ଧମକାଇଲେ ସୁପ୍ରିମକୋର୍ଟ: ସିଂହ ଭ୍ରାତାଙ୍କୁ କହିଲେ ଜେଲ୍‌ ପଠାଇଦେବୁ

ନୂଆଦିଲ୍ଲୀ: ଔଷଧ କଂପାନି ରାନ୍‌ବାକ୍ସିର ପ୍ରତିଷ୍ଠାତା ତଥା ଦୁଇ ଭାଇ ମାଲ୍‌ବିନ୍ଦର ଓ ଶିବିନ୍ଦର ସିଂହଙ୍କୁ ଜେଲ୍‌ ପଠାଇବାକୁ ସୁପ୍ରିମକୋର୍ଟ ଧମକ ଦେଇଛନ୍ତି। ଜାପାନର କଂପାନି ‘ଡାଇଇଚି ସାଙ୍କ୍ୟୋ’କୁ ୩୫୦୦ କୋଟି ଟଙ୍କା ଫେରାଇବାରେ ବିଫଳ ହୋଇଥିବାରୁ ଦୁଇ ଭାଇଙ୍କ ଉପରେ କୋର୍ଟ ପ୍ରବଳ ବିରକ୍ତ ହୋଇଛନ୍ତି। ଡାଇଇଚି ସାଙ୍କ୍ୟୋ ପକ୍ଷରୁ ଦାୟର କରାଯାଇଥିବା ଏକ ମାମଲାର ଶୁଣାଣି କରି ସିଂହ ଭ୍ରାତାଙ୍କୁ କୋର୍ଟ କହିଛନ୍ତି ଯେ, ଆମେ ତୁମକୁ ଏକ ସୁଯୋଗ ଦେଇଥିଲୁ, କିନ୍ତୁ ତୁମେ ତାହାକୁ ବ୍ୟବହାର କଲନାହିଁ। କାହିଁକି ଆମ ନିର୍ଦେଶକୁ ଅବମାନନା କରାଗଲା ତାହାର କାରଣ ଜାଣିବାକୁ ପ୍ରୟାସ କରାଯିବ। ଯଦି ଉତ୍ତର ସନ୍ତୋଷଜନକ ନହେବ ତେବେ ତୁମକୁ ଆମେ ଜେଲ୍ ପଠାଇ ଦେବୁ ବୋଲି ‌ସୁପ୍ରିମକୋର୍ଟ ଧମକ ଦେଇଛନ୍ତି। ଜାପାନର ଏହି କଂପାନିକୁ ୩୫୦୦ କୋଟି ଟଙ୍କା ପ୍ରଦାନ କରିବାକୁ ଗତ ମାସରେ କୋର୍ଟ ସିଂହ ଭ୍ରାତାଙ୍କୁ ନିର୍ଦେଶ ଦେଇଥିଲେ। ଡାଇଇଚି ସାଙ୍କ୍ୟୋ ତରଫରୁ ୨୦୦୮ରେ ସିଂହ ଭ୍ରାତାଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିଲା ରାନ୍‌ବାକ୍ସିକୁ ଅଧିଗ୍ରହଣ କରାଯାଇଥିଲା। ସେହି ସମୟରେ ଆମେରିକାରେ ରାନ୍‌ବାକ୍ସି ବିରୋଧରେ ଏକ ମାମଲା ଚାଲିଥିଲା ଯାହାକୁ ସିଂହ ଭ୍ରାତା ଗୋପନ ରଖିଥିଲେ। କଂପାନି ବିକ୍ରି ହେବା ପରେ ଡାଇଇଚି ସାଙ୍କ୍ୟୋ ତାହା ଜାଣିବାକୁ ପାଇଥିଲା ଏବଂ ସିଂହ ଭ୍ରାତାଙ୍କ ବିରୋଧରେ ସିଙ୍ଗାପୁର କୋର୍ଟରେ ଆବେଦନ କରିଥିଲା। ସେଠାରେ ଡାଇଇଚି ସାଙ୍କ୍ୟୋ ସପକ୍ଷରେ କୋର୍ଟ ମତ ଦେଇଥିଲେ। ସିଙ୍ଗାପୁର କୋର୍ଟଙ୍କ ରାୟକୁ ଭାରତରେ ସୁପ୍ରିମକୋର୍ଟ ବଳବତ୍ତର ରଖିଥିଲେ ଏବଂ ୩୫୦୦ କୋଟି ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ସିଂହ ଭ୍ରାତାଙ୍କୁ କହିଥିଲେ।

ସୁପ୍ରିମକୋର୍ଟର ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠରେ ଆଜି ଏ ସମ୍ପର୍କିତ ମାମଲାର ଶୁଣାଣି ବେଳେ ଦୁଇ ଭାଇଙ୍କ ମଧ୍ୟରୁ ଜଣେ ଭାଇ ସତ୍ୟପାଠ ଜରିଆରେ ଜଣାଇଥିଲେ ଯେ, ରାଧା ସୋଆମି ସତ୍‌ସଙ୍ଗ୍‌ ଠାରୁ ତାଙ୍କୁ ୬୩୦୦ କୋଟି ଟଙ୍କାର ମିଳିବାର ଥିଲା। ତାହା ମିଳିନଥିବାରୁ ସେ ଟଙ୍କା ଦେଇପାରୁନାହାନ୍ତି। ଏହାର ଉତ୍ତରରେ କୋର୍ଟ କହିଥିଲେ ଯେ, ତୁମେ ଅଧା ଦୁନିଆକୁ ନିଜ ମାଲିକାନାରେ ରଖିପାର, କିନ୍ତୁ ଆମେ ଯେଉଁ ଟଙ୍କା ଦେବାକୁ କହିଥିଲୁ ତାହା କିଭଳି ଦେବ ସେନେଇ କାହିଁକି କୌଣସି ଯୋଜନା ଦାଖଲ କରୁନାହଁ। ସିଂହ ଭ୍ରାତାଙ୍କ ବିରୋଧରେ ଦାଖଲ କରାଯାଇଥିବା ଏକ ଅଦାଲତ ଅବମାନନା ମାମଲାର ଶୁଣାଣି ଏପ୍ରିଲ୍ ୧୧ରେ ହେବ। ଉଲ୍ଲେଖଯୋଗ୍ୟ, ଦୁଇ ଭାଇ ମାଲବିନ୍ଦର ଏବଂ ଶିବିନ୍ଦରଙ୍କ ମଧ୍ୟରେ ଏବେ ସମ୍ପର୍କ ଭଲ ନାହିଁ। ଦୁଇ ଭାଇ ଭିତରେ କାରବାରକୁ ନେଇ ଝଗଡ଼ା ଚାଲିଛି। ହାତାହାତି ପର୍ଯ୍ୟନ୍ତ କଥା ମଧ୍ୟ ଯାଇଛି। ରାନ୍‌ବାକ୍ସିକୁ ବିକିବା ପରେ ସେମାନେ ଫୋର୍ଟିସ୍‌ ହେଲ୍‌ଥକେୟାର ସ୍ଥାପନ କରିଥିଲେ। ଫୋର୍ଟିସ୍‌ରେ ହୋଇଥିବା ଆର୍ଥିକ ଜାଲିଆତିକୁ ନେଇ ଦୁଇ ଭାଇ ମଧ୍ୟରେ ସମ୍ପର୍କ ଖରାପ ହୋଇଛି।

ସମ୍ବନ୍ଧିତ ଖବର