ଏମ୍ଏସ୍‌ଏମ୍‌ଇଙ୍କୁ ସହାୟତା ଦିଅ: ମନ୍ତ୍ରୀ ଦିବ୍ୟଶଙ୍କର

ଫିକି ଓଡ଼ିଶାର ବ୍ୟାଙ୍କିଙ୍ଗ୍‌ ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟରେ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବା ଏମ୍ଏସ୍‌ଏମ୍ଇଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବଡ଼ ଶିଳ୍ପ ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଫିକି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରାଯାଇଥିବା ଫିକି ବ୍ୟାଙ୍କିଙ୍ଗ୍‌ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ନୂଆ ସ୍ବାଭାବିକ ସମୟରେ କାର୍ଯ୍ୟ ପରିବେଶରେ ବହୁତ କିଛି ପରିବର୍ତ୍ତନ ହୋଇଛି। ସବୁ କିଛି ପୂର୍ବଭଳି ନାହିଁ। ପରିବର୍ତ୍ତିତ ସ୍ଥିତିକୁ ଦୃଷ୍ଟିରେ ରଖି ନୂଆ ବ୍ୟବସ୍ଥା ବିକଶିତ କରିବା ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ସେ କହିଛନ୍ତି। ରାଜ୍ୟରେ ବ୍ୟାଙ୍କ କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଏବଂ ସେମାନଙ୍କୁ ଆହୁରି ବଡ଼ ଧରଣ ଭୂମିକା ନିର୍ବାହ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି।

ଏହି ଅବସରରେ ଏମ୍ଏସ୍ଏମ୍‌ଇ ବିଭାଗର ଅତିରିକ୍ତ ସଚିବ ୟୁ ଏନ୍ ଦାସ କହିଛନ୍ତି ଯେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଏମ୍ଏସ୍‌ଏମ୍ଇ କ୍ଷେତ୍ରର ଅବଦାନ ୨୭% ରହିଛି। କିନ୍ତୁ ଅଧିକାଂଶ ଏମ୍ଏସ୍‌ଏମ୍ଇ ସଂଗଠିତ କ୍ଷେତ୍ରର ଋଣ ପାଇବାରୁ ବଞ୍ଚିତ ରହିଛନ୍ତି। ପ୍ରାୟ ୮୪% ଏମ୍ଏସ୍‌ଏମ୍ଇ ଅଣସଂଗଠିତ କ୍ଷେତ୍ରରୁ ୮୪ ହଜାର କୋଟି ଟଙ୍କାର ଋଣ ହାସଲ କରିଛନ୍ତି। ଏମ୍ଏସ୍‌ଏମ୍ଇଙ୍କ ପାଇଁ ଋଣ ପ୍ରକ୍ରିୟାର ସମ୍ପୂର୍ଣ୍ଣ ଡିଜିଟାଲ୍‌କରଣ କରିବାକୁ ‌ସେ ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ସେହିପରି, ନାବାର୍ଡର ସିଜିଏମ୍ ସି ଉଦୟଭାସ୍କର କହିଛନ୍ତି ଯେ ଗ୍ରାମୀଣ ଅର୍ଥନୀତିର ବିକାଶ ଉପରେ ନାବାର୍ଡ ଗୁରୁତ୍ବ ଦେଉଛି। ମହାମାରୀ ସମୟରେ ନାବାର୍ଡ ୧୫୦୦ କୋଟି ଟଙ୍କାର ଲିକ୍ବିଡିଟି ସହାୟତା ପ୍ରଦାନ କରିଥିଲା। ସେ କହିଛନ୍ତି ଯେ ତୃଣମୂଳ ସ୍ତରରେ ବ୍ୟାଙ୍କ ସହାୟତା ୧୬% ଭଳି ନିମ୍ନ ସ୍ତରରେ ରହିଛି। ଏଥିରେ ଉନ୍ନତି ନହେଲେ ଅର୍ଥନୀତି ପ୍ରଭାବିତ ହେବ। ବ୍ୟାଙ୍କଗୁଡ଼ିକ ଋଣ ଦେବା ଲାଗି ସୁବିଧାଜନକ ସ୍ଥିତିରେ ରହିବା ପାଇଁ ଅଧିକରୁ ଅଧିକ କ୍ରେଡିଟ୍‌ ଗ୍ୟାରେଣ୍ଟି ସ୍କିମ୍‌ର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ଶିଳ୍ପ ସଂସ୍ଥା ଓ ବ୍ୟାଙ୍କଗୁଡ଼ିକ ମଧ୍ୟରେ ନିୟମିତ ଓ ଫଳପ୍ରଦ ଆଲୋଚନାର ଆବଶ୍ୟକତା ରହିଛି ବୋଲି ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷା ତଥା ସମ୍ବାଦ ଗ୍ରୁପ୍‌ର ଏମ୍‌ଡି ମୋନିକା ନୈୟାର ପଟ୍ଟନାୟକ କହିଛନ୍ତି। ରାଜ୍ୟର ସାମଗ୍ରିକ ବିକାଶ ଲାଗି ସମସ୍ତ ଅଂଶିଦାରଙ୍କ ସହ ମିଶି ଫିକି ଓଡ଼ିଶା କାର୍ଯ୍ୟ କରୁଥିବା ସେ କହିଛନ୍ତି।

ଏହି ଅବସରରେ ଫିକି ଓଡ଼ିଶା ଏମ୍ଏସ୍‌ଏମ୍ଇ କମିଟିର ଅଧ୍ୟକ୍ଷ ଜେ କେ ରଥ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ଅନୁଷ୍ଠିତ ଏକ ଅଧିବେଶନରେ ୟୁନିୟନ୍ ବ୍ୟାଙ୍କର ଏଫ୍ଏମ୍‌ଜି ରମାକାନ୍ତ ପ୍ରଧାନ, ୟୁକୋ ବ୍ୟାଙ୍କର ଏଜିଏମ୍ ଲିଙ୍ଗରାଜ ନାୟକ, କାନାରା ବ୍ୟାଙ୍କର ଏମ୍ଏସ୍‌ଏମ୍ଇ ମୁଖ୍ୟ ସୁଶିଲ କୁମାର ଓ ସିଡ୍‌ବିର ଏଜିଏମ୍ ଗିରିଶ ମେହେର ପ୍ରମୁଖ ଅଂଶଗ୍ରହଣ କରି ବିଭିନ୍ନ ସ୍କିମ୍ ବିଷୟରେ ଆଲୋଚନା କରିଥିଲେ। ଫିକି ଓଡ଼ିଶାର ମୁଖ୍ୟ ସଞ୍ଜୀବ କୁମାର ମହାନ୍ତି ଧନ୍ୟବାଦ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର