ନୂଆଦିଲ୍ଲୀ: ଏଜିଆର୍ (ଆଡଜଷ୍ଟେଡ୍ ଗ୍ରସ ରେଭିନ୍ୟୁ) ରିହାତି ମାମଲାରେ ୩ ଘରୋଇ ଟେଲିକମ୍ କମ୍ପାନିଙ୍କୁ ସୁପ୍ରିମକୋର୍ଟରୁ ଆଜି ବଡ଼ ଝଟ୍କା ଲାଗିଛି। ଏଜିଆର୍ରେ ରିହାତି ପାଇବା ପାଇଁ ଭୋଡାଫୋନ ଆଇଡିଆ ଓ ଏୟାରେଟଲ କରିଥିବା ଆବେଦନ ଏବଂ ଏଥିରେ ପକ୍ଷଭୁକ୍ତ ହେବାପାଇଁ ଟାଟା ଟେଲିସର୍ଭିସେସ୍ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ବିଚାରପତି ଜେବି ପାର୍ଦିୱାଲା ଏବଂ ବିଚାରପତି ଆର୍ ମହାଦେବନ ଏହି ଆବେଦନ ଠିକ୍ ନୁହେଁ ବୋଲି କହିଛନ୍ତି। ଉପରୋକ୍ତ ୩ଟି କମ୍ପାନି ସପକ୍ଷରେ ଯଦି ସୁପ୍ରିମକୋର୍ଟ ରାୟ ଦେଇଥାନ୍ତେ ତାହେଲେ ଏଜିଆରର ଜରିମାନା, ସୁଧ ଏବଂ ଜରିମାନା ଉପରେ ସୁଧ ଛାଡ଼ ବାବଦରେ ୮୦ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଛାଡ଼ ପାଇଥାନ୍ତେ।
ଏଜିଆର୍ ବାବଦରେ ଭୋଡାଫୋନ ଆଇଡିଆ ଉପରେ ୮୩,୪୦୦ କୋଟି ଟଙ୍କା ଆଦାୟ କରାଯିବାକୁ ଅଛି। ଏହି କମ୍ପାନି ପ୍ରାୟ ୪୫ ହଜାର କୋଟି ଟଙ୍କାର ଛାଡ଼ ପାଇଁ ଆବେଦନ କରିଥିଲା। ସେହିଭଳି ଭାରତୀ ଏୟାରଟେଲ ଓ ଏହାର ଶାଖା କମ୍ପାନି ଉପରେ ମୋଟ ୪୩୯୮୦ କୋଟି ଟଙ୍କାର ଏଜିଆର ଦେୟ ଆଦାୟ ହେବାକୁ ଥିବାବେଳେ ଏମାନେ ୩୪,୭୪୫ କୋଟି ଟଙ୍କା ଛାଡ଼ ପାଇଁ ଆବେଦନ କରିଥିଲେ। ଟାଟା ଟେଲିସର୍ଭିସେସ୍କୁ ଏହି ମାମଲାରେ ଏକ ପକ୍ଷ କରିବା ପାଇଁ ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦତ୍ତର ଆବେଦନ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ଆଜି ଏହାକୁ ଖାରଜ କରିଦେଇଛନ୍ତି। ଆମ ନିକଟକୁ ଆସିଥିବା ଏହି ପିଟିସନ ଆମକୁ ବସ୍ତୁତଃ ଚକିତ କରିଛି। ଏକ ବହୁଦେଶୀୟ କମ୍ପାନିଠାରୁ ଏହା ଆଶା କରାଯାଏନି। ଆମେ ଏହାକୁ ପ୍ରତ୍ୟାଖ୍ୟାନ କରିବୁ ବୋଲି ଭୋଡାଫୋନ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ ଖଣ୍ଡପୀଠ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଭୋଡାଫୋନ ପ୍ରାୟ ୩୦ ହଜାର କୋଟି ଟଙ୍କାର ରିହାତି ପାଇବା ପାଇଁ ଆବଦେନ କରିଥିଲା। ଏଜିଆର୍ ବାବଦରେ ସୁଧ, ଜରିମାନା ଏବଂ ଜରିମାନା ଉପରେ ଲଗାଯାଇଥିବା ସୁଧକୁ ଛାଡ଼ କରିବା ପାଇଁ କମ୍ପାନି ଆବେଦନ କରିଥିଲା। ପୂର୍ବରୁ ଶ୍ରୀ ରୋହତଗୀ କହିଥିଲେ ଯେ ଟେଲିକମ୍ ଶିଳ୍ପରେ ପ୍ରତିଯୋଗିତା ଜାରି ରଖିବାକୁ ହେଲେ ତାଙ୍କ କମ୍ପାନି ତିଷ୍ଠି ରହିବା ଆବଶ୍ୟକ। ତେବେ ବିଚାରପତି ପାର୍ଦିୱାଲା କହିଥିଲେ ଯଦି ସରକାର ତୁମମାନଙ୍କୁ ସାହାଯ୍ୟ କରିବେ ତେବେ ସୁପ୍ରିମକୋର୍ଟ ଏଥିରେ ବାଧା ସୃଷ୍ଟି କରିବେ ନାହିଁ। ଏଜିଆର୍ ମାମଲାରେ ସୁପ୍ରିମକୋର୍ଟ ୨୦୧୯ ମସିହାରେ ଯେଉଁ ରାୟ ଦେଇଥିଲେ ତାହାର ସମୀକ୍ଷା ପାଇଁ କମ୍ପାନିଗୁଡ଼ିକ କରିଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଗତବର୍ଷ ସେପ୍ଟେମ୍ବରରେ ଖାରଜ କରିଦେଇଥିଲେ।