ଭୁବନେଶ୍ବର: ମିଡ୍ଇଷ୍ଟ୍ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ଦାୟର କରାଯାଇଥିବା ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ଖଣି କଂପାନି ଯେତିକି ପରିମାଣର ଲୁହାପଥର ଉତ୍ତୋଳନ କରିଥିଲା ତାହାକୁ ବିକ୍ରି କରିବା ଲାଗି ରାଜ୍ୟ ସରକାରଙ୍କୁ ଅଧିକ ସମୟ ମାଗିଥିଲା। ସେହି ସବୁ ଲୁହାପଥରକୁ ସେଠାରୁ ହଟାଇବା ଲାଗି ରାଜ୍ୟ ସରକାର ଅନୁମତି ନଦେବାରୁ କଂପାନି ସେଗୁଡ଼ିକୁ ବିକ୍ରି କରିପାରିନାହିଁ ବୋଲି ମିଡ୍ଇଷ୍ଟ୍ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ତରଫରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। କାହିଁକି ଏତେ ମନ୍ଥର ଭାବେ କାର୍ଯ୍ୟ ହେଉଛି ବୋଲି ସୁପ୍ରିମକୋର୍ଟ ଆଜି ଓଡ଼ିଶା ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
ମିଡଇଷ୍ଟ୍ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ଉତ୍ତୋଳନ କରିଥିବା ଲୁହାପଥରକୁ ବିକ୍ରି କରିବା ଲାଗି ସୁପ୍ରିମକୋର୍ଟ ଦୁଇ ମାସ ସମୟ ଦେଇଥିଲେ। ସେଥିରୁ ଯେଉଁ ଆୟ ହେବ ତାହାକୁ ଖଣି ବିଭାଗର ପ୍ରାପ୍ୟ ପ୍ରଦାନ କରିବା ଲାଗି ବ୍ୟବହାର କରିବାକୁ କୋର୍ଟ କଂପାନିକୁ କହିଥିଲେ। କିନ୍ତୁ କଂପାନି ତରଫରୁ କୁହାଯାଇଛି ଯେ ରାଜ୍ୟ ସରକାର ଅନୁମତି ଦେଉନଥିବାରୁ ଏହା ଲୁହାପଥରଗୁଡ଼ିକୁ ବିକ୍ରି କରିପାରିନାହିଁ। ଏହି ମାମଲାର ଶୁଣାଣି ଆସନ୍ତା ବୁଧବାର ହେବ କିମ୍ବା କରୋନା ପ୍ରଭାବରୁ ଯଦି କୋର୍ଟରେ କାର୍ଯ୍ୟ ବନ୍ଦ ହୁଏ ତେବେ ଯେବେ କୋର୍ଟ ଖୋଲି ନୂଆ ତାରିଖ ଧାର୍ଯ୍ୟ କରାଯିବ ସେହିଦିନ ଶୁଣାଣି ହେବ।