକାଶ କରିଛନ୍ତି । ବାଲେଶ୍ବର ଜିଲ୍ଲାର ସୋରରେ ପୁଷ୍ପଲତାଙ୍କର ଏକ ଛୋଟ ପାନ ଦୋକାନ ରହିଛି । ଏକ ଛୋଟ ବ୍ୟବସାୟ ହୋଇଥିଲେ ବି ସେ ନିଜର ବ୍ୟବସାୟକୁ ଉଲ୍ଲେଖନୀୟଭାବେ ବଢାଇପାରିଛନ୍ତି ।

'ସୁପର ପାୱାର ରିଟେଲର୍ ପ୍ରୋଗ୍ରାମ'କୁ ଗତ ବର୍ଷ ଅକ୍ଟୋବର ୧୫ରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତାବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଖୁଚୁରା ବ୍ୟବସାୟୀଙ୍କ ଉନ୍ନତି ଓ ସଶକ୍ତୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। ଏନଏସଡିସି ଏବଂ କୋକା-କୋଲା ଇଣ୍ଡିଆ ମଧ୍ୟରେ ଏହି ମିଳିତ ପ୍ରୟାସ ମାଧ୍ୟମରେ ଖୁଚୁରା ବ୍ୟବସାୟୀମାନେ ପ୍ରତିଯୋଗିତାମୂଳକ ଖୁଚୁରା କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ପାଇଁ ଆବଶ୍ୟକ ଦକ୍ଷତା ଏବଂ ଜ୍ଞାନ ହାସଲ କରିପାରୁଛନ୍ତି । ଏହି କାର୍ଯ୍ୟକ୍ରମରେ ୧୪ ହଜାରରୁ ଅଧିକ ବ୍ୟବସାୟୀଙ୍କୁ ତାଲିମ ଦିଆଯାଇଛି । ଏହି ଅବସରରେ କୋକାକୋଲାର ଉପସଭାପତି ଇରେନ ଟାନ୍ କହିଛନ୍ତି ସ୍କିଲ୍ ଇଣ୍ଡିଆ ମିଶନ ସହିତ ଆମର ଭାଗିଦାରୀ ରିଟେଲର ସମୁଦାୟରେ ଶିଳ୍ପ-ନିର୍ଦ୍ଦିଷ୍ଟ ଦକ୍ଷତାର ଅଭିନବ ବିତରଣକୁ ସୂଚାଇଥାଏ, ଯାହା ସମସ୍ତଙ୍କ ପାଇଁ ସୁଯୋଗର ଦ୍ୱାର ଖୋଲିଥାଏ।