ଭୁବନେଶ୍ବର: ଯଦି କୌଣସି ବ୍ୟକ୍ତି ୫୦ ଲକ୍ଷ ଟଙ୍କା ଧରି ଭୁବନେଶ୍ବରରେ ଘର କିଣିବାକୁ ବାହାରିବେ, କୌଣସି ଗ୍ୟାରେଣ୍ଟି ନାହିଁ ଯେ ତାଙ୍କୁ ଏକ ଘର ମିଳିଯିବ। କାରଣ ସହରରେ ଏହି ମୂଲ୍ୟର ଘର ସହଜରେ ମିଳୁନାହିଁ। ପ୍ରପ୍‌ଇକ୍ବିଟି ନାମକ ଏକ ରିଅଲ ଇଷ୍ଟେଟ୍‌ ଡାଟା ଆନାଲିଟିକ୍ସ ସଂସ୍ଥାର ରିପୋର୍ଟ ଅନୁସାରେ ଭୁବନେଶ୍ବରରେ ୫୦ ଲକ୍ଷ ଟଙ୍କିଆ ଘର ଯୋଗାଣ ୨୦୨୫ର ପ୍ରଥମ ତ୍ରେମାସିକରେ ୭୨ ପ୍ରତିଶତ ହ୍ରାସ ପାଇଛି। ଏହି ମୂଲ୍ୟର ମାତ୍ର ୭୭୨ଟି ଘର ସହରରେ ବିକ୍ରି ହୋଇଛି। ୨୦୨୪ର ପ୍ରଥମ ତିନି ମାସରେ ଭୁବନେଶ୍ବରରେ ଗ୍ରାହକମାନଙ୍କୁ ୨୮୦୪ଟି ଘର ଯୋଗାଇ ଦିଆଯାଇଥିଲା।

Advertisment

ଦେଶର ୧୫ଟି ପ୍ରମୁଖ ଦ୍ବିତୀୟ ଶ୍ରେଣୀ ସହରରେ ରିଅଲ୍‌ ଇଷ୍ଟେଟ୍‌ର ସ୍ଥିତି ବିଚାରକୁ‌ ନେଇ ପ୍ରପ୍‌ଇକ୍ବିଟି ଏହି ରିପୋର୍ଟ ପ୍ରସ୍ତୁତ କରିଛି। ୨୦୨୫ର ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଘର ଯୋଗାଣ ୩୫ ପ୍ରତିଶତ ହ୍ରାସ ପାଇ ୩୦,୧୧୫ଟି ଘରରେ ପହଞ୍ଚିଛି। ୨୦୨୪ର ସେହି ତିନି ମାସରେ ଗ୍ରାହକମାନଙ୍କୁ ୪୫,୯୦୧ଟି ଘର ଯୋଗାଇ ଦିଆଯାଇଥିଲା। ୨୦୨୪ର ପ୍ରଥମ ତିନି ମାସରେ ବିକ୍ରି ହୋଇଥିବା ୩୬ ପ୍ରତିଶତ ଘରର ଦାମ୍ ୫୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ମଧ୍ୟରେ ଥିଲା। ୨୦୨୫ରେ ସେହି ହାର ୪୮ ପ୍ରତିଶତକୁ ବୃଦ୍ଧି ପାଇଛି। ପୂର୍ବ ଭାରତ ଓ କେନ୍ଦ୍ରୀୟ ଭାରତରେ ଥିବା ଦ୍ବିତୀୟ ଶ୍ରେଣୀର ସହରଗୁଡ଼ିକରେ ନୂଆ ପ୍ରକଳ୍ପ ୬୮ ପ୍ରତିଶତ ହ୍ରାସ ପାଇଥିବା ସହ ଉତ୍ତର ଭାରତରେ ତାହା ୫୫ ପ୍ରତିଶତ, ପଶ୍ଚିମ ଭାରତରେ ୨୮ ପ୍ରତିଶତ ଓ ଦକ୍ଷିଣ ଭାରତରେ ୨୬ ପ୍ରତିଶତ ହ୍ରାସ ପାଇଛି। ଦ୍ବିତୀୟ ଶ୍ରେଣୀ ସହରଗୁଡ଼ିକ ମଧ୍ୟରେ କୋଏମ୍ବାଟୁର ଏକମାତ୍ର ସହର ଯେଉଁଠାରେ ନୂଆ ଘର ଯୋଗାଣରେ ୧୨୭ ପ୍ରତିଶତର ବୃଦ୍ଧି ଘଟିଛି। ଅନ୍ୟ ସବୁ ସହରରେ ଘର ଯୋଗାଣ କମ୍ ହୋଇଛି। ଅହମଦାବାଦ, ଗାନ୍ଧୀନଗର, ସୁରଟ, ନାସିକ, ଭଦୋଦରା, ଜୟପୁର, ଲକ୍ଷ୍ନୌ, ନାଗପୁର, ଭୁବନେଶ୍ବର, ଗୋଆ, ଭୋପାଳ, ମାଙ୍ଗାଲୋର, କୋଚି ଓ ତ୍ରିଭେନ୍ଦ୍ରମରେ ଘର ଯୋଗାଣ କମିଛି। 

ସରକାରଙ୍କୁ ଧ୍ୟାନ ଦେବାକୁ ପଡ଼ିବ: କ୍ରେଡାଇ ଓଡ଼ିଶା ଅଧ୍ୟକ୍ଷ
ଭୁବନେଶ୍ବର: ଭୁବନେଶ୍ବରରେ ସୁଲଭ ବାସଗୃହ ଯୋଗାଣରେ ଘଟିଥିବା ହ୍ରାସ ସମ୍ପର୍କରେ କ୍ରେଡାଇ ଓଡ଼ିଶାର ଅଧ୍ୟକ୍ଷ ଡି ଏସ୍ ତ୍ରିପାଠୀ କହିଛନ୍ତି ଯେ ଏଥିପ୍ରତି ସରକାରଙ୍କୁ ଧ୍ୟାନ ଦେବାକୁ ପଡ଼ିବ ଓ ନିର୍ଦ୍ଦିଷ୍ଟ ନୀତି ଆଣିବାକୁ ହେବ। ସହରାଞ୍ଚଳ ଜନସଂଖ୍ୟା ୧୭ ପ୍ରତିଶତ ଥିବା ବେଳେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ଅଧୀନରେ ତାହାକୁ ୪୦ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେହି ସମୟର ଘର ଆବଶ୍ୟକତାକୁ ନଜରରେ ରଖି ନୀତି ଆଣିବାକୁ ପଡ଼ିବ। ସହରାଞ୍ଚଳରେ ରହୁଥିବା ୭୦ ପ୍ରତିଶତ ଲୋକ ୫୦ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ଘର ଚାହୁଛନ୍ତି। ୨୦ ପ୍ରତିଶତ ଲୋକ ୫୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ମଧ୍ୟରେ ମିଳୁଥିବା ଘର କିଣିପାରିବେ। କିନ୍ତୁ ଏହି ଦୁଇ ବର୍ଗରେ ଘର ଯୋଗାଣ କମିଛି। କେବଳ ୧ କୋଟି ଟଙ୍କାରୁ ଅଧିକ ଦାମ୍‌ର ଘର ଯୋଗାଣ ବଢ଼ିଛି, ଯାହାକୁ ସହରରେ ରହୁଥିବା ମାତ୍ର ୧୦ ପ୍ରତିଶତ ଲୋକ କିଣିପାରୁଛନ୍ତି। ରିଅଲ ଇଷ୍ଟେଟ୍‌ ଡେଭେଲପର୍‌ମାନେ ଦାମୀ ଘର ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସୁଲଭ ବାସଗୃହ ପାଇଁ ଯଦି ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳିବ, ତେବେ ସେମ‌ାନେ ମଧ୍ୟ ସେଥିରେ ଉତ୍ସ‌ାହର ସହ ସାମିଲ ହୋଇପାରିବେ। ସେଥିପାଇଁ ରାଜ୍ୟର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ସୁବିଧା‌ରେ ଜମି ଯୋଗାଣ, ନିର୍ଦ୍ଧାରିତ ସମୟ ଭିତରେ ମଞ୍ଜୁରି ଆଦି ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।